କୋଲକାତା, ୦୫/୦୩: ପ୍ରଥମ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ହାରାଇ ଫାଇନାଲରେ ନ୍ୟୁଜିଲାଣ୍ଡ । ଏପଟେ ଟିମ୍ ଇଣ୍ଡିଆ ୭ ରନରେ ଇଂଲଣ୍ଡକୁ ମାତ୍ ଦେଇ ଫାଇନାଲ୍ ଖେଳିବାକୁ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ଆସନ୍ତା ରବିବାର ଅର୍ଥାତ୍ ସୁପର ସନଡେ’ ହେବ ଫାଇନାଲ୍ ଫାଇଟ୍ ।  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳି ଟି-20 ବିଶ୍ବକପର ଟାଇଟଲ୍ ମୁକାବିଲା । ହେଲେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ଶେଷ ଥର ପାଇଁ ୨୦୨୧ରେ  ଫାଇନାଲ୍ ମ୍ୟାଚ୍ ଖେଳିଥିଲା । ତାହା ପୁଣି ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇ ରନର୍ସ-ଅପରେ ସନ୍ତୁଷ୍ଟ ହୋଇଥିଲା । ତେଣୁ ଫାଇନାଲ୍ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଟାଇଟଲ୍ ଜିତିବାକୁ ପ୍ରୟାସ କରିବ କ୍ବିଓ୍ବି ଦଳ ।

ଅନ୍ୟପଟେ ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ପକ୍ଷରୁ ହିରୋ ହୋଇଥିଲେ ଓପନିଂ ବ୍ୟାଟର ଫିନ୍ ଆଲେନ । ସେ ମାତ୍ର  ୩୩ଟି ବଲ୍‌ରୁ ଶତକ ଅର୍ଜନ କରି ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ସେ ଦ୍ରୁତତମ ଶତକ ଅର୍ଜନ  କରିବାରେ ରେକର୍ଡ ସ୍ଥାପନ କରିଥିଲେ ।  ପୂର୍ବରୁ ଏହି ରେକର୍ଡ ୱେଷ୍ଟ ଇଣ୍ଡିଜର  କ୍ରିସ ଗେଲ୍‌ଙ୍କ ନାମରେ ରହିଥିଲା । ସେ  ୨୦୧୬ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ  ୪୭ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ  ଆଫ୍ରିକା ୮ ୱିକେଟ୍‌ ହରାଇ ୧୬୯ ରନ୍  ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମାର୍କୋ ଜାନସେନ ସର୍ବାଧିକ ଅପରାଜିତ ୫୫ ରନ କରିଥିଲେ । ଏହି ଇନିଂସରେ ସେ  ୩୦ଟି ବଲ୍‌ର ସାମ୍ନା କରି ୨ଟି ଚୌକା ଓ ୫ଟି ଛକା ମାରିଥିଲେ । ଅନ୍ୟମାନଙ୍କ  ମଧ୍ୟରେ ଡିୱାଲ୍ଡ ବ୍ରେଭିସ୍‌ ୩୪, ଟ୍ରିଷ୍ଟନ  ଷ୍ଟବ୍ସ ୨୯, ଆଡେନ ମାରକ୍ରମ ୧୮ ଓ  କ୍ୱିଣ୍ଟନ ଡି କକ୍‌ ୧୦ ରନ କରିଥିଲେ ।  ଅନ୍ୟ କେହି ୨ଅଙ୍କ ଛୁଇଁ ପାରି ନଥିଲେ ।  ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ୍ ହେନରୀ,  କୋଲ୍ ମ୍ୟାକକୋଞ୍ଚି ଓ ରଚିନ୍ ରବିନ୍ଦ୍ର ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ନ୍ୟୁଜିଲାଣ୍ଡର ୨ ଓପନର  ଟିମ ସାଇଫର୍ଟ ଓ ଆଲେନ ଧୂଆଁଧାର  ବ୍ୟାଟିଂ କରି ମାତ୍ର ୯ ଓଭର ମଧ୍ୟରେ  ୧୧୭ ରନ ସଂଗ୍ରହ କରି ଦଳକୁ ବିଜୟ  ଦ୍ୱାରରେ ପହଞ୍ଚାଇ ଦେଇଥିଲେ ।  ସାଇଫର୍ଟ ୩୩ଟି ବଲ୍‌ରୁ ୭ଚୌକା ଓ ୨ ଛକା ବଳରେ ୫୮ ରନ କରି ଆଉଟ୍‌ ହୋଇଥିଲେ । ମାତ୍ର ଆଲେନଙ୍କୁ ଆଉଟ୍‌  କରିବାରେ ଦକ୍ଷିଣ ଆଫ୍ରିକା ବୋଲର  ବିଫଳ ହୋଇଥିଲେ । ସେ ଶେଷ ପର୍ଯ୍ୟନ୍ତ  ଅପରାଜିତ ରହି ୧୨.୫ ଓଭର ମଧ୍ୟରେ  ଦଳକୁ ବିଜୟୀ କରାଇଥିଲେ ।

ଅଧିକ ପଢ଼ନ୍ତୁ-'ଥାଲା ଫର୍ ଏ ରିଜିନ୍‌'; ୭ ରନ୍‌ରେ ବିଜୟ, ୭ ୱିକେଟ୍‌ ପତନ, ଭାରତର ସେମିଫାଇନାଲ ବିଜୟରେ ଧୋନୀଙ୍କୁ ଫ୍ୟାନ୍ସଙ୍କ କ୍ରେଡିଟ୍‌​​​​​​​