ଭୁବନେଶ୍ୱର/ବାରିପଦା, ୨୦/୧୧: ଶିମିଳିପାଳ ଅଭୟାରଣ୍ୟର ‘ଟି-୧୨’ ମହାବଳ ବାଘ ପୁଣି ଚର୍ଚ୍ଚାକୁ ଆସିଛି । ମିଲେନଷ୍ଟିକ ପ୍ରଜାତିର ଏହି ପୁରୁଷ କଳାବାଘ ଶିମିଳିପାଳର ଝରଣାକୂଳରେ ବିଚରଣ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟକୁ ଏକ୍ସରେ ପୋଷ୍ଟ କରିଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ । ମେଲେନାଷ୍ଟିକ୍ ପ୍ରଜାତିର ଏହି ‘ଟି-୧୨’ ମହାବଳ ନିଜ ଟେରିଟୋରିରେ ବେଶୀ ସମୟ ରୁହେନି । ଅଭୟାରଣ୍ୟ ସାରା ଘୁରି ବୁଲୁଥାଏ । ପ୍ରାୟ ସବୁ ବାଘୁଣୀଙ୍କ ଟେରିଟୋରିକୁ ନିୟମିତ ଯା’ଆସ କରେ । ଏହି ଅଣ୍ଡିରା କାଳିଆ ମହାବଳ ଯୋଗୁ ଶିମିଳିପାଳରେ ବାଘ ବଂଶ ଢେର ବଢ଼ିଛି । ଟି-୧୨ର ପ୍ରାୟ ୮ରୁ ଅଧିକ ଛୁଆ ଯୁବାବସ୍ଥାରେ ଶିମିଳିପାଳରେ ବିଚରଣ କରୁଛନ୍ତି । ସେମାନଙ୍କ ମଧ୍ୟ କିଛି ଛୁଆବାଘ ଜନ୍ମ ନେଲେଣି । ଟି-୧୨ ମହାବଳ ଓ ମରାଠା ବାଘୁଣୀ ଜିନ୍ନତର ପ୍ରେମକାହାଣୀ କାହାରିକୁ ଅଛପା ନଥିବ ।
୨୦୧୮ରେ ଏନଟିସିଏରେ ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ଏବେ ବାଘ ସଂଖ୍ୟା ୩୦ରୁ ଟପିଲାଣି । ଶ୍ରୀ ନନ୍ଦ କହିଛନ୍ତି, ଏହି କାଳିଆ ବାଘର ବୟସ ୧୨ବର୍ଷ ପାର୍ କରିଯିବ । ଶିମିଳିପାଳରେ ଟି-୧୨ ନାମକ ଏହି କଳାବାଘଟି ନଥିଲେ, ହୁଏତ ଶିମିଳିପାଳରେ ଆଶାନୁରୂପକ ଭାବେ ବାଘ ବଂଶ ବୃଦ୍ଧି ହୋଇ ନଥାନ୍ତା । ଏହି ଅଭୟାରଣ୍ୟରେ ୨୦୦୯ ଏପ୍ରିଲରେ ମାଓ ସଂଗଠନ ବେଶ ସକ୍ରିୟ ଥିଲା । ମାଓ ହମଲା ଭୟ ବନ କର୍ମଚାରୀମାନେ ଆଦୌ ପାଟ୍ରୋଲିଂ କରିପାରୁନଥିଲେ । ଏହା ଶିମିଳିପାଳ ପାଇଁ ଅତ୍ୟନ୍ତ ଦୁର୍ଦ୍ଦିନର ସମୟ ଥିଲା । ସେତେବେଳେ ଏକାଧିକ ମହାବଳ ଶିକାର ହୋଇଥିଲେ । କିନ୍ତୁ ଗଲା ୮-୧୦ ବର୍ଷ ଭିତରେ ଶିମିଳିପାଳରେ ବାଘ ସଂଖ୍ୟା ବେଶ ବଢ଼ିଛି । ମହାରାଷ୍ଟ୍ର ପରେ ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ବନ ବିଭାଗର ପଦକ୍ଷେପକୁ ମଧ୍ୟ ଜାତୀୟ ସ୍ତରରେ ସ୍ୱକୃତୀ ମିଳିଛି ।
Kalia-the black beauty of Simlipal 💕
— Susanta Nanda IFS (Retd) (@susantananda3) November 18, 2025
It is credited with bringing back the tiger population from brink in Simlipal TR. Population rebound milestone- this dominant male sired multiple litters, lifting the numbers from 6 to 30 plus. pic.twitter.com/aKunu29ZOM
ବିଶେଷକରି ଶିମିଳିପାଳକୁ ଶିକାରି ମୁକ୍ତ କରିବାକୁ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ବାରମ୍ବାର ଚଢ଼ଉ କରି ବନ୍ଧୁକ ଜବତ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ମାଧ୍ୟମରେ ଶିମିଳିପାଳର କୋଣ ଅନୁକୋଣ ଉପରେ ନଜର ରଖା ଯିବା, ପୁଣି ବନକର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରିବା ସହ ସେମାନଙ୍କୁ ପାଟ୍ରୋଲିଂ ପାଇଁ ସମସ୍ତ ଉପକରଣ ଓ ଗାଡ଼ି ଯୋଗାଇଦେବା ଫଳରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଦ୍ୱରା ସୃଷ୍ଟି ହେଉଥିବା ଭୟର ବାତାବରଣ କମିଛି । ଫଳରେ ଜୀବଜନ୍ତୁ ଅବାଧରେ ଚଳ ପ୍ରଚଳ ସହିତ ବାଘ ବଂଶ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଯାହା ଓଡିଶା ପାଇଁ ଅତ୍ୟନ୍ତ ଶୁଭ ସୂଚନା ବୋଲି ସେ କହିଛନ୍ତି ।