ଭୁବନେଶ୍ୱର,୨୪/୦୭:  ଯାହା ଆଶଙ୍କା କରାଯାଉଥିଲା,  ସତ ହେଲା । ‘ଡାର୍କୱେବ୍‌’ରୁ  ମିଳୁଛି ବ୍ରାଉନ୍‌ସୁଗର୍‌ । ଅର୍ଡର  କଲେ, ବିଦେଶରୁ ସିଧା ଘର  ଯାଏଁ ଡ୍ରଗ୍ସ ପାର୍ସଲ୍‌ ପହଞ୍ଚି  ଯାଉଛି । ହାଇଦ୍ରାବାଦ, ବେଙ୍ଗାଲୁରୁ  ଓ ଚଣ୍ଡିଗଡ଼ ଭଳି ସହରରେ  ଚାଲିଥିବା ଏହି ସିଣ୍ଡିକେଟ୍‌ର ଚେର ଭୁବନେଶ୍ୱରକୁ ଛୁଇଁଛି । ୟୁରୋପରୁ  ଡାର୍କୱେବ୍‌ରେ ସିନ୍ଥେଟିକ୍‌ ନିଶା  ଏଲ୍‌ଏସ୍‌ଡି (ଲାଏସର୍ଜିକ ଏସିଡ୍‌  ଡାଇ-ଇଥାଇଲଆମାଇଡ୍‌) ଅର୍ଡର କରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ରକୁ  ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ  (ଏନ୍‌ସିବି) ଗିରଫ କରିଛି । ଗିରଫ ଛାତ୍ର ଆର୍ଯ୍ୟମାନ  ପଟ୍ଟନାୟକ (୨୩) । ସେ ମୈତ୍ରୀବିହାର  ଏଲ୍‌ଆଇସି କଲୋନୀରେ ରହୁଛି ।  ତା’ ହେପାଜତରୁ ୧୫ରୁ ଅଧିକ  ଏଲ୍‌ଏସ୍‌ଡି ଟାବଲେଟ୍‌ ଜବତ  କରାଯାଇଛି । ସମ୍ପୃକ୍ତ ଛାତ୍ରକୁ ଗିରଫ  କରି କୋର୍ଟ ଚାଲାଣ କରାଯାଇଛି ।  ଜାମିନ ନାମଞ୍ଜୁର ହେବାରୁ ବିଚାର  ବିଭାଗୀୟ ହାଜତକୁ ପଠାଇ  ଦିଆଯାଇଛି । ଏଭଳି ନିଷିଦ୍ଧ ନିଶାଦ୍ରବ୍ୟ  ଚାଲାଣ ଓଡି଼ଶା ଇତିହାସରେ ପ୍ରଥମ  ବୋଲି ଏନ୍‌ସିବି ସୂଚାଇଛି । 

ଏନ୍‌ସିବିର ଜଣେ ବରିଷ୍ଠ  ଅଧିକାରୀଙ୍କ କହିବା ମୁତାବକ,  ଉକ୍ତ ନିଷିଦ୍ଧ ଡ୍ରଗ୍ସକୁ ଆର୍ଯ୍ୟମାନ  ୟୁରୋପରୁ ଡାର୍କୱେବ ଜରିଆରେ  ମଗାଇଥିଲା। ଏହି ପାର୍ସଲରେ ୧୫ରୁ  ୧୬ଟି ଏଲ୍‌ଏସ୍‌ଡି ଆର୍ଯ୍ୟମାନଙ୍କ  ଘରେ ପହଞ୍ଚିଥିଲା । ଉକ୍ତ ନିଶାଦ୍ରବ୍ୟ  ପାର୍ସଲଟି ଏକ ଜାହାଜ ଯୋଗେ ଓଡ଼ିଶା ଆସିଥିଲା । କଷ୍ଟମ ଅଧିକାରୀମାନେ  ପାରାଦୀପ ବନ୍ଦରରେ କାର୍ଗୋ ଡିପୋ ଯାଞ୍ଚ କରିବା ବେଳେ ଏହି ପାର୍ସଲରେ ଡ୍ରଗ୍ସ  ଥିବା ଜଣାପଡିଥିଲା । କଷ୍ଟମ ଅଧିକାରୀଙ୍କଠାରୁ ଏନ୍‌ସିବି  ଏହି ଖବର ପାଇବା ପରେ ଅର୍ଡର କରିଥିବା ବ୍ୟକ୍ତିକୁ  ଧରିବା ପାଇଁ ଜାଲ ବିଛାଇଥିଲେ। ଆର୍ଯ୍ୟମାନ ରହୁଥିବା  ମୈତ୍ରୀବିହାରରେ ଏହି ନିଶାଦ୍ରବ୍ୟ ପହଞ୍ଚିବା ପରେ  ଏନ୍‌ସିବିର ଅଧିକାରୀମାନେ ତାକୁ କାବୁ କରିଥିଲେ ।  ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୧୫୦୦ରୁ  ୧୬୦୦ ଡଲାର ହେବ ଯାହାକି, ଭାରତୀୟ ମୁଦ୍ରାରେ  ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ବୋଲି ଏନ୍‌ସିବି ସୂଚାଇଛି ।   

ଭୁବନେଶ୍ୱର ବାସିନ୍ଦା ଆର୍ଯ୍ୟମାନ ଦିଲ୍ଲୀ  ନୋଏଡାରେ ଏକ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ  ପାସ୍‌ କରିଥିଲା । ଇଞ୍ଜିନିୟରିଂ ସରିବା ପରେ ସେ ଭୁବନେଶ୍ୱରରେ ଆସି ଭଡ଼ାରେ ରହୁଥିଲା । ନୋଏଡାର  କଲେଜରେ ଥିବା ବେଳେ ସାଙ୍ଗମାନଙ୍କ ସହ ମିଶି  ନିଶାଦ୍ରବ୍ୟ ଖାଇବା ଶିଖିଥିଲା । ଧୀରେ ଧୀରେ ଏହି  ସିଣ୍ଡିକେଟ୍‌ର ସଦସ୍ୟ ପାଲଟି ଡାର୍କୱେବ୍‌ରୁ ନିଶାଦ୍ରବ୍ୟ  ମଗାଇବା ତରିକା ଶିଖିଥିଲା । ସେ ଏହି ସିକ୍ରେଟ୍‌ ୱେବ୍‌ ଜରିଆରେ କେବେଠୁ ଡ୍ରଗ୍ସ ମଗାଉଥିଲେ? କେବଳ  ନିଶାଦ୍ରବ୍ୟ ମଗାଇଥିଲେ ନା, ଆଉ କିଛି ମାରାତ୍ମକ  ଅସ୍ତ୍ରଶସ୍ତ୍ର ଅର୍ଡର କରିଥିଲେ? ସେ ନେଇ ତଦନ୍ତ ଚାଲିଛି ।   

ଅଧିକାଂଶ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ଶ୍ରେଣୀୟ  ନିଶାଡି଼ ହିଁ ଡାର୍କୱେବ୍‌ ଭଳି ସିକ୍ରେଟ୍‌ ୱେବ୍‌ସାଇଟ୍‌କୁ  ଅସ୍ତ୍ର କରିଥାନ୍ତି । ଏହି ଡାର୍କୱେବ୍‌ ଜରିଆରେ ନିଶାଦ୍ରବ୍ୟ  ମଗାଇଲେ ପୁଲିସ ଦ୍ୱାରା ଧରାପଡି଼ବାର ଆଶଙ୍କା କମ୍‌  ରହୁଥିବାରୁ ହାଇପ୍ରୋଫାଇଲ ନିଶାଡି଼ମାନଙ୍କ ପ୍ରଥମ  ପସନ୍ଦ ପାଲଟିଛି ଡାର୍କୱେବ୍‌ । କେବଳ ଆର୍ଯ୍ୟମାନ ନା  ରାଜଧାନୀର ଅନ୍ୟ ନିଶାଡି଼ ଡାର୍କୱେବ୍‌ ଜରିଆରେ ଡ୍ରଗ୍ସ  ମଗାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଏ  ନେଇ ଖବର ପ୍ରକାଶିତ ହୋଇଥିବା ସତ୍ତେ୍ୱ ପୁଲିସ ଆଦୌ  ଧ୍ୟାନ ଦେଇନାହିଁ।