ନୂଆଦିଲ୍ଲୀ: ଅଶାନ୍ତ ହେଉଛି ସିରିଆ। ପୁଣି ତେଜିଛି ଗୃହଯୁଦ୍ଧ। ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ଏକଛତ୍ରବାଦ ଶାସନରେ ଅତିଷ୍ଟ ହୋଇ ଲୋକମାନେ କରୁଥିବା ଶାନ୍ତିପୂର୍ଣ୍ଣ ବିରୋଧ ଏବେ ଗୃହଯୁଦ୍ଧ୍ୟରେ ପରିଣତ ହୋଇଛି। ୨୦୧୧ରୁ ଆରମ୍ଭ କରି ଏଯାଏ ଏହି ଯୁଦ୍ଧ୍ୟରେ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ବର୍ତ୍ତମାନ ହୟାତ ତହରିର ଅଲ ଶାମ ନାମକ ଏକ ବିଦ୍ରୋହୀ ଗୋଷ୍ଠୀ ସିରିଆ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଛି। ବିଗତ ତିନି ଦିନ ମଧ୍ୟରେ ଏହି ଗୃହଯୁଦ୍ଧରେ ପଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଦୀର୍ଘ ୨୪ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ପ୍ରୟ ୧ କୋଟି ୨୦ ଲକ୍ଷ ଲୋକ ନିଜ ଘର ଛାଡ଼ି ପଳାଇଛନ୍ତି। ଏଥିମଧ୍ୟରୁ ପ୍ରାୟ ୫୦ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣ ନେଇଛନ୍ତି କିମ୍ବା ଶରଣ ନେବା ଅପେକ୍ଷାରେ ଅଛନ୍ତି। ବିଦ୍ରୋହୀମାନେ ଆକ୍ରମଣ କରିବା ପୂର୍ବରୁ ଅସଦଙ୍କ ସରକାର ଋଷ, ଇରାନ ଓ ଇରାନ ସମର୍ଥିତ ଉଗ୍ରବାଦୀ ଗୋଷ୍ଟୀ ଦ୍ୱାରା ଏହି ଯୁଦ୍ଧ୍ୟକୁ ଅଟକାଇଦେବେ ବୋଲି ଆଶା କରାଯାଉଥିଲା। ହେଲେ ଦେଶର ଉଗ୍ରବାଦ ଏବେ ଅସମ୍ଭାଳ ହୋଇଛି। ଆଲେପ୍ପୋ ଓ ହମା ସହରକୁ ସମ୍ପୂର୍ଣ୍ଣ କବ୍ଜା କରିଛନ୍ତି ସିରିଆ ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ୍ ଶାମ। ତାଙ୍କ ନଜର ଏବେ ରାଜଧାନୀ ଡାମାସକସ ଉପରେ। ରାଜଧାନୀ ଅକ୍ତିଆର ପାଇଁ ଅଗ୍ରସର ବିଦ୍ରୋହୀ ସେନା।ଅନ୍ୟପକ୍ଷରେ ବିଦ୍ରୋହୀଙ୍କୁ ରୋକିବା ଲାଗି ସିରିଆ ସେନା ହମା ଓ ହୋମ୍ସକୁ ଯୋଡୁଥିବା ପ୍ରମୁଖ ରାଜମାର୍ଗକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି।
ସିରିଆ ବିଦ୍ରୋହୀମାନେ ହୋମ୍ସର ସର୍ବବ୍ସ ଅଞ୍ଚଳ ଦଖଲ କରି ଡାମାସକସ୍ ନିକଟରେ ପହଞ୍ଚିଗଲେଣି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ ଖବର ପ୍ରକାଶ କରିଛି। ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ସେନା ଏହି ସହରକୁ ଦୀର୍ଘ ୨୪ ବର୍ଷ ହେବ ନିଜ ଦଖଲରେ ରଖିଥିଲା। ଏହି ଅଞ୍ଚଳ ସିରିଆ ସରକାରଙ୍କ ଗଡ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏନେଇ ଅସଦଙ୍କ ଅଧିକାରୀମାନେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ରିପୋର୍ଟକୁ ଖଣ୍ଡନ କରିବା ସହ ଏହାକୁ ଏକ ଭ୍ରାନ୍ତ ଓ ମିଛ ଖବର ବୋଲି କହିଛନ୍ତି। ତା’ ସହ ସିରିଆର ରାଷ୍ଟ୍ରପତି ଡାମାସକସ୍ରୁ ନିଜ କର୍ତ୍ତବ୍ୟ ଠିକ ଭାବେ ସମ୍ପାଦନ କରୁଛନ୍ତି ବୋଲି ତାଙ୍କ ଅଧିକାରିମାନେ କହିଛନ୍ତି।
ଏହି ଆକ୍ରମଣରେ ହୋମ୍ସ ସହରରେ ରହୁଥିବା ଶିଆ ମୁସଲିମ ବିଦ୍ରୋହୀଙ୍କ ଭୟରେ ଘରଦ୍ୱାର ଛାଡ଼ି ପଳାଉଛନ୍ତି । ବିଦ୍ରୋହୀ ଯୋଦ୍ଧାଙ୍କୁ ରୋକିବା ଲାଗି ଋଷ ସେନା ଉତ୍ତର-ପଶ୍ଚିମ ଅଞ୍ଚଳରେ ଅଧିକ ମିଶାଇଲ ମାଡ କରିଛି । କିନ୍ତୁ ସେମାନଙ୍କୁ ରୋକିବା ସମ୍ଭବ ହୋଇପାରିନାହିଁ। ଅନ୍ୟପଟେ ଆଜି ଭାରତ ଓ ଋଷ ନିଜ ଦେଶର ନାଗରିକମାନଙ୍କୁ ସିରିଆ ଛାଡ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଇଛନ୍ତି।