ପୁରୀ,୦୯/୦୫: ସ୍ୱର୍ଗଦ୍ୱାରକୁ କାଠ ବୋଝ । ଏଠାରେ ଦାହ ସଂସ୍କାର କରିବାକୁ ଶବ ସଂଖ୍ୟା ବଢ଼ିବା ସହ ଏହାର ପ୍ରଭାବ କାଠ ବ୍ୟବହାର ଉପରେ ପଡ଼ିଛି । ଏଥିନିମନ୍ତେ ଜଙ୍ଗଲ କାଟି ବନ ବିଭାଗକୁ କାଠ ଯୋଗାଇବାକୁ ପଡ଼ୁଛି । ସ୍ୱର୍ଗଦ୍ୱାରରେ ପ୍ରଦୂଷଣ ବଢ଼ି ଚାଲିଛି । ସେପଟେ ସ୍ୱର୍ଗଦ୍ୱାରରେ କାଠ ଯୋଗାଉଥିବା ଓଏଫ୍‌ଡିସି ମୃତକଙ୍କ ପରିବାରଙ୍କଠାରୁ କାଠ କିଣିବା ନିମନ୍ତେ ମନଇଛା ଦର ନେଉଥିବା ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ସ୍ୱର୍ଗଦ୍ୱାରକୁ ଆବଶ୍ୟକତା ମୁତାବକ କାଠ ଯୋଗାଇ ହେଉଥିବା ବେଳେ ଶ୍ରୀମନ୍ଦିର ରୋଷଘରକୁ କାହିଁକି ଆବଶ୍ୟକ ଝାଉଁ କାଠ ଦିଆଯାଉନାହିଁ ବୋଲି ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ସୁଆର ସେବକମାନେ ଅଧିକାରୀଙ୍କୁ ପ୍ରଶ୍ନ କରି ସମସ୍ୟାର ସମାଧାନ ଲୋଡ଼ିଥିଲେ । ସେହିପରି କାଠର ବିକଳ୍ପ ବ୍ୟବହାର କରି ଗଛର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ଅନେକ ବୁଦ୍ଧିଜୀବୀ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଏବେ ଦୈନିକ ପ୍ରାୟ ୬୦ରୁ ୭୦ଟି ଶବ ସ୍ୱର୍ଗଦ୍ୱାରକୁ ଦାହସଂସ୍କାର ନିମନ୍ତେ ଆସୁଛି । ଆଉ ମାସକ ପରେ ଆଷାଢ଼ ମାସ ଆରମ୍ଭ ହେବା ସହ ସ୍ୱର୍ଗଦ୍ୱାରରେ ଶବ ପହଞ୍ଚିବା ଦୁଇ ଗୁଣ ହେବ । ଗାଁ ଶ୍ମଶାନରେ ପାଣି ପଶିଯିବା ଓ ଶୁଖିଲା କାଠ ନ ମିଳିବା ପ୍ରଭୃତି ଅନେକ ଅସୁବିଧା ପାଇଁ ଲୋକେ ସ୍ୱର୍ଗଦ୍ୱାରରେ ସମସ୍ତ ସୁବିଧା ମିଳୁଥିବା ଜାଣି ଧାଡ଼ି ବାନ୍ଧିବେ । ଏହାଛଡ଼ା ଏଠାରେ ଶବ ସଂସ୍କାର କଲେ ମୃତକଙ୍କୁ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଶବ ବଢ଼ିଲେ କାଠର ଆବଶ୍ୟକତା ମଧ୍ୟ ବଢ଼ିବ ।

ସାମାଜିକ କର୍ମୀ ଚନ୍ଦ୍ରଶେଖର ମିଶ୍ର କହିଥିଲେ, ସ୍ୱର୍ଗଦ୍ୱାରରେ ଅନେକ ସମୟରେ ଶବ ସଂସ୍କାର କରିବାକୁ ଯିବା ବେଳେ କାଠ ଗୋଲାରେ ଅଧିକ ଦର ନିଆଯାଉଛି । ହରିଶ୍ଚନ୍ଦ୍ର ଯୋଜନାରେ ମଂଜୁର କାଠ ଦର ଅପେକ୍ଷା ୨୦୦ରୁ ୩୦୦ ଟଙ୍କା କ୍ୱିଣ୍ଟାଲ ପିଛା ନିଆଯାଉଛି (କ୍ୱିଣ୍ଟାଲ ପିଛା ୧୨ଶହରୁ ୧୩ଶହ ଟଙ୍କା) । ସେହିପରି ସନ୍ଧ୍ୟାରେ ଶବ ସଂଖ୍ୟା ବଢ଼ୁଥିବାରୁ ଅପେକ୍ଷା କଷ୍ଟ ବଢ଼ୁଛି । ଅଧିକ କାଠ ବ୍ୟବହାର ଯୋଗୁଁ ଜଙ୍ଗଲ ଅଧିକ ନଷ୍ଟ ହେଉଛି । ସ୍ୱର୍ଗଦ୍ୱାରରେ ଧୂଆଁ ବଢ଼ିବା ପ୍ରଦୂଷଣ ବୃଦ୍ଧିର କାରଣ ହୋଇଛି । ଏନ୍ଜିଟି ଦେଇଥିବା ନିର୍ଦ୍ଦେଶକୁ ପ୍ରଶାସନ ଏଠାରେ କାର୍ଯ୍ୟକ୍ଷମ କରୁନି । ୭ ବର୍ଷ ପୂର୍ବେ ଏଠାକୁ ସର୍ବାଧିକ ୪୦ରୁ ୫୦ ଶବ ସଂସ୍କାର ନିମନ୍ତେ ଆସୁଥିଲେ । ଏବେ ବର୍ଷା ଓ ଶୀତଦିନେ ଶବ ସଂଖ୍ୟା ୧୫୦ରୁ ୧୭୦ ହୋଇଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କମ୍ କାଠରେ ପାରମ୍ପରିକ ଶବ ସଂସ୍କାର ବ୍ୟବସ୍ଥା କରାଯିବା ଆବଶ୍ୟକ । ସ୍ୱର୍ଗଦ୍ୱାରରେ ଉତ୍ତମ ପରିଚାଳନା ନିମନ୍ତେ ପ୍ରଶାସନ ଗୁରୁତ୍ୱ ଦେଉନି । ଏହାର ଗଭର୍ଣ୍ଣିଂ କମିଟି ବୈଠକ ପ୍ରାୟ ୬ ମାସରୁ ଉଦ୍ଧ୍ୱର୍ ହେବ ବସିନି । ପ୍ରତି ୩ ମାସରେ ଥରେ ବୈଠକ ବସି ସମସ୍ୟାର ସମୀକ୍ଷା କରାଯାଇ ଉଚିତ୍ ପଦକ୍ଷେପ ନିଆଯିବା କଥା । ସ୍ୱର୍ଗଦ୍ୱାର ସେବା କମିଟି ଏଠାର ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ଜିଲ୍ଲାପାଳ କମିଟିର ମୁଖ୍ୟ । ତେଣୁ ସମସ୍ୟାର ସମାଧାନ କରିବାକୁ ତାଙ୍କୁ ନିବେଦନ ହୋଇଛି । ଦେଢ଼ ବର୍ଷ ହେବ କମ୍ କାଠରେ ଶବ ସଂସ୍କାର କରିବା ନିମନ୍ତେ ବିକଳ୍ପ ଶବ ସଂସ୍କାର ଚୁଲା ଆଣିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ହେଲେ ଅଦ୍ୟାବଧି ପ୍ରଶାସନ ଏହା ଉପରେ ଉଚିତ୍ ପଦକ୍ଷେପ ନେଉନି ।

ଅଧିକ ପଢ଼ନ୍ତୁ :- ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ: ଆଜି ରଥର ଚକ-ଅଖ ଡେରା ନୀତି, ସାଢ଼େ ୯ଟାରେ ଆଜ୍ଞାମାଳ ବିଜେ

ସାଧାରଣତଃ ଗୋଟିଏ ଶବ ପୋଡ଼ିବା ନିମନ୍ତେ ଦେଢ଼ କ୍ୱିଣ୍ଟାଲରୁ ଅଧିକ କାଠ ଆବଶ୍ୟକ ପଡ଼ୁଥିବା ବେଳେ ସ୍ୱତନ୍ତ୍ର କାଠ ଚୁଲାରେ ଶବ ସଂସ୍କାର କଲେ ୮୦ କେଜି କାଠରେ ତାହା ହୋଇପାରିବ । ଏହାଛଡ଼ା ଅଙ୍ଗାର ମଧ୍ୟ ଖୁବ୍ କମ୍ ପରିମାଣର (ମାତ୍ର ଗୋଟିଏ କରେଇ) ବାହାରିବ । ସ୍ୱର୍ଗଦ୍ୱାରରେ ଗଦା ହେଉଥିବା କୋକେଇର ବାଉଁଶ ନଷ୍ଟ କରିବା ସମସ୍ୟା ମଧ୍ୟ ସମାଧାନ ହୋଇପାରିବ । ପ୍ରତି ଶବ ଦାହ ନିମନ୍ତେ ଅଢ଼େଇ ଘଣ୍ଟା ସ୍ଥାନରେ ମାତ୍ର ୪୫ ମିନିଟ୍ରେ କାମ ଶେଷ ହୋଇପାରିବ । ଦୈନିକ ପ୍ରାୟ ୭୦ ପ୍ରତିଶତ ଶବ ସଂସ୍କାର ନିମନ୍ତେ ଏଠାରେ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ନିଆଯାଉଛି । ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିମାନେ ମଧ୍ୟ ଏହି ସୁବିଧା ନେଉଛନ୍ତି । ଏଠାରେ ଶୌଚାଳୟ, ପାନୀୟ ଜଳ, ପରିମଳ, ପାର୍କିଂ ପ୍ରଭୃତି ବ୍ୟବସ୍ଥା ବିଗିଡ଼ି ପଡ଼ିଛି । ଶବ ଦାହ ନିମନ୍ତେ ଶୋଷଣ ହେଉଛି । ଭିଡ଼ ସମୟରେ ସମସ୍ୟା ଦୁଇଗୁଣିତ ହେଉଛି । ତେଣୁ ଏସବୁର ସମାଧାନ ନିମନ୍ତେ ପ୍ରଶାସନିକ ତତ୍ପରତା ଦେଖାଇବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସେପଟେ ରଥ ସମନ୍ୱୟ ବୈଠକରେ ଉଦ୍ବେଗ ପ୍ରକାଶ ପରେ କାଠ ସମସ୍ୟା ଓ ପ୍ରଦୂଷଣ ଜନିତ ପ୍ରଭୃତି ସମାଧାନ ନିମନ୍ତେ ବିକଳ୍ପ କାଠଚୁଲା ୨ଟି ଏଠାରେ ସ୍ଥାପନ ହେବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଥିଲେ।