ଅନୁଗୁଳ,୧୯/୦୮: ସୋମବାର ଚଢ଼ାଉ, ମଙ୍ଗଳବାର ଗିରଫ । ବନ୍ଧା ହେଲେ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବନ୍ଧିଛି ଭିଜିଲାନ୍ସ ଟିମ୍ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିବା ପରେ ସୋମବାର ଦୁର୍ନୀତି ନିବାରଣ ଟିମ୍ ଜଳସେନ ବିଭାଗର ଅଧିକ୍ଷୀଣ ଯନ୍ତ୍ରଙ୍କ ଠିକଣାରେ ରେଡ୍ କରିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ ।  

ଗତକାଲି ରେଡ୍ ବେଳେ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ନିକଟରୁ ୨.୩୩ ଲକ୍ଷ ଟଙ୍କାର ନଗଦ । ସୁନ୍ଦରଗଡ଼ରେ ତିନି ମହଲା ଘର ଯାହା ୪୨୦୦ ବର୍ଗଫୁଟ୍‌ରେ ଠିଆ ହୋଇଛି । ରାଉରକେଲା ଛେଣ୍ଡରେ ୩୫୦୦ ବର୍ଗଫୁଟରେ ରହିଛି ୨ ମହଲା କୋଠା, ଭୁବନେଶ୍ୱର ଘାଟିକିଆ ଅରୋଭିଲ୍ଲାରେ   ଗୋଟିଏ ୩ ଓ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ ୪୦୩   ଓ ୩୦୨), ଗଞ୍ଜାମ ପୁରୁଷୋତ୍ତମପୁରରେ ୨ଟି,  ସୁନ୍ଦରଗଡ଼ରେ ୧ଟି ଓ ରାଉରକେଲାରେ ୧ଟି ପ୍ଲଟ୍‌ ଠାବ ହୋଇଥିଲା । ତା'ଛଡ଼ା ବ୍ୟାଙ୍କ୍‌ ଓ ପୋଷ୍ଟାଲ୍‌ରେ ୫୧ ଲକ୍ଷ ୯୭ ହଜାର ଟଙ୍କାର ଜମା ରାଶି ଭିଜିଲାନ୍ସ ହାତରେ ଲାଗିଛି । ସେହିପରି ଖଣ୍ଡଗିରି ଘାଟିକିଆରେ ଥିବା ଆକ୍ସିସ୍‌ ବ୍ୟାଙ୍କ୍‌ରେ ଏକ ଲକର ମିଳିଛି । ଏହି ଲକର ସୁରେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ନାଁରେ କରିଛନ୍ତି । କେବଳ ଏତିକି ନୁହେଁ ୨ଟି ବାଇକ୍‌ ଓ ୧୭ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ଭିଜିଲାନ୍ସ ହାତରେ ଲାଗିଛି । 

ସୁନ୍ଦରଗଡ଼ରେ ଆଇଟିଡିଏ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଅବସ୍ଥାପିତ ଥିବା ସମୟରେ କଳା ଧନ ଠୁଳ ନେଇ ତାଙ୍କ ବିରୋଧରେ ଅନେକ ଅଭିଯୋଗେ ଆସିଥିଲା । କାମ ନ କରି ବିଲ୍‌ ଉଠାଇନେବା, ମିଛ ବିଲ୍‌   କରିବା, ଟେଣ୍ଡର ନ କରି କୋଟି କୋଟି ଟଙ୍କାର  କାମ ନିଜ ସମ୍ପର୍କୀୟଙ୍କୁ ଦେବା ଭଳି ଅଭିଯୋଗ ଥିଲା । ଅଭିଯୋଗକୁ ଯାଞ୍ଚ ପରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ସୁରେନ୍ଦ୍ର କଳା ଧନ ଠୁଳ କରିଛନ୍ତି । ତାଙ୍କ ଘରେ ଚଢ଼ଉ କରିବା ପାଇଁ  ଭିଜିଲାନ୍ସ ଅଧିକାରୀମାନେ ସୁନ୍ଦରଗଡ଼ ଭିଜିଲାନ୍ସ  କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ  ଅନୁମତି ମିଳିବା ପରେ ସୋମବାର ତାଙ୍କ ଘରେ  ଚଢ଼ଉ କରିଥିଲା ଭିଜିଲାନ୍ସ ।