ବିଶ୍ବ କ୍ରିକେଟ୍ରେ ବିରଳ, ପ୍ରଥମ ବଲରେ କ୍ରମାଗତ ୩ ଥର ଆଉଟ ହେବାରେ ସୂର୍ଯ୍ୟକୁମାର ଯାଦବ ଏକମାତ୍ର ବ୍ୟାଟର୍

ଚେନ୍ନାଇ ୨୩/ ୦୩: ପ୍ରଥମ ମ୍ୟାଚ୍ରେ ୦, ଦ୍ବିତୀୟ ମ୍ୟାଚ୍ରେ ୦ ଆଉ ତୃତୀୟ ମ୍ୟାଚ୍ରେ ବି ୦ । ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୩ଟି ଯାକ ମ୍ୟାଚ୍ରେ ପ୍ରଥମ ବଲରେ ହିଁ ଆଉଟ୍ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ବିଶ୍ବର ଏକ ନମ୍ବର ବ୍ୟାଟର୍ଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି । ଆଉ ଏଭଳି ଅଲୋଡା ରେକର୍ଡ କରିବାରେ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଭାରତୀୟ ବ୍ୟାଟର୍ । କାରଣ ଏହା ପୂର୍ବରୁ କୌଣସି ଭାରତୀୟ ବ୍ୟାଟର୍ ପ୍ରଥମ ବଲରେ ୩ ଥର ଆଉଟ୍ ହୋଇନାହାନ୍ତି ।
ବୁଧବାର ଚେନ୍ନାଇରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ଭାରତକୁ ବିଜୟ ପାଇଁ ୨୭୦ ରନର ଆବଶ୍ୟକତା ଥିଲା । ପ୍ରଥମରୁ ଭଲ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ଓ୍ବିକେଟ୍ ପରେ ପୂରାପୂରି ଭାବେ ବ୍ୟାକଫୁଟ୍କୁ ଚାଲିଯାଇଥିଲା । ଆଉ ଶେଷରେ ୨୧ ରନରେ କଙ୍ଗାରୁ ଟିମ୍ ଠାରୁ ପରାଜିତ ହୋଇଥିଲା । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଛି ଅଷ୍ଟ୍ରେଲିଆ ।
Sky Got three hattricks of ducks🥚🟡😆#INDvAUS #SuryakumarYadav pic.twitter.com/mGqaBYuxuh
— Zainmehar (@zainmehar498091) March 22, 2023
ପ୍ରଥମ ଦିନିକିଆ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ମିଚେଲ୍ ଷ୍ଟାର୍କଙ୍କ ବଲରେ LBW ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହା ପରେ ବିଶାଖାପଟ୍ଟନମ୍ରେ ଖେଳାଯାଇଥିବା ୨ୟ ଦିନିକିଆରେ ମଧ୍ୟ ମିଚେଲ୍ ଷ୍ଟାର୍କ LBW କରିଥିଲେ । ଚେନ୍ନାଇରେ ଖେଳାଯାଇଥିବା ୩ୟ ମ୍ୟାଚରେ ଆଷ୍ଟନ ଆଗରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ ସ୍କାଏ ।
ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ଜାହିର ଖାନ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରାହ ଏବଂ ଅନିଲ କୁମ୍ବଲେ ଲଗାତାର ୩ ଥର ଶୂନରେ ଆଉଟ ହୋଇଥିଲେ । ସର୍ବାଧିକ ଥର ୦ରେ ଆଉଟ୍ ହୋଇଥିବା ବ୍ୟାଟରଙ୍କ ମଧ୍ୟରେ ରହିଛନ୍ତି ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା । ସେ ଲଗାତାର ୪ ଥର ୦ରେ ଆଉଟ ହୋଇଥିଲେ ।