ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ଅପହରଣ ଓ ଧର୍ମ ପରିବର୍ତ୍ତନ ଘଟଣା, ରିପୋର୍ଟ ମାଗିଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ,୨୪।୩: ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇ ହିନ୍ଦୁ ଭଉଣୀଙ୍କୁ ଅପହରଣ କରି ତାଙ୍କ ଧର୍ମ ପରିବର୍ତ୍ତନ କରିବା ଘଟଣାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନରଙ୍କୁ ରିପୋର୍ଟ ମାଗିଛନ୍ତି । ହୋଲିର ପୂର୍ବ ସନ୍ଧ୍ୟାରେ ହିନ୍ଦୁ ପରିବାରର ଦୁଇ ନାବାଳିକଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରିବା ସହ ତାଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଭାରତରେ କଡା ବିରୋଧ ହୋଇଥିଲା। ଏବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆକ୍ସନରେ ଆସିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତଦନ୍ତ ନିର୍ଦେଶ ଦେଇଛନ୍ତି।
I have asked Indian High Commissioner in Pakistan to send a report on this. @IndiainPakistan
— Chowkidar Sushma Swaraj (@SushmaSwaraj) March 24, 2019
Two Hindu girls abducted on Holi eve in Pakistan's Sindh https://t.co/r4bTBSoy9d via @TOIWorld
ଆଜି ସୁଷମା ସ୍ୱରାଜ ମିଡିଆର ଏକ ରିପୋର୍ଟକୁ ଟ୍ୱିଟ କରି ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନରଙ୍କୁ ଘଟଣା ଉପରେ ରିପୋର୍ଟ ମାଗିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ମୁଁ ଏହି ଘଟଣା ଉପରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ମାଗିଛି ।’ ଏହାର ତୁରନ୍ତ ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧରି ଟ୍ବିଟ କରି ଲେଖିଛନ୍ତି ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହିନ୍ଦୁ ଝିଅଙ୍କ ସହ ହୋଇଥିବା ଏଭଳି ଳଜ୍ବ୍ୟାଜନକ ଘଟଣାର ତଦନ୍ତ କରିବା ନେଇ ନିର୍ଦେଶ ଦେଇଛନ୍ତି। ଇମ୍ରାନ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଏହି ମାମଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଳ୍ପସଂଖ୍ୟକଙ୍କୁ ସମାନତା ଅଧିକାର ଦେବାର ଦାବି କରୁଛନ୍ତି ଅନ୍ୟପଟେ ସିନ୍ଧ ପ୍ରଦେଶରେ ହୋଲି ଦିନ ହୋଇଥିବା ଘଟଣା ନୂଆ ପାକିସ୍ତାନର ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ଏହି ଘଟଣା ପ୍ରକାଶିତ ହେବା ପରେ ଏବେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ପୀଡ଼ିତା ନାବାଳିକାଙ୍କ ବାପା କାନ୍ଦୁଥିବା ବେଳର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଲ୍ଳେଖନୀୟ ଯେ ସେଠାର ସରକାରୀ ସୂଚନା ଅନୁସାରେ ପାକିସ୍ତାନରେ ୭୫ଲକ୍ଷ ହିନ୍ଦୁ ରୁହନ୍ତି, କିନ୍ତୁ ସମୁଦାୟ ଅନୁସାରେ ପାକିସ୍ତାନରେ ୯୦ ଲକ୍ଷରୁ ଅଧିକ ହିନ୍ଦୁ ରୁହନ୍ତି। ଅଧିକାଂଶ ହିନ୍ଦୁ ସିନ୍ଧ ପ୍ରଦେଶରେ ରହିଥାନ୍ତି। ତେବେ ପାକିସ୍ତାନରେ ଥିବା ହିନ୍ଦୁଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି।