ଭୁବନେଶ୍ୱର,୨୪/୦୭: ଯାହା ଆଶଙ୍କା କରାଯାଉଥିଲା, ସତ ହେଲା । ‘ଡାର୍କୱେବ୍’ରୁ ମିଳୁଛି ବ୍ରାଉନ୍ସୁଗର୍ । ଅର୍ଡର କଲେ, ବିଦେଶରୁ ସିଧା ଘର ଯାଏଁ ଡ୍ରଗ୍ସ ପାର୍ସଲ୍ ପହଞ୍ଚି ଯାଉଛି । ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଚଣ୍ଡିଗଡ଼ ଭଳି ସହରରେ ଚାଲିଥିବା ଏହି ସିଣ୍ଡିକେଟ୍ର ଚେର ଭୁବନେଶ୍ୱରକୁ ଛୁଇଁଛି । ୟୁରୋପରୁ ଡାର୍କୱେବ୍ରେ ସିନ୍ଥେଟିକ୍ ନିଶା ଏଲ୍ଏସ୍ଡି (ଲାଏସର୍ଜିକ ଏସିଡ୍ ଡାଇ-ଇଥାଇଲଆମାଇଡ୍) ଅର୍ଡର କରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ରକୁ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗିରଫ କରିଛି । ଗିରଫ ଛାତ୍ର ଆର୍ଯ୍ୟମାନ ପଟ୍ଟନାୟକ (୨୩) । ସେ ମୈତ୍ରୀବିହାର ଏଲ୍ଆଇସି କଲୋନୀରେ ରହୁଛି । ତା’ ହେପାଜତରୁ ୧୫ରୁ ଅଧିକ ଏଲ୍ଏସ୍ଡି ଟାବଲେଟ୍ ଜବତ କରାଯାଇଛି । ସମ୍ପୃକ୍ତ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏଭଳି ନିଷିଦ୍ଧ ନିଶାଦ୍ରବ୍ୟ ଚାଲାଣ ଓଡି଼ଶା ଇତିହାସରେ ପ୍ରଥମ ବୋଲି ଏନ୍ସିବି ସୂଚାଇଛି ।
ଏନ୍ସିବିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଉକ୍ତ ନିଷିଦ୍ଧ ଡ୍ରଗ୍ସକୁ ଆର୍ଯ୍ୟମାନ ୟୁରୋପରୁ ଡାର୍କୱେବ ଜରିଆରେ ମଗାଇଥିଲା। ଏହି ପାର୍ସଲରେ ୧୫ରୁ ୧୬ଟି ଏଲ୍ଏସ୍ଡି ଆର୍ଯ୍ୟମାନଙ୍କ ଘରେ ପହଞ୍ଚିଥିଲା । ଉକ୍ତ ନିଶାଦ୍ରବ୍ୟ ପାର୍ସଲଟି ଏକ ଜାହାଜ ଯୋଗେ ଓଡ଼ିଶା ଆସିଥିଲା । କଷ୍ଟମ ଅଧିକାରୀମାନେ ପାରାଦୀପ ବନ୍ଦରରେ କାର୍ଗୋ ଡିପୋ ଯାଞ୍ଚ କରିବା ବେଳେ ଏହି ପାର୍ସଲରେ ଡ୍ରଗ୍ସ ଥିବା ଜଣାପଡିଥିଲା । କଷ୍ଟମ ଅଧିକାରୀଙ୍କଠାରୁ ଏନ୍ସିବି ଏହି ଖବର ପାଇବା ପରେ ଅର୍ଡର କରିଥିବା ବ୍ୟକ୍ତିକୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆର୍ଯ୍ୟମାନ ରହୁଥିବା ମୈତ୍ରୀବିହାରରେ ଏହି ନିଶାଦ୍ରବ୍ୟ ପହଞ୍ଚିବା ପରେ ଏନ୍ସିବିର ଅଧିକାରୀମାନେ ତାକୁ କାବୁ କରିଥିଲେ । ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୧୫୦୦ରୁ ୧୬୦୦ ଡଲାର ହେବ ଯାହାକି, ଭାରତୀୟ ମୁଦ୍ରାରେ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ବୋଲି ଏନ୍ସିବି ସୂଚାଇଛି ।
ଭୁବନେଶ୍ୱର ବାସିନ୍ଦା ଆର୍ଯ୍ୟମାନ ଦିଲ୍ଲୀ ନୋଏଡାରେ ଏକ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ ପାସ୍ କରିଥିଲା । ଇଞ୍ଜିନିୟରିଂ ସରିବା ପରେ ସେ ଭୁବନେଶ୍ୱରରେ ଆସି ଭଡ଼ାରେ ରହୁଥିଲା । ନୋଏଡାର କଲେଜରେ ଥିବା ବେଳେ ସାଙ୍ଗମାନଙ୍କ ସହ ମିଶି ନିଶାଦ୍ରବ୍ୟ ଖାଇବା ଶିଖିଥିଲା । ଧୀରେ ଧୀରେ ଏହି ସିଣ୍ଡିକେଟ୍ର ସଦସ୍ୟ ପାଲଟି ଡାର୍କୱେବ୍ରୁ ନିଶାଦ୍ରବ୍ୟ ମଗାଇବା ତରିକା ଶିଖିଥିଲା । ସେ ଏହି ସିକ୍ରେଟ୍ ୱେବ୍ ଜରିଆରେ କେବେଠୁ ଡ୍ରଗ୍ସ ମଗାଉଥିଲେ? କେବଳ ନିଶାଦ୍ରବ୍ୟ ମଗାଇଥିଲେ ନା, ଆଉ କିଛି ମାରାତ୍ମକ ଅସ୍ତ୍ରଶସ୍ତ୍ର ଅର୍ଡର କରିଥିଲେ? ସେ ନେଇ ତଦନ୍ତ ଚାଲିଛି ।
ଅଧିକାଂଶ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ଶ୍ରେଣୀୟ ନିଶାଡି଼ ହିଁ ଡାର୍କୱେବ୍ ଭଳି ସିକ୍ରେଟ୍ ୱେବ୍ସାଇଟ୍କୁ ଅସ୍ତ୍ର କରିଥାନ୍ତି । ଏହି ଡାର୍କୱେବ୍ ଜରିଆରେ ନିଶାଦ୍ରବ୍ୟ ମଗାଇଲେ ପୁଲିସ ଦ୍ୱାରା ଧରାପଡି଼ବାର ଆଶଙ୍କା କମ୍ ରହୁଥିବାରୁ ହାଇପ୍ରୋଫାଇଲ ନିଶାଡି଼ମାନଙ୍କ ପ୍ରଥମ ପସନ୍ଦ ପାଲଟିଛି ଡାର୍କୱେବ୍ । କେବଳ ଆର୍ଯ୍ୟମାନ ନା ରାଜଧାନୀର ଅନ୍ୟ ନିଶାଡି଼ ଡାର୍କୱେବ୍ ଜରିଆରେ ଡ୍ରଗ୍ସ ମଗାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଏ ନେଇ ଖବର ପ୍ରକାଶିତ ହୋଇଥିବା ସତ୍ତେ୍ୱ ପୁଲିସ ଆଦୌ ଧ୍ୟାନ ଦେଇନାହିଁ।