ଭୁବନେଶ୍ବର: ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ଦଳପତି ଦାୟିତ୍ବ ମିଳିବା ପରେ ଆକ୍ଟିଭ୍ ହେଉଛି କଂଗ୍ରେସ । ମୁଖିଆ ହେବାର ପ୍ରାୟ ତିନି ମାସ ପରେ କଂଗ୍ରେସରେ ନବକଳେବର ହୋଇଛି । ପିସିସି ସଭାପତି ଭକ୍ତ ଦାସ ନିଜର ଜୁମ୍ବୋ ଟିମ୍ ଗଠନ କରିଛନ୍ତି । ଏଥିରେ ୭ଜଣ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି । ତେବେ ୭ ଉପସଭାପତିଙ୍କ ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରହିଛନ୍ତି ।
କଂଗ୍ରେସ ନୂଆ ଜୁମ୍ବୋ ଟିମ୍ରେ ତାରା ପ୍ରସାଦଙ୍କୁ ଉପସଭାପତି ଦାୟିତ୍ବ ମିଳିବା ପରେ ତାଙ୍କୁ ଯୁବ କଂଗ୍ରେସ ସଭାପତି ରଞ୍ଜିତ୍ ପାତ୍ର ଓ ଦଳର ଅନ୍ୟ ନେତା ଭେଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ସାକ୍ଷାତ ପରେ ତାରା ବାହିନୀପତି, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାଛଡ଼ା ସେ ନିଜର ଷ୍ଟାଣ୍ଡ ସ୍ପଷ୍ଟ କରି କହିଛନ୍ତି, କଂଗ୍ରେସ ଭିତରେ ଅଲଗା ଗୋଷ୍ଠୀ କରିବାର ନାହିଁ, କି କୌଣସି ଅଭିଯୋଗ କରିବାର ନାହିଁ ।
ଆହୁରି ମଧ୍ୟ କହିଛନ୍ତି, ସେ ବିଧାୟକ ଦଳ ନେତା ହେବାକୁ ଯୋଗ୍ୟ ଥିଲେ, ମାତ୍ର ତାଙ୍କୁ ସୁଯୋଗ ମିଳିଲା ନାହିଁ । ଏହାକୁ ନେଇ କେବେ ଅଭିଯୋଗ କରି ନାହିଁ ବୋଲି ତାରା କହିଛନ୍ତି । ଜୟପୁର ବିଧାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ସେ କାହା ଚାପରେ ନଆସି ନିଜେ ତର୍ଜମା କରି ନୂଆ ଟିମ୍ ଗଠନ କରିଛନ୍ତି । ଏବେ ଛୋଟ କମିଟି ହୋଇଛି, ଆବଶ୍ୟକ ପଡ଼ିଲେ ଏହାକୁ ବର୍ଦ୍ଧିତ କରାଯିବ । ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।