ନୂଆଦିଲ୍ଲୀ : ବାଂଲାଦେଶର ଚର୍ଚ୍ଚିତ ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନଙ୍କୁ ଭାରତ ସରକାରଙ୍କ ଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ସଙ୍କେତ ଦେଇଛନ୍ତି ଯେ, ତାଙ୍କର ଭାରତରେ ରହିବାକୁ ନିବାସ ପରମିଟ୍‌ ରିନ୍ୟୁ ହୋଇ ସାରିଛି। ଏଥିପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି। ମଙ୍ଗଳବାର ତସଲିମା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଶାହଙ୍କୁ ‘ବହୁତ ବହୁତ ଧନ୍ୟବାଦ’ କହିଛନ୍ତି।

ତସଲିମା ନସରିନ ଗୋଟିଏ ଦିନ ପୂର୍ବରୁ ସୋମବାର ଅମିତ ଶାହଙ୍କୁ ନିବାସ ପରମିଟ୍ ବଢାଇବାକୁ ଅପିଲ କରିଥିଲେ। ସେ କହିଥିଲେ - ସେ ଭାରତକୁ ନିଜର ଦ୍ୱିତୀୟ ଘର ମାନନ୍ତି  ଏବଂ ଗତ ୨୦ ବର୍ଷ ଧରି ଏଠାରେ ରହି ଆସୁଛନ୍ତି। ୨୨ ଜୁଲାଇ ପରେ ତାଙ୍କ ନିବାସ ପରମିଟର ନବୀକରଣ (ରିନ୍ୟୁ) ହେଉ ନଥିଲା, ଯେଉଁଥି ପାଇଁ ସେ ଖୁବ୍‌ ଚିନ୍ତାରେ ଥିଲେ। ସେ ଲେଖିଛନ୍ତି , ପ୍ରିୟ ଅମିତ ଶାହ ଜୀ , ନମସ୍କାର । ମୁଁ ଭାରତରେ ଏଥିପାଇଁ ରହୁଛି , କାରଣ ମୋତେ ଏହି ଦେଶ ବହୁତ ପ୍ରିୟ। ଗତ ୨୦ ବର୍ଷରୁ ଏହା ମୋର ଦ୍ୱିତୀୟ ଘର ହୋଇ ଯାଇଛି। କିନ୍ତୁ ଗୃହ ମନ୍ତ୍ରଣାଳୟ ୨୨ ଜୁଲାଇରୁ ମୋର ନିବାସ ପରମିଟର ନବୀକରଣ କରି ନାହାନ୍ତି । ମୁଁ ବହୁତ ଚିନ୍ତିତ । ଯଦି ଆପଣ ମୋତେ ଏଠାରେ ରହିବାକୁ ଅନୁମତି ଦେବେ ତ ମୁଁ ଆପଣଙ୍କର କୃତଜ୍ଞ ରହିବି। ଏବେ ଗୃହ ମନ୍ତ୍ରଣାଳୟ ତାଙ୍କର ପରିମିଟ୍‌କୁ ରିନ୍ୟୁ କରି ଦେଇଛି।

ଉଲ୍ଲେଖନୀୟ ଯେ, ତସଲିମା ନସରିନଙ୍କ ଉପରେ ଇସଲାମୀ କଟ୍ଟରପନ୍ଥୀଙ୍କ ବିପଦ ବହୁ ଦିନରୁ ଜାରି ରହିଛି। ୧୯୯୩ରେ ତାଙ୍କ ବିରୋଧରେ ଏକ ଫତୱା ଜାରି କରାଯାଇ ଥିଲା। ଯେଉଁଥି ପାଇଁ ତାଙ୍କୁ ନିଜ ଦେଶ ବାଂଲାଦେଶରୁ ଫେରାର ହେବାକୁ ପଡ଼ିଲା। ତାଙ୍କର ଚର୍ଚ୍ଚିତ ପୁସ୍ତକ ଲଜ୍ଜା କାରଣରୁ କଟ୍ଟରପନ୍ଥୀମାନେ ତାଙ୍କ ବିରୋଧରେ ହିଂସା ଓ ଧମକର ସାହାରା ନେଇଥିଲେ। ଏହି ପୁସ୍ତକରେ ସେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ପରିବାରର ଉତ୍ପୀଡ଼ନର ବର୍ଣ୍ଣନା କରି ଥିଲେ। 


ବର୍ତ୍ତମାନ ସମୟରେ ବାଂଲାଦେଶର ସ୍ଥିତି ମଧ୍ୟ ତସଲିମା ପାଇଁ ଚିନ୍ତାର ବିଷୟ ପାଲଟିଛି। ବାଂଲାଦେଶରେ ଶେଖ ହସିନା ସରକାରର ପତନ ପର ଠାରୁ ସେନା ସମର୍ଥିତ ମହମ୍ମଦ ୟୁନୁସଙ୍କର କାର୍ଯ୍ୟବାହକ ସରକାରର ଗଠନ ହୋଇଛି, ଯିଏକି କଟ୍ଟରପନ୍ଥୀ ଓ ଜମାତ୍‌-ଏ-ଇସ୍ଲାମି ପାଇଁ ଦ୍ୱାର ଖୋଲି ଦେଇଛନ୍ତି। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହମଲା ବୃଦ୍ଧି ଘଟଣା ଗୁଡ଼ିକ ମଧ୍ୟରେ ତସଲିମା ଏହି ନୂଆ ବ୍ୟବସ୍ଥାକୁ ଅବୈଧ କହିଛନ୍ତି ଏବଂ ଶେଖ ହସିନାଙ୍କୁ ଏବେ ମଧ୍ୟ ଦେଶର ବୈଧ ନେତା ଭାବିଛନ୍ତି। ତସଲିମା ନସରିନ ସ୍ୱିଡିଶ ନାଗରିକତା ରଖିଛନ୍ତି , ହେଲେ ଗତ ୨୦ ବର୍ଷରୁ ଭାରତରେ ରହୁଛନ୍ତି ଏବଂ ଭାରତ ସରକାର ତାଙ୍କୁ ଦୀର୍ଘ ଅବଧିର ନିବାସ ଅନୁମତି ଦେଇଛନ୍ତି।