ନୂଆଦିଲ୍ଲୀ, ୨୫/୨ : ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ କସରତ କରୁଛି ଭାରତ । ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ୭୬ ରନର ପରାଜୟ ପରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚରେ ଦଳରେ କରିପାରେ ପରିବର୍ତ୍ତନ । ଚେନ୍ନାଇରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ସୂର୍ଯ୍ୟବାହିନୀରେ କେଉଁମାନେ ସାମିଲ ହେବେ ଏହାକୁ ନେଇ ଏବେ ଚାଲିଛି ମାନସମନ୍ଥନ । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ସୁପର-୮ ମୁକାବିଲାରେ ଉପଅଧିନାୟକ ଅକ୍ଷର ପଟେଲଙ୍କୁ ପ୍ଲେଇଂ ୧୧ରୁ ବାଦ ଦେବା ନିଷ୍ପତ୍ତିକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି । ଆଉ ଏବେ ପରବର୍ତ୍ତୀ ମ୍ୟାଚରେ କାହାକୁ ଖେଳିବାକୁ ସୁଯୋଗ ମିଳିବ ?
ସଞ୍ଜୁ ସାମସନଙ୍କୁ ମିଳିପାରେ ସୁଯୋଗ
ଟି-୨୦ ବିଶ୍ବକପ ୨୦୨୬ରେ ମାତ୍ର ଗୋଟିଏ ମ୍ୟାଚରେ ଖେଳିବାର ସୁଯୋଗ ପାଇଛନ୍ତି ସଞ୍ଜୁ ସାମସନ । ତେବେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି । କୁହାଯାଉଛି କି, ତିଲକ ବର୍ମା, ରିଙ୍କୁ ସିଂହ ଏବଂ ଓ୍ବାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ମିଳିନପାରେ । ପୂର୍ବ ମ୍ୟାଚରେ ଅକ୍ଷରଙ୍କ ବଦଳରେ ସୁନ୍ଦର ଖେଳିଥିଲେ । ମାତ୍ର ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଏଣୁ ଆଗାମୀ ମ୍ୟାଚରେ କୁଲଦୀପ ଯାଦବ, ସଞ୍ଜୁ ସାମସନ ଏବଂ ଅକ୍ଷର ପଟେଲ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବାର ସମ୍ଭାବନା ଅଧିକ ରହିଛି ।
ନାମିବିୟା ବିପକ୍ଷରେ ସଞ୍ଜୁ ପ୍ରଭାବଶାଳୀ ପାଳି ଖେଳିଥିଲେ । ସେ ମାତ୍ର ୮ ବଲରୁ ୨୨ ରନର ପାଳି ଖେଳିଥିଲେ । ଯଦିଓ ବଡ଼ ପାଳି ଖେଳିପାରିନାହାନ୍ତି ତଥାପି ପ୍ରଥମରୁ ବଡ଼ ବଡ଼ ସଟ୍ ମାରିଥିଲେ । ସେ ଦଳରେ ଖେଳିଲେ ଡାହାଣ-ବାମ କମ୍ବିନେସନ ହେବ । ଏହାସହ ଇଶାନ କିଷନ ୩ ନମ୍ବର ଏବଂ ସୂର୍ଯ୍ୟ ୪ ନମ୍ବରରେ ବ୍ୟାଟିଂ କରିବେ । ସେପଟେ କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଉଭୟ ଅଭିଜ୍ଞ ସ୍ପିନର ହୋଇଥିବାବେଳେ ଏହା ଦଳ ପାଇଁ ଅଧିକ ଲାଭଦାୟକ ହେବ । ଅକ୍ଷର ପଟେଲ ମିଡିଲ ଅର୍ଡର ହେବ ବା ଲୋୟର ସବୁବେଳେ ଭଲ ପ୍ରଦର୍ଶନ କରିବାର ଦକ୍ଷତା ରଖିଛନ୍ତି । ଏଣୁ ଭାରତ ସେମିରେ ପହଞ୍ଚିବାକୁ ହେଲେ ଦଳରେ କିଛି ପରିବର୍ତ୍ତନ ହେବା ଜରୁରୀ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଏହାସହ ପଢ଼ନ୍ତୁ : ନେଟ ରନରେଟ୍ ନୁହେଁ, ଏମିତି ହେଲେ ସେମିଫାଇନାଲରେ ପହଞ୍ଚିବ ଭାରତ