ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ଆମେରିକା ସିରିଆରେ ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ଉଚିତ। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ,ଏହି ଲଢେଇ ଆମର ନୁହେଁ । ଟ୍ରମ୍ପଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ବିଦ୍ରୋହୀ ମାନେ ରାଜଧାନୀ ଦମିଶକ ଉପକଣ୍ଠ ଅଞ୍ଚଳରେ ପହଞ୍ଚିସାରିଛନ୍ତି । ସେ କହିଛନ୍ତି ଯେ କ୍ଷମତାରେ ରହିବାକୁ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଆମେରିକାର ସମର୍ଥନ ପାଇବାକୁ ଯୋଗ୍ୟ ନୁହଁନ୍ତି। 

ନବ ନିର୍ବାଚିତ ରାଷ୍ଟ୍ରପତି ଶନିବାର ପୋଷ୍ଟରେ ଲେଖିଛନ୍ତି ଯେ, "ସିରିଆ ବିଶୃଙ୍ଖଳା ଭିତରେ ଅଛି, କିନ୍ତୁ ଏହା ଆମର ବନ୍ଧୁ ନୁହେଁ ଏବଂ ଆମେରିକାର ଏହା ସହିତ କିଛି ସମ୍ପର୍କ ରହିବା ଉଚିତ୍ ନୁହେଁ। ଏହା ଆମର ଯୁଦ୍ଧ ନୁହେଁ। ଏଥିରେ ଜଡିତ ହେବା ଉଚିତ୍  ନୁହେଁ । 

ସୂଚନାଥାଉକି,ଯେ ବିଦ୍ରୋହୀ ମାନେ ସିରିଆର ତିନୋଟି ବଡ ସହରକୁ କବଜା କରିଛନ୍ତି, ଏଥି ମଧ୍ୟରେ ଆଲେପ୍ପୋ, ହୋମସ୍ ଏବଂ ଦାରା ଅନ୍ତର୍ଭୁକ୍ତ । ବିଦ୍ରୋହୀ ମାନେ ରାଜଧାନୀ ଦମିଶକ ଘେରି ରହିଛନ୍ତି । ସିରିଆର ବିଦ୍ରୋହୀ ଗୋଷ୍ଠୀ 'ଜିହାଦୀଷ୍ଟ ହାୟାତ୍ ତାହିର ଅଲ-ଶ୍ୟାମ' ଗୋଷ୍ଠୀର ମୁଖ୍ୟ ଅବୁ ମହମ୍ମଦ ଅଲ-ଗୋଲାନି ସିରିଆର 'ସିଏନଏନ'କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ଅସଦଙ୍କ ସରକାରକୁ କ୍ଷମତାରୁ ହଟାଇବା।

ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଜାଲାଲୀ ଏକ ଭିଡିଓ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜଲାଲୀ କହିଛନ୍ତି ଯେ ଶାସନକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧୀ ଦଳକୁ ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ମୁଁ ମୋର ବାସଭବନରେ ଅଛି ଏବଂ କୌଣସି ସ୍ଥାନକୁ ଯାଇ ନାହିଁ, ଏବଂ ମୋର ଦେଶକୁ ଭଲ ପାଏ ବୋଲି ଜାଲଲି କହିଛନ୍ତି।