ନୂଆଦିଲ୍ଲା,୧୮/୨; ବାଂଲାଦେଶରେ ନିକଟରେ ଅନୁଷ୍ଠିତ ୧୩ତମ ସଂସଦୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ବିପୁଳ ବିଜୟ ହାସଲ କରିଥିଲା । ଏହାପରେ ଦଳର ଅଧ୍ୟକ୍ଷ ତାରିକ ରହମାନ ମଙ୍ଗଳବାର ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପରମ୍ପରା ଭଙ୍ଗ କରି ରାଷ୍ଟ୍ରପତି ଭବନ ବଦଳରେ ସେ ସଂସଦରେ ଶପଥ ନେଇଥିଲେ । ଏହି ସମୟରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ୍ ତାଙ୍କୁ ଶପଥପାଠ କରାଇଥିଲେ । ତାରିକଙ୍କ ଶପଥ ଗ୍ରହଣ ଉତ୍ସବରେ ୧୩ଟି ଦେଶର ନେତାଙ୍କ ସମେତ ୧୦୦୦ ଅତିଥି ସାମିଲ ହୋଇଥିଲେ । ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମାରୋହରେ ଯୋଗ ଦେଇଥିଲେ । ପରେ ସେ ତାରିକଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ବୈଠକରେ ଉଭୟ ନେତା ପାରସ୍ପରିକ ସହଯୋଗ ବଢ଼ାଇବା ଲାଗି ସହମତ ହୋଇଥିଲେ । ସେପଟେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏବେଠୁ ବାଂଲାଦେଶରେ ତାରିକ୍ ରହମାନ ଯୁଗ ଆରମ୍ଭ ହୋଇଛି ।
ଏହା ବି ପଢନ୍ତୁ...ଏପଷ୍ଟିନଙ୍କ ଶିକାର ସାଜିଥିଲେ ଭାରତୀୟ ଯୁବତୀ, ପୀଡ଼ିତାଙ୍କୁ ଖୋଜି ଦିଆଯିବ କ୍ଷତିପୂରଣ ...ଆଶ୍ଚର୍ଯ୍ୟକର ଖୁଲାସା
ଶପଥ ଗ୍ରହଣ ପୂର୍ବରୁ ବିଏନ୍ପି ସଂସଦୀୟ ଦଳ ବୈଠକରେ ତାରିକଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟା ଏବଂ ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନ୍ଙ୍କ ପୁଅ । ଦୀର୍ଘ ୧୭ ବର୍ଷ ଧରି ଲଣ୍ଡନରେ ରହିବା ପରେ ଦୁଇ ମାସ ପୂର୍ବରୁ ବାଂଲାଦେଶ ଫେରିଥିଲେ । ତାରିକଙ୍କ ବ୍ୟତୀତ ୪୯ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣ ହେଉଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ । ୨୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ହିନ୍ଦୁ ନେତା ନିତାଇ ରାୟ ଚୌଧରୀ ଏବଂ ଜଣେ ବୌଦ୍ଧ ନେତା ଦିପେନ୍ ଦେବାନ୍ ଚକ୍ମା ବି ଅଛନ୍ତି । ଗତ ଗୁରୁବାର ଦେଶରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବିଏନ୍ପି ୨୯୯ରୁ ୨୦୯ଟି ଆସନ ଜିତିଥିଲା ।