ନୂଆଦିଲ୍ଲୀ,୧୫/୦୫: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ପାଇଁ ଗଠିତ ଚୟନ କମିଟିରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯିବା ଏବଂ ଦେଶର ପ୍ରଧାନ ବିଚାରପତି(ସିଜେଆଇ)ଙ୍କୁ ଅନ୍ତର୍ଭୂକ୍ତ କରା ନ ଯିବା ଉପରେ ସୁପ୍ରିମକୋର୍ଟ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି । ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଜଣେ ମନ୍ତ୍ରୀ କେବେହେଲେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାଇପାରିବେନି ବୋଲି ଅଦାଲତ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି କମିଟିର ସରଞ୍ଚନା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏବେ ଏହି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି ।
ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ କହିଛନ୍ତି, ଏଭଳି ନିଯୁକ୍ତି ପ୍ରକ୍ରିୟାରେ ହେବାକୁ ଥିବା ନିଷ୍ପତ୍ତି ପ୍ରଭାବଶାଳୀ ଭାବେ ୨:୧ ଅନୁପାତରେ ବହୁମତ ପାଇବ । କାରଣ କ୍ୟାବିନେଟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାଇ ଭିନ୍ନ ଆଭିମୁଖ୍ୟ ରଖିବାର ସମ୍ଭାବନା କମ୍ । ତେଣୁ ସିଇସି ନିର୍ବାଚନରେ ସ୍ପଷ୍ଟତା ଏବଂ ସ୍ୱାଧୀନତା ରହିବ ବୋଲି କାହିଁକି ଦେଖାଣିଆ ପ୍ରୟାସ କରାଯାଉଛି । ଜଷ୍ଟିସ୍ ଦତ୍ତ କହିଛନ୍ତି, ଯଦି ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପ୍ରକ୍ରିୟାରେ ସିଜେଆଇ ସଦସ୍ୟ ରହିପାରିବେ ତେବେ ସିଇସି ଏବଂ ଅନ୍ୟ ଇସିଙ୍କ ନିଯୁକ୍ତି ପାଇଁ କାହିଁକି ଏକ ସ୍ୱାଧୀନ ପ୍ରକ୍ରିୟା ଅନୁସରଣ କରାଯାଇପାରିବନି । ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ପ୍ରତ୍ୟକ୍ଷ ଭାବେ ‘ଗଣତନ୍ତ୍ର ବଜାୟ ରଖିବା ଏବଂ ମୁକ୍ତ ତଥା ନିରପେକ୍ଷ ନିର୍ବାଚନ’ ସହ ଜଡ଼ିତ ।
ନିର୍ବାଚନ ସଂସ୍ଥାର ନିରପେକ୍ଷତା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ଗୁରୁତ୍ୱାରୋପ କରି ସୁପ୍ରିମକୋର୍ଟ କହିଛନ୍ତି, ଭାରତର ନିର୍ବାଚନ କମିଶନରଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ହେବା ଉଚିତ । ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟା ଲାଗି ଉଦ୍ଦିଷ୍ଟ କମିଟିରେ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବା ଅର୍ଥ ସେଥିରେ ବିରୋଧୀ ଦଳ ନେତା କେବଳ ନାମକୁ ମାତ୍ର ରହିବେ । ଏହା ଦ୍ୱାରା ସର୍ବଦା ୨:୧ ଅନୁପାତରେ ସରକାରଙ୍କ ପକ୍ଷରେ ନିଷ୍ପତ୍ତି ଯିବ । ଆମେ କହୁନୁ ଯେ ସିଜେଆଇଙ୍କୁ କମିଟିରେ ରଖାଯାଉ । କିନ୍ତୁ କମିଟିରେ ଜଣେ ସ୍ୱାଧୀନ ସଦସ୍ୟ କାହିଁକି ରହିବେନି । ଜଣେ ମନ୍ତ୍ରୀଙ୍କୁ କାହିଁକି ସେହି ସଦସ୍ୟ କରାଯିବ । ଯଦି ପ୍ରଧାନମନ୍ତ୍ରୀ ଜଣଙ୍କୁ ବାଛିବେ, ବିରୋଧୀ ଦଳ ନେତା ଆଉ ଜଣଙ୍କୁ ବାଛିବେ ତେବେ ତୃତୀୟ ସଦସ୍ୟ କ’ଣ ବିରୋଧୀ ଦଳର ନେତାଙ୍କ ସହ ଯିବେ?
ଅଧିକ ପଢ଼ନ୍ତୁ :- Petrol Diesel Price Hike: ମହଙ୍ଗା ମାଡ଼; ଲିଟର ପିଛା ୩ ଟଙ୍କା ବଢିଲା ପେଟ୍ରୋଲ-ଡିଜେଲ ଦର, ଚେକ୍ କରନ୍ତୁ ଦାମ୍
ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଥିଲେ ଯେ ସେ ଏ ନେଇ କୌଣସି ଅନୁମାନ କରିବାକୁ ଚାହାନ୍ତିନି । ବାସ୍ତବ କ୍ଷେତ୍ରରେ ଏହା ସବୁବେଳେ ହୋଇ ନ ପାରେ । ଏହା ଉପରେ ଜଷ୍ଟିସ୍ ଦତ୍ତ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ, ତାହା ହେଲେ କ’ଣ କାର୍ଯ୍ୟପାଳିକା ସବୁକିଛି ନିୟନ୍ତ୍ରଣ କରୁଛି? ସଂସଦ ଆଇନ ପ୍ରଣୟନ କରିପାରେ । କିନ୍ତୁ ସୁପ୍ରିମକୋର୍ଟ ହେଉଛନ୍ତି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣକାରୀ । ଆପଣଙ୍କୁ ଭଲ ଲାଗୁ କି ନ ଲାଗୁ, ଆଇନର ବ୍ୟାଖ୍ୟା କରିବାର କ୍ଷମତା ସୁପ୍ରିମକୋର୍ଟଙ୍କ ପାଖରେ ଅଛି ବୋଲି ଜଷ୍ଟିସ୍ ଦତ୍ତ କହିଛନ୍ତି ।