ନୂଆଦିଲ୍ଲୀ ୦୬/୦୫: ଲାଲ୍‌ କିଲା ଉପରେ ମାଲିକାନା ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ରଜିୟା ସୁଲତାନା ବେଗମ୍‌ । ତାଙ୍କର ଦାବି ଯେ ସେ ଶେଷ ମୋଗଲ ବାଦ୍‌ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ମିର୍ଜା ବେଦାର ବଖ୍‌ତଙ୍କ ପତ୍ନୀ । ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ରଜିୟା ନିଜ ଆବେଦନରେ ଲାଲ୍‌ କିଲାକୁ ତାଙ୍କୁ ଫେରାଇବାକୁ ନଚେତ୍‌ ୧୮୫୭ ମସିହାରୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ କୋର୍ଟରେ ଦାବି କରିଥିଲେ । ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଓ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଭୁଲ ଓ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି । 

ସୁପ୍ରିମ୍‌କୋର୍ଟ ସୁଲତାନା ବେଗମ୍‌ଙ୍କ ଓକିଲଙ୍କୁ ଆବେଦନ ଫେରାଇ ନେବାର ଅନୁମତି ଦେବାକୁ ବି ମନା କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ‘ଆପଣ ଲାଲ୍‌ କିଲାରେ କାହିଁକି ଅଟକିଲେ? ଆଗ୍ରାର ଦୁର୍ଗ, ତାଜମହଲ, ଫତେହପୁର ସୀକରୀ ଓ ଅନ୍ୟ ଦୁର୍ଗ ଉପରେ ମଧ୍ୟ ଦାବି କଲେନାହିଁ କାହିଁକି?’ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ୨୦୨୪, ଡିସେମ୍ବର ୧୩ ତାରିଖରେ ସୁଲତାନା ବେଗମ୍‌ଙ୍କ ଆବେଦନକୁ ଖାରଜ କରିଥିଲେ । ସୁଲତାନା ବେଗମ୍‌ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ ଦେଇଥିଲେ । ତାଙ୍କର ଦାବି ଅନୁସାରେ, ମୋଗଲ ସାମ୍ରାଜ୍ୟର ଶେଷ ବାଦ୍‌ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ବେଦାର ବଖ୍‌ତଙ୍କୁ ସେ ୧୯୬୫, ଅଗଷ୍ଟ ୧୫ ତାରିଖରେ ବିବାହ କରିଥିଲେ । ସେତେବେଳେ ସେ ୧୨ ବର୍ଷ ବୟସର ଥିଲେ । 

ଲକ୍ଷ୍ନୌର ମୂଳ ବାସିନ୍ଦା ସୁଲତାନାଙ୍କ ପିଲାଦିନ କୋଲକାତାରେ ଅଜାଙ୍କ ଘରେ ବିତିଥିଲା । ଏବେ ସେ ହାଓଡ଼ାର ଶିବପୁରୀ ଅଞ୍ଚଳର ଏକ ବସ୍ତିରେ ରହୁଛନ୍ତି । ସୁଲତାନା କହିଛନ୍ତି ‘ମୁଁ ମୋଗଲ ବଂଶର ବୋହୂ । କିନ୍ତୁ ୫୦ ଟଙ୍କାର ଟିକଟ କରି ଲାଲ୍‌ କିଲାକୁ ଯାଉଛି । ହୁମାୟୁଁଙ୍କ କବରକୁ ୪୦ ଟଙ୍କା ଦେଇ ଯାଉଛି । ମୋଗଲ ଧନ ଲୁଟି କୁଆଡ଼େ ନେଇଗଲେ, ଜଣଙ୍କ ନାଁ କହିଦେଲେ ମୁଁ ମୁଣ୍ଡ ନୁଆଁଇଦେବି ।’ 

୨୦୨୧, ଡିସେମ୍ବର ୨୦ରେ ଦିଲ୍ଲୀ ହାଇକୋର୍ଟ ଲାଲ୍‌ କିଲା ଉପରେ ମାଲିକାନା ଦାବି କରିଥିବା ସୁଲତାନାଙ୍କ ଆବେଦନକୁ ଖାରଜ କରିଥିଲେ । କୋର୍ଟ କହିଥିଲେ, ମାମଲା ରୁଜୁ କରିବାରେ ୧୫୦ ବର୍ଷରୁ ଉଦ୍ଧ୍ୱର୍ ବିଳମ୍ବ ହୋଇଛି । ଆବେଦନରେ ସୁଲତାନା କହିଥିଲେ, ସେ ଲାଲ୍‌ କିଲାର ପ୍ରକୃତ ମାଲିକ । କାରଣ ଏହି ସମ୍ପତ୍ତି ତାଙ୍କ ପୂର୍ବଜ ବାହାଦୁର ଶାହ ଜଫର ୨ୟଙ୍କଠୁ ତାଙ୍କୁ ମିଳିଥିଲା । ଭାରତ ସରକାର ଏହି ସମ୍ପତ୍ତି ଉପରେ ଅବୈଧ କବ୍‌ଜା କରିଛନ୍ତି । ସେ ଆହୁରି କହିଥିଲେ, ୧୯୬୦ରେ ଜୱାହରଲାଲ ନେହରୁଙ୍କ ସରକାର ମିର୍ଜା ମହମ୍ମଦ ବେଦାର ବଖ୍‌ତଙ୍କୁ ବାହାଦୁର ଶାହ ଜଫରଙ୍କ ଉତ୍ତରାଧିକାରୀ ମାନିଥିଲେ ଏବଂ ତାଙ୍କୁ ରାଜନୈତିକ ଭତ୍ତା ଦେଇଥିଲେ । ୨୦୨୪, ଡିସେମ୍ବରରେ ସୁଲତାନା ୨ୟ ଥର ଆବେଦନ କରିଥିଲେ । ଏହାକୁ କାର୍ଯ୍ୟବାହକ ମୁଖ୍ୟ ବିଚାରପତି ବିଭୁ ବାଖରୁ ଓ ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ଖାରଜ କରିଥିଲେ ।