ନୂଆଦିଲ୍ଲୀ,୨୯/୦୯: ଅପରାଜେୟ, ଅପ୍ରତିନ୍ଦ୍ବନ୍ଦୀ । ଏସିଆ କପ ଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ୫ ୱିକେଟରେ ମାତ ଦେଇ ନବମ ଥର ଟ୍ରଫି ଜିତିଛି ଭାରତ । ଫ୍ୟାନ୍ସଙ୍କୁ ପାର୍ବଣ ଭେଟି ଦେଇଛି ସୂର୍ଯ୍ୟସେନା । ଏସିଆ କପ୍‌ ଚମ୍ପିୟାନ ହେବା ସହ ସମସ୍ତଙ୍କ ହୃଦୟ ଜିତିଛନ୍ତି କ୍ୟାପ୍ଟେନ୍ ସୂର୍ଯ୍ୟକୁମାର । ମହନତା ଦେଖାଇ ଏସିଆ କପ ମ୍ୟାଚ୍‌ ଫି'କୁ ଭାରତୀୟ ସେନାକୁ ସମର୍ପିତ କରିଛନ୍ତି । ପହଲ୍‌ଗାମ ଆତଙ୍କବାଦୀ ହମ୍‌ଲାରେ ନିହତ ପରିବାରକୁ ଦାନ କରିଛନ୍ତି ମ୍ୟାଚ ରାଶି ।

ପୁଣି ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି । ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି । ପାକିସ୍ତାନକୁ ଧୂଳି ଚଟାଇ ଏସିଆ କପ ଚାମ୍ପିଅନ ହେବା ପରେ କ୍ୟାପ୍ଟେନ ସୂର୍ଯ୍ୟକୁମାର ବଡ଼ ଘୋଷଣା କରିଛନ୍ତି । ମ୍ୟାଚ ପରେ ପ୍ରେସମିଟ୍‌ରେ ସେ କହିଛନ୍ତି, ମୁଁ ଏସିଆ କପ ମ୍ୟାଚ ଫି' ଭାରତୀୟ ସେନାଙ୍କୁ ସମର୍ପିତ କରିବାକୁ ଚାହୁଁଛି । ମୁଁ ବ୍ୟକ୍ତିଗତ ଭାବେ ଏହି ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚର ଫି' ଭାରତୀୟ ସେନାକୁ ଦେବି । ଆମେ ଏକ ଟିମ୍ ହିସାବରେ ମୋହସିନ ନକଭିଙ୍କଠୁ ଟ୍ରଫି ନନେବାକୁ ନିଷ୍ପତ୍ତି ନେଇଥିଲୁ । ଆମକୁ କେହି କହିନଥିଲେ । ହେଲେ ମୋତେ ଲାଗୁଛି ଯେଉଁ ଟିମ୍ ଟୁର୍ଣ୍ଣାମେଣ୍ଟ ଜିତେ ସେ ଟ୍ରଫିର ହକଦାର ।''\

​​​​​​​ଏସିଆ କପ୍‌ର ଚଳିତ ସଂସ୍କରଣ ବାଦ ବିବାଦ ମଧ୍ୟରେ ଶେଷ ହୋଇଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟ୍‌ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ ଭାରତ ନବମ ଥର ଏସିଆ କପ୍‌ ଚାମ୍ପିଅନ୍‌ ହୋଇଛି । ପୂର୍ବରୁ ଭାରତ ୧୯୮୪, ୧୯୮୮, ୧୯୯୦–୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା ।