କୋଣାର୍କ,୩୦/୧୨: କୋଣାର୍କରୁ ଚନ୍ଦ୍ରଭାଗା ଗଡିଲା ସୂର୍ଯ୍ୟ ରଥ।  ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ନାରାୟଣ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ ଦିନ ଯାତ୍ରାରେ ବାହାରିଛନ୍ତି। ଏକ ଆଧ୍ୟାତ୍ମିକ ପରିବେଶରେ ଘଣ୍ଟ, ଘଣ୍ଟା,ଶଙ୍ଖ, ହୁଳହୁଳି ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ମଠ ପରିସର।  

​​​​​​​

ତେବେ ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବଦଶମୀ ଓ ସୂର୍ଯ୍ୟ ନାରାୟଣଙ୍କ ରଥଯାତ୍ରାର ସ୍ବତନ୍ତ୍ରତା ରହିଛି। ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଦର୍ଶନ କରିଥିଲେ। କୋଣାର୍କ ଅବଧୂତ ମଠ ପରିସର ହୋଇ ଉଠିଥିଲା ଉତ୍ସବମୁଖର। ରଥରେ ମିତ୍ରାଦିତ୍ୟଙ୍କୁ ଦର୍ଶନ କଲେ ରୋଗ,ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୂର୍ନଜନ୍ମ ହୋଇନଥିବା ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି। ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଖେଚୁଡି, ପୋଡପିଠା ଭୋଗ ଓ ପୂଜାର୍ଚ୍ଚନା କରାଯାଇ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥିଲା। ରଥରେ ମଠ ମହନ୍ତ ଆଦିତ୍ୟ ଚରଣ ଦାଶ ଛେରା ପହଁରା କରିଥିଲେ। ପରେ ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନେଇଥିଲେ। ଚନ୍ଦ୍ରଭାଗା ତୀର୍ଥରେ ୨୭ଦିନ ଧରି ୨୭ ନକ୍ଷତ୍ରରେ ପୂଜାପାଠ ହେବ। ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ନାରାୟଣ ରଥରେ ଅବଧୂତ ମଠକୁ ବାହୁଡ଼ି ଆସିବେ। ଅର୍କକ୍ଷେତ୍ର ଗାୟତ୍ରୀ ପରିବାର, ସୌର ବ୍ରାହ୍ମଣ ପରିଷଦର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।