ତାଳଚେର,୦୯/୦୧: ଏନ୍‌ଟିପିସି  ପରିଚାଳନାଧୀନ ତାଳଚେର ଥର୍ମାଲ୍‌  ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ  ଆଗେଇ ଚାଲିଛି । ୨୦୨୭ ସେପ୍ଟେମ୍ବରରୁ  ୬୬୦ ମେଗାୱାଟ ବିଶିଷ୍ଟ ପ୍ରଥମ ୟୁନିଟ୍‌ରୁ  ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହେବ ବୋଲି  ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ ବୁଧବାର  ପ୍ରକାଶ କରିଛନ୍ତି । ସେହିପରି ଦ୍ୱିତୀୟ  ୟୁନିଟ୍‌ ଠିକ୍‌ ଏହାର ତିନି ମାସ ପରେ  ଅର୍ଥାତ୍‌ ଡିସେମ୍ବର ୨୦୨୭ରେ କାର୍ଯ୍ୟକ୍ଷମ  ହେବ ବୋଲି ସୂଚନା ଦିଆଯାଇଛି । 

୬୬୦ ମେଗାୱାଟ୍‌ କ୍ଷମତାର  ଦୁଇଟି ୟୁନିଟ୍‌ କାର୍ଯ୍ୟ ନିର୍ମାଣାଧୀନ  ରହିଛି । ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ  ପ୍ରକଳ୍ପରୁ ୧୩୨୦ ମେଗାୱାଟ୍‌ ବିଦ୍ୟୁତ୍‌  ଶକ୍ତି ଉତ୍ପାଦନ ହେବ । ଏହି ପ୍ରକଳ୍ପରୁ  ଉତ୍ପାଦିତ ବିଜୁଳି ଶକ୍ତିର ୫୦ ପ୍ରତିଶତ  ଓଡ଼ିଶାକୁ ମିଳିବାକୁ ଥିବା ବେଳେ ଅବଶିଷ୍ଟ  ୫୦ ପ୍ରତିଶତ ଗୁଜୁରାଟ, ଆସାମ ଓ  ତାମିଲ୍‌ନାଡୁକୁ ଯୋଗାଣ ହେବ ବୋଲି  ପ୍ରକଳ୍ପ ମୁଖ୍ୟ କହିଛନ୍ତି । ଏହି ପ୍ରକଳ୍ପ ପାଇଁ  ସ୍ଥାନୀୟ ଯୁବବର୍ଗ ନିମନ୍ତେ କର୍ମନିଯୁକ୍ତିର  ସୁଯୋଗ ସୃଷ୍ଟି ହୋଇଛି । 

ଶକ୍ତି ଉତ୍ପାଦନ  ବ୍ୟତୀତ ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ  ଓ ପାରିପାଶ୍ୱିର୍କ ଗ୍ରାମାଞ୍ଚଳ ଉନ୍ନତିକୁ  ଏନ୍‌ଟିପିସି ଗୁରୁତ୍ୱ ଦେଇ ଆସିଛି । ପରିବେଶ ସୁରକ୍ଷା ନିମିତ୍ତ ରାଜ୍ୟ ବନ  ନିଗମ ଦ୍ୱାରା ୯୦ ହଜାର ବୃକ୍ଷ ରୋପଣ  କରାଯିବାକୁ ସ୍ଥିର ହୋଇଛି । ବୁଧବାର  ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ  ମୁଖ୍ୟ ଶ୍ରୀ ଚାନ୍ଦ କହିଲେ, ଏନ୍‌ଟିପିସି ନିଜ  ଲକ୍ଷ୍ୟରେ ଅଟଳ ଓ ସାମାଜିକ ବିକାଶ  ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।  ପ୍ରଦୂଷଣ ଶୂନ ଏହି ପ୍ରକଳ୍ପ ଓଡ଼ିଶା ପାଇଁ  ଏକ ନୂଆ ମାଇଲ୍‌ ଖୁଣ୍ଟ ସ୍ଥାପନ କରିବ  ବୋଲି ସେ କହିଥିଲେ ।