​​​​​​​ଚେନ୍ନାଇ, ୧୩।୫: ତାମିଲନାଡୁ ରାଜନୀତିରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ବୁଧବାର ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିଛନ୍ତି । ନୂଆ ସରକାରର ସ୍ଥିରତା ପରଖିବା ପାଇଁ ଆୟୋଜିତ ଏହି ‘ଫ୍ଲୋର୍ ଟେଷ୍ଟ’ ବା ଆସ୍ଥା ଭୋଟ୍‌ରେ ବିଜୟଙ୍କ ଟିଭିକେ ସରକାର ସହଜରେ ବିଜୟୀ ହୋଇଛନ୍ତି । ଏହି ସଫଳତା ସହ ରାଜ୍ୟରେ ବିଜୟଙ୍କ ଶାସନ ଗାଦି ଏବେ ସଂପୂର୍ଣ୍ଣ ସୁରକ୍ଷିତ ହୋଇଯାଇଛି । ବିଧାନସଭାରେ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ସମୁଦାୟ ୧୭୧ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଫଳାଫଳ ଅନୁଯାୟୀ, ୧୪୪ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରି ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ମାତ୍ର ୨୨ ଜଣ ସଦସ୍ୟ ବିଶ୍ୱାସ ପ୍ରସ୍ତାବ ବିରୋଧରେ ମତଦାନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମୟରେ ୫ ଜଣ ସଦସ୍ୟ ଗୃହରେ ଅନୁପସ୍ଥିତ ରହିଥିଲେ । ଏହି ବିପୁଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛି ଯେ, ବିଜୟଙ୍କ ନେତୃତ୍ୱ ପ୍ରତି ମେଣ୍ଟର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ଆସ୍ଥା ରହିଛି ।

ସହଯୋଗୀ ଦଳଙ୍କ ସାଥ୍, AIADMK ର ବିରୋଧ:

ଫ୍ଲୋର୍ ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ କଂଗ୍ରେସ ନେତା ଏବଂ ଅନ୍ୟାନ୍ୟ ସହଯୋଗୀ ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ସମସ୍ତ ସହଯୋଗୀ ଦଳ ଟିଭିକେ ସରକାରକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ, ବିରୋଧୀ ଦଳ AIADMK ମୁଖ୍ୟ ଇ.ପି.ଏସ୍ ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କ ଦଳ ବିଜୟଙ୍କ ବିରୋଧରେ ଭୋଟ୍ ଦେବ । ଏହା ସତ୍ତ୍ୱେ ବିରୋଧୀଙ୍କ ରଣନୀତି ବିଫଳ ହୋଇଛି ଏବଂ ସରକାର ସ୍ପଷ୍ଟ ବହୁମତ ହାସଲ କରିଛନ୍ତି ।

ଡିଏମକେର ୱାକଆଉଟ୍ ଏବଂ ବଦଳିଥିବା ସମୀକରଣ:

ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ ଆରମ୍ଭ ହୋଇଥିଲା ତୀବ୍ର ଯୁକ୍ତିତର୍କ । ବିରୋଧୀ ଦଳ ନେତା ତଥା ଡିଏମକେ ମୁଖ୍ୟ ଉଦୟନିଧି ଷ୍ଟାଲିନ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ । ଏହା ପରେ ଡିଏମକେର ସମସ୍ତ ୫୯ ଜଣ ବିଧାୟକ ଗୃହରୁ ୱାକଆଉଟ୍ କରି ବାହାରକୁ ଚାଲିଯାଇଥିଲେ । ଡିଏମକେ ବିଧାୟକଙ୍କ ଅନୁପସ୍ଥିତି ଯୋଗୁଁ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ୧୧୭ ରୁ ହ୍ରାସ ପାଇ ୮୮ ରେ ପହଞ୍ଚିଥିଲା । ଫଳସ୍ୱରୂପ ବିଜୟଙ୍କ ପାଇଁ ଏହି ଫ୍ଲୋର୍ ଟେଷ୍ଟ ଜିତିବା ଅତି ସହଜ ହୋଇଯାଇଥିଲା ।

ଉଦୟନିଧି ଷ୍ଟାଲିନଙ୍କ ସାଂଘାତିକ ଅଭିଯୋଗ:

ବିତର୍କ ସମୟରେ ଉଦୟନିଧି ଷ୍ଟାଲିନ ଟିଭିକେ ସରକାରଙ୍କୁ ‘ଦେଖାଣିଆ ସରକାର’ ବୋଲି ଆଖ୍ୟା ଦେଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ଟିଭିକେ ସରକାର ଖୋଲାଖୋଲି ଭାବେ ହର୍ସ ଟ୍ରେଡିଂ ଅର୍ଥାତ୍ ବିଧାୟକ କିଣାବିକାରେ ଲିପ୍ତ ଅଛନ୍ତି । ରାଜନୀତିକୁ ଏକ ‘ଥଟ୍ଟା’ରେ ପରିଣତ କରାଯାଉଛି । ଦଳ ବଦଳ କରିବା ପୂର୍ବରୁ ଶାସକ ଦଳର ନେତାମାନେ ବ୍ୟକ୍ତିଗତ ଭାବେ ବିଧାୟକମାନଙ୍କୁ ନିମନ୍ତ୍ରଣ ଦେବାକୁ ଯାଉଛନ୍ତି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ବାମପନ୍ଥୀ, ଭିସିକେ ଏବଂ ଆଇୟୁଏମଏଲ ଭଳି ଦଳ କେବଳ ରାଷ୍ଟ୍ରପତି ଶାସନ ରୋକିବା ପାଇଁ ବିଜୟଙ୍କୁ ସମର୍ଥନ କରୁଛନ୍ତି ବୋଲି ସେ ଦାବି କରିଥିଲେ ।

AIADMK ର ଆଭିମୁଖ୍ୟ ଏବଂ ଗୃହରେ ହଟ୍ଟଗୋଳ:

ଏଆଇଏଡିଏମକେ ମୁଖ୍ୟ ଏଡପାଡି କେ. ପଲାନିସ୍ୱାମୀ (EPS) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ବିଜୟଙ୍କ ବିରୋଧରେ ଭୋଟ୍ ଦେବ । ସେ ସରକାରଙ୍କୁ ସତର୍କ କରାଇ ଦେଇଥିଲେ ଯେ ୬୬ ପ୍ରତିଶତ ଲୋକ ଟିଭିକେକୁ ଭୋଟ୍ ଦେଇନାହାନ୍ତି, ତେଣୁ ସରକାର ବିରୋଧୀଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ୍ । ତେବେ ଗୃହରେ ସେତେବେଳେ ଉତ୍ତେଜନା ପ୍ରକାଶ ପାଇଥିଲା ଯେତେବେଳେ ବାଗୀ ବିଧାୟକ ଏସ.ପି. ଭେଲୁମଣି ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରିବା କଥା କହିଥିଲେ । ଏହାକୁ ନେଇ ଏଆଇଏଡିଏମକେ ସଦସ୍ୟମାନେ ଜୋରଦାର ହଟ୍ଟଗୋଳ କରିଥିଲେ ।

​​​​​​​

ବିଜେପିକୁ ଟାର୍ଗେଟ୍ ଏବଂ ପିଏମକେର ଆପତ୍ତି:

ଫ୍ଲୋର୍ ଟେଷ୍ଟ ବେଳେ ମୁଖ୍ୟମନ୍ତ୍ରୀ ବିଜୟ ବାରମ୍ବାର ବିଜେପିକୁ ସମାଲୋଚନା କରିଥିଲେ । ଏହାକୁ ନେଇ ପିଏମକେ ବିଧାୟିକା ସୌମ୍ୟା ଅମ୍ବୁମଣି ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେ, ଆସ୍ଥା ଭୋଟ୍ ବେଳେ ଶାସନ ଏବଂ ଜନହିତକର ପ୍ରସଙ୍ଗରେ ଆଲୋଚନା ହେବା ବଦଳରେ ଏହା ବିଜେପି ବିରୋଧୀ ବୈଠକ ଭଳି ମନେ ହେଉଛି । ଏଥିସହ ସେ ରାଜ୍ୟରେ ଅବୈଧ ମଦ କାରବାର ରୋକିବାକୁ ଦୃଢ଼ ଦାବି କରିଥିଲେ । ସମସ୍ତ ବାଦବିବାଦ ଏବଂ ଡିଏମକେର ୱାକଆଉଟ୍ ପରେ, ବାଚସ୍ପତି ଜେସିଡି ପ୍ରଭାକର ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ଟିଭିକେ ସମେତ ବାମପନ୍ଥୀ, ଭିସିକେ, ଆଇୟୁଏମଏଲ, ବିଜେପି, ଡିଏମଡିକେ ଏବଂ ପିଏମକେ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ବିଜୟ ସହଜରେ ଏହି ପରୀକ୍ଷାରେ ପାସ୍ କରିଛନ୍ତି । ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ସମସ୍ତ ସମର୍ଥନକାରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ... ଶୁଭେନ୍ଦୁ ସରକାରଙ୍କ ‘ପାୱାରଫୁଲ୍’ ଆକ୍ସନ; ମନ୍ଦିର ହେଉ କି ମସଜିଦ୍, ଜୋରରେ ବାଜିବନି ଲାଉଡସ୍ପିକର !