ବିଜୟ ବାବୁଙ୍କୁ ଆଶ୍ୱସ୍ତି, ଆଗୁଆ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୦୬/୦୭: ଦୁଷ୍କର୍ମ ମାମଲାରେ ସାଉଥ୍ ଅଭିନେତା ବିଜୟ ବାବୁଙ୍କୁ ଆଶ୍ୱସ୍ତି। ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ବୁଧବାର ଦିନ ସୁପ୍ରିମକୋର୍ଟ ବିଜୟ ବାବୁଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିଥିଲେ ଏବଂ ଏହି ସମୟ ମଧ୍ୟରେ କୋର୍ଟ ଏହି ଆଗୁଆ ଜାମିନରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏହା ସହିତ ଅଭିନେତାଙ୍କ ଉପରେ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି।
ଖବର ଅନୁଯାୟୀ, ବିଜୟଙ୍କୁ କେରଳ ହାଇକୋର୍ଟରୁ ମିଳିଥିବା ଆଗୁଆ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। କେରଳ ସରକାରଙ୍କ ଓକିଲ ମଧ୍ୟ ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଯେଉଁଥିପାଇଁ ଜୁଲାଇ ୬ ରେ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଶୁଣାଣିରେ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବାବେଳେ ବିଜୟ ବାବୁଙ୍କ ଜାମିନ ନାମଞ୍ଜୁର କରିବାକୁ କୋର୍ଟ ମନା କରି ଦେଇଛନ୍ତି। ତେବେ ବିଜୟ ବାବୁଙ୍କ ଉପରେ କୋର୍ଟ କିଛି ସର୍ତ୍ତ ମଧ୍ୟ ଲଗାଇଛନ୍ତି। ବିନା ଅନୁମତିରେ ବିଜୟ ବାବୁଙ୍କୁ ରାଜ୍ୟ ଛାଡିବାକୁ କୋର୍ଟ ବାରଣ କରିଛନ୍ତି। କୋର୍ଟ କହିଛନ୍ତି, ସେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା ଅଭିନେତ୍ରୀ କିମ୍ବା ଏହି ମାମଲା ସହ ଜଡିତ କୌଣସି ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯିବ ନାହିଁ।