ନୂଆଦିଲ୍ଲୀ, ୨୭/୦୩ : ଆଜି ପବିତ୍ର ରାମନବମୀ। ଅଯୋଧ୍ୟାରେ ରାମଲଲାଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଭଗବାନ ଶ୍ରୀରାମଙ୍କ ବାଲ ସ୍ଵରୂପ ରାମଲଲାଙ୍କ ସୂର୍ଯ୍ୟ ତିଲକ ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନ ୧୨ଟାରେ ଏହି ଦିବ୍ୟ ଭବ୍ୟ ନୀତି କରାଯିବ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟଙ୍କ କିରଣ ଗର୍ଭଗୃହରେ ରାମଲଲାଙ୍କ ମସ୍ତକ ଉପରେ ପ୍ରାୟ ଚାରି ମିନିଟ୍ ପାଇଁ ରହିବ। ଅଗଣିତ ଭକ୍ତ ଏହି ଦିବ୍ୟ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ। ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଅଯୋଧ୍ୟାକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।
ସଠିକ୍ ଭାବରେ ସୂର୍ଯ୍ୟ ତିଲକ କରିବା ପାଇଁ ଇଞ୍ଜିନିୟରମାନେ ବହୁଚେଷ୍ଟା କରୁଛନ୍ତି। ସୂର୍ଯ୍ୟଙ୍କ କିରଣ କିଭଳି ରାମଙ୍କ ମସ୍ତକ ଉପରେ ସଠିକ୍ ଜାଗାରେ ପଡ଼ିବ ସେଥିପାଇଁ ରାମ ନବମୀ ପୂର୍ବରୁ ଟ୍ରାୟାଲ୍ ରନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନିମନ୍ତ୍ରିତ ସଦସ୍ୟ ଗୋପାଳ ରାଓ କହିଛନ୍ତି ଯେ ଚୈତ୍ର ରାମ ନବମୀ ମେଳା ଆରମ୍ଭ ହୋଇସାରିଛି ଏବଂ ଗତ ଚାରି ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ପ୍ରତିଦିନ ୧,୦୦,୦୦୦ ରୁ ଅଧିକ ଭକ୍ତ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚୁଛନ୍ତି।
ସୂର୍ଯ୍ୟ ତିଲକ ସମାରୋହ ଅପରାହ୍ନ ଆରତୀ ସହିତ ସମ୍ପନ୍ନ ହେବ। ଦିନ ୧୨ଟାରେ, ସୂର୍ଯ୍ୟ ଦେବତା ଭଗବାନ ରାମଙ୍କୁ ଏକ ପ୍ରତୀକାତ୍ମକ ତିଳକ ଅର୍ପଣ କରିବେ। ପ୍ରଭୁ ରାମ ସୂର୍ଯ୍ୟବଂଶୀ ହୋଇଥିବାରୁ ଏହି ମୁହୂର୍ତ୍ତ ଅତ୍ୟନ୍ତ ସ୍ୱତନ୍ତ୍ର। ପ୍ରାୟ ଚାରି ମିନିଟ୍ ପାଇଁ କିରଣ ତାଙ୍କ କପାଳରେ ରହିବ। ଏହି ଦିବ୍ୟ ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି, ମନ୍ଦିର ବାହାରେ ଏବଂ ସହରର ବିଭିନ୍ନ ସ୍ଥାନରେ ବଡ଼ ସ୍କ୍ରିନ୍ ଲଗାଯାଇଛି। ଯାହା ଦ୍ୱାରା ଅଧିକରୁ ଅଧିକ ଭକ୍ତ ସୂର୍ଯ୍ୟ ତିଲକ ଦେଖିପାରିବେ। ତେବେ ମନ୍ଦିର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ପାଇଁ ଖୋଲା ରହିବ। ପ୍ରସାଦ ବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ନବମୀ ନୀତି, ଅପରାହ୍ନ ୫ରୁ ରାତି ୧୦ଟା ଯାଏ ଦର୍ଶନ ମନା