ନୂଆଦିଲ୍ଲୀ,୨୫/୦୨; ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ ଓ ବିଶ୍ୱରେ ଟାରିଫ୍ ଡର ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଚାନକ ଭାବୁକ ହୋଇପଡ଼ିଛନ୍ତି । କହିଛନ୍ତି, ମୁଁ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବି ତାହା ଜାଣି ନାହିଁ । ମୁଁ ଅନେକ ଲୋକଙ୍କ ଟାର୍ଗେଟରେ ଅଛି ।’ ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ ଏହି ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନର ଦୁଇଦିନ ପୂର୍ବରୁ ତାଙ୍କ ରିସର୍ଟରେ ଏକ ଅନୁପ୍ରବେଶ ଘଟଣା ଘଟିଥିଲା । ଜଣେ ଆତତାୟୀ ଫ୍ଲୋରିଡାସ୍ଥିତ ଟ୍ରମ୍ପଙ୍କ ମାର୍ଏ-ଲାଗୋ ରିସର୍ଟରେ ପଶିବାକୁ ଉଦ୍ୟମ କରି ସୁରକ୍ଷା ଏଜେନ୍ସିଙ୍କ ଗୁଳି ଖାଇ ପ୍ରାଣ ହରାଇଥିଲା । ସେତେବେଳେ ଟ୍ରମ୍ପ୍ ୱାଶିଂଟନ ଡିସିରେ ଥିଲେ ।
ତେବେ ଆତତାୟୀ ଜଣକ କାହିଁକି ବନ୍ଧୁକ ଧରି ରିସର୍ଟରେ ପଶିବାକୁ ଉଦ୍ୟମ କରିଥିଲା, ଏଥିରେ କାହାର ହାତ ରହିଛି, ତାହା ଅଦ୍ୟାବଧି ସାମ୍ନାକୁ ଆସିନାହିଁ । ମୃତକ ଯୁବକର ବୟସ ପ୍ରାୟ ୨୦ ବର୍ଷ ଥିଲା । ନର୍ଥ କାରୋଲିନାରେ ତା’ର ଘର । ତା’ ପରିଚୟ ସାର୍ବଜନୀନ କରାଯାଇ ନାହିଁ । ମାମଲାର ତଦନ୍ତ ଜାରି ରହିଛି । ସିକ୍ରେଟ ସର୍ଭିସର ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରିସର୍ଟର ଉତ୍ତର ଫାଟକରୁ ଏକ କାର୍ ବାହାରକୁ ବାହାରୁଥିଲା ବେଳେ ଏହାର ସୁଯୋଗ ନେଇ ଜଣେ ଯୁବକ ଭିତରେ ପଶିବାକୁ ଉଦ୍ୟମ କରିଥିଲା । ତା’ ହାତରେ ବନ୍ଧୁକ ଓ ଫୁଏଲ୍ କ୍ୟାନ୍ ଥିଲା । ତାକୁ ଦୁଇଜଣ ଅଧିକାରୀ ରୋକି ତଲାସୀ କରିଥିଲେ । ସେ ବନ୍ଧୁକ ଦେବା ପରିବର୍ତ୍ତେ ଏହାକୁ ଚଳାଇବା ପାଇଁ ଉଦ୍ୟମ କରିଥିଲା । ସେ ଗୁଳି ଚଳାଇବା ପୂର୍ବରୁ ତାକୁ ନିପାତ କରାଯାଇଥିଲା । ଘଟଣାର କିଛିଦିନ ପୂର୍ବରୁ ଯୁବକ ଜଣକ ନିଖୋଜ ଥିବା ନେଇ ତା’ର ପରିବାର ଲୋକ ଅଭିଯୋଗ କରିଥିଲେ ।
ଏହା ବି ପଢନ୍ତୁ...ଶୁଳ୍କକୁ ଅବୈଧ ଘୋଷଣା ପରେ ରାଗରେ ଫଁ ଫଁ ଡୋନାଲ୍ଡ ଟ୍ରମ୍ପ, ଭାରତକୁ ଦେଲେ ଏମିତି ଚେତାବନୀ...
ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଏହା ପୂର୍ବରୁ ମଧ୍ୟ ତ୍ରୁଟି ଦେଖାଦେଇଥିଲା । ୨୦୨୪ ଜୁଲାଇ ୧୩ରେ ଟ୍ରମ୍ପଙ୍କ ଉପରକୁ ଏକ ନିର୍ବାଚନୀ ରାଲି ବେଳେ ଜଣେ ଆକ୍ରମଣକାରୀ ଗୁଳି ଚଳାଇଥିଲା । ସେତେବେଳେ ଟ୍ରମ୍ପ୍ ରାଷ୍ଟ୍ରପତି ନ ଥିଲେ । ତାଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନର ୪ ମାସ ପୂର୍ବରୁ ଏହି ଆକ୍ରମଣ ହୋଇଥିଲା । ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ଟ୍ରମ୍ପ୍ ଏଥିରେ ଆଦୌ ବିଚଳିତ ନ ହୋଇ ପୁଣି ରାଲି କରିଥିଲେ । ଶେଷରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।