ଭବାନୀପାଟଣା/ବିଶ୍ୱନାଥପୁର,୨୧।୬: ଗାଁରେ ଟ୍ରାନ୍ସଫର୍ମର ବସିଛି,ବିଦ୍ୟୁତ୍ ଖୁଣ୍ଟ ବି ଅଛି, ତାର ବି ଟଣା ହୋଇଛି କିନ୍ତୁ ବିଜୁଳି ଆଲୁଅର ଦେଖା ନାହିଁ। ଆଠ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ଅଧ୍ଯୁଷିତ ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ତାଡ଼ିଝୋଲା ଗାଁରେ ଲୋକଙ୍କୁ ମିଳୁନି ମୌଳିକ ସୁବିଧା। ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସୂଚନା ଅନୁଯାୟୀ, ତାଡ଼ିଝୋଲା ଗାଁରେ ୧୦ ଘର କୁଟିଆ କନ୍ଧ ସମ୍ପ୍ରଦାୟ ପରିବାର ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ସେଠାରେ ପାନୀୟ ଜଳ ପାଇଁ ଗୋଟିଏ ନଳକୂଅ ରହିଛି ହେଲେ ଦୀର୍ଘ ୧୬ ବର୍ଷ ହେଲା ନଳକୂପଟି ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଏଥିପାଇଁ ଆବଶ୍ୟକ ପରିମାଣର ପାଣି ବି ମିଳୁନାହିଁ। ପୂର୍ବରୁ ଗାଁ ନିକଟସ୍ଥ ଆଲିମରା ଡଙ୍ଗରରୁ ଆସୁଥିବା ପାଣିକୁ ଏକ କୁଣ୍ଡ କରି ସେହି କୁଣ୍ଡରେ ଏକ ପାଇପ ଲଗାଇ ସେହି ପାଣିକୁ ପାନୀୟଜଳ ଭାବେ ଶୋଷ ମେଣ୍ଟାଉ ଥିଲେ। କିନ୍ତୁ ତାହାବି ଦୀର୍ଘ ଦିନ ହେଲା ଆସିଲା ନାହିଁ। ବର୍ତ୍ତମାନ ନିକଟ ନାଳକଡ଼ରେ ଥିବା ବାଲି ଚୁଆର ଗୋଳିଆ ପାଣି ହୋଇଛି ସେମାନଙ୍କ ଭରସା। ବନ୍ୟପ୍ରାଣୀ,କୀଟପତଙ୍ଗ, ଆବର୍ଜନା ଭର୍ତ୍ତି ଦୂଷିତ ପାଣିକୁ ଲୋକେ ଗାଧେଇବା ସହ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ଫଳରେ ଲୋକେ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି।
ସେହିପରି ପୂର୍ବରୁ ରହିଥିବା ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ଦିନରୁ ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ ବିଭାଗୀୟ ଅଧିକାରୀ ଶୁଣୁ ନ'ଥିବା ଗାଁ ଲୋକେ କହୁଛନ୍ତି। ଡିବିରି ଆଲୁଅ ଭରସାରେ ଗାଁ ଲୋକେ ନିର୍ଭର କରୁଥିବା ବେଳେ ପୂର୍ବ ପରି ପଞ୍ଚାୟତ ତରଫରୁ କିରୋସିନି ମିଳୁନାହିଁ। ଯାହା ଫଳରେ ଅନ୍ଧାରରେ ଜୀବନ ବିତାଉଛନ୍ତି ଏହି ଗାଁ ଲୋକେ। ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ କାଳ କାଟୁଛନ୍ତି। ଗାଁକୁ ହାତୀପଲ ଆସିବା ଜାଣି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରୁହନ୍ତି। ଗାଁରେ ବିଦ୍ୟୁତ୍ ନ ଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ତାଡ଼ିଝୋଲା ଗ୍ରାମବାସୀ ଦାବି କରୁଛନ୍ତି।