- ୮ ସପ୍ତାହ ପାଇଁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ
- ପୂର୍ବରୁ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଖାରଜ କରିଥିଲେ ଜାମିିନ ଆବେଦନ
- ହଂସାରେ ୮ ଜଣଙ୍କ ଜୀବନ ଯାଇଥିଲା
ନୂଆଦିଲ୍ଲୀ: ଲଖୀମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଆଶିଷଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଭାବେ ୮ ସପ୍ତାହ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ୨୦୨୧ ଲଖୀମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ରହିଥିଲେ। ବିଚାରପତି ସୁର୍ଯ୍ୟକାନ୍ତ ଓ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ଜାନୁଆରୀ ୧୯ରେ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ସୁରକ୍ଷିତ ରଖିଥିଲେ।

୨୦୨୧ ଅକ୍ଟୋବର ୩ରେ ଲଖୀମପୁର ଖେରି ଜିଲ୍ଲାର ତିକୁନିଆରେ ୮ ଜଣଙ୍କ ମୃତ୍ୟୁ ପରେ ହିଂସା ବଢ଼ିଥିଲା। ଉତ୍ତର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରଶାଦ ମୌର୍ଯ୍ୟଙ୍କ ଗସ୍ତକୁ ଚାଷୀମାନେ ବିରୋଧ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ଏକ ଏସୟୁବି ୪ ଜଣ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ସେହି ଗାଡ଼ିରେ ଆଶିଷ ମିଶ୍ରା ବସିଥିଲେ। ଏହି ଘଟଣା ପରେ ଏସୟୁବି ଚାଳକ ଓ ଦୁଇ ବିଜେପି କର୍ମୀଙ୍କୁ କୃଷକମାନେ ପିଟି ମାରି ଦେଇଥିଲେ। ହିଂସାରେ ଜଣେ ସାମ୍ୱାଦିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଗତ ବର୍ଷ ଜୁଲାଇ ୨୬ରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଆଶିଷ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜାନୁଆରୀ ୧୯ରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଅପରାଧ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯିବା ଉଚିତ ନୁହେଁ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।