ମନମୁଣ୍ଡା,୧୩/୮ : ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି ବୌଦ୍ଧ ଜିଲ୍ଲା ନିବାସୀ ମନମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ସ୍ୱର୍ଣ୍ଣପ୍ରଭା ମହାପାତ୍ର ତଥା ବହିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତଲାଲ ମିଶ୍ରଙ୍କ ପୁଅ ସ୍ଵପ୍ନଜିତ ମିଶ୍ର । ସ୍ୱପ୍ନଜିତ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ବାଙ୍ଗାଲୋରଠାରେ ଅନୁଷ୍ଠିତ କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ୧୯ବର୍ଷରୁ କମ୍ ସନ୍ତରଣ ବଟରଫ୍ଲ।ୟ ଇଭେଣ୍ଟରେ ସ୍ୱପ୍ନଜିତ୍ ରୌପ୍ୟ ପଦକ ହାସଲ କରିଛନ୍ତି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରୁ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ କୌଣସି ପଦକ ହାସଲ କରିବାରେ ସ୍ଵପ୍ନଜିତ ପ୍ରଥମ ବ୍ୟକ୍ତି ବୋଲି ଜାଣିବାକୁ ମିଳିଛି।
କୋଚ୍ ସଞ୍ଜୟ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ପ୍ରଶିକ୍ଷଣ ନେଉଥିଲେ। ପ୍ରତିଦିନ ବିଦ୍ୟାଳୟରୁ ଆସି ଅପରାହ୍ନରେ ପ୍ରଶିକ୍ଷଣ ପାଇଁ ସେ ଯାଇଥାନ୍ତି। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏସଜିଏଫଆଇ ସନ୍ତରଣମିଟ୍ ପାଇଁ ସେ ମନୋନୀତ ହୋଇଥିବାରୁ ପାଠ ପଢା ସହ ସନ୍ତରଣକୁ ମଧ୍ୟ ପ୍ରାଧାନ୍ୟ ଦେଇ ନିଜକୁ ଆହୁରି ଅଧିକ ଭାବେ ପ୍ରସ୍ତୁତ ଚଳାଇଥିବା ଜାଣିବାକୁ ମିଳିଛି। କୋଚଙ୍କ ସମେତ ମା ସ୍ୱର୍ଣପ୍ରଭା ମହାପାତ୍ର ଓ ବାପା ଅଜିତଲାଲ ମିଶ୍ରଙ୍କ ଉତ୍ସାହ ପ୍ରଦାନ ଓ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକଙ୍କ ସହଯୋଗ ଓ ଆଶୀର୍ବାଦ ସଫଳତାର ଚାବି କାଠି ବୋଲି ସ୍ଵପ୍ନଜିତ କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅନେକ କ୍ରୀଡାବିତ, ବୁଦ୍ଧିଜୀବି ଓ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।