ନୂଆଦିଲ୍ଲୀ,୨୮/୧୨: ସହଜ ଓ ସୁବିଧାଜନକ ଚା’-ପାନର ଅନୁଭବ ପ୍ରଦାନ କରିବାରେ ଟି ବ୍ୟାଗ୍ ବେଶ ଲୋକପ୍ରିୟ । ଲୋକେ ଗରମ ପାଣିରେ ଟି ବ୍ୟାଗ୍କୁ ବୁଡ଼ାଇ ଚା’ର ମଜା ନିଅନ୍ତି । କିନ୍ତୁ ଟି ବ୍ୟାଗ୍ର ବାହ୍ୟ ପରସ୍ତରେ ବ୍ୟବହୃତ ଉପକରଣର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ରହିଛି । ପଲିମର ଆଧାରିତ ସାମଗ୍ରୀରେ ପ୍ରସ୍ତୁତ ଟି ବ୍ୟାଗ୍କୁ ଯେତେବେଳେ ପାଣିରେ ବୁଡ଼ାଯାଏ, ସେଥିରୁ ଲକ୍ଷ ଲକ୍ଷ ନାନୋପ୍ଲାଷ୍ଟିକ୍ ଓ ମାଇକ୍ରୋପ୍ଲାଷ୍ଟିକ୍ ନିର୍ଗତ ହୁଏ । ଅଟୋନମସ୍ ୟୁନିଭର୍ସିଟି ଅଫ୍ ବାର୍ସେଲୋନା ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ଖାଦ୍ୟ ପ୍ୟାକେଜିଂ ମାଇକ୍ରୋ ଓ ନାନୋପ୍ଲାଷ୍ଟିକ୍ ମିଶ୍ରଣର ଏକ ପ୍ରମୁଖ ସ୍ରୋତ । ମଣିଷ ଶରୀରକୁ ପ୍ଲାଷ୍ଟିକ୍ ଯିବାର ଦୁଇଟି ମୁଖ୍ୟ ମାର୍ଗ ଶ୍ୱାସକ୍ରିୟା ଓ ଭୋଜନ । ଏହି ନାନୋପ୍ଲାଷ୍ଟିକ୍ ଓ ମାଇକ୍ରୋପ୍ଲାଷ୍ଟିକ୍କୁ ମଣିଷର ଅନ୍ତଃନଳୀ କୋଷିକା ସହଜରେ ଅବଶୋଷିତ କରେ । ଫଳରେ ପ୍ଲାଷ୍ଟିକ୍ ରକ୍ତପ୍ରବାହରେ ପହଞ୍ଚିପାରେ ଏବଂ ସମଗ୍ର ଶରୀରରେ ବ୍ୟାପିଯାଏ ।
ଗବେଷକମାନେ ବିଭିନ୍ନ ପ୍ରକାର ବ୍ୟବସାୟିକ ଟି ବ୍ୟାଗ୍ରୁ ମିଳିଥିବା ମାଇକ୍ରୋ ଓ ନାନୋପ୍ଲାଷ୍ଟିକ୍ଗୁଡ଼ିକର ସଫଳତାପୂର୍ବକ ଚିହ୍ନଟ ଓ ବର୍ଣ୍ଣନ କରିଥିଲେ । ସେମାନେ ଲକ୍ଷ୍ୟ କଲେ, ଯେତେବେଳେ ପାନୀୟ ପ୍ରସ୍ତୁତି ପାଇଁ ଏହି ଟି ବ୍ୟାଗ୍ଗୁଡ଼ିକ ବ୍ୟବହୃତ ହୁଏ, ପ୍ରଚୁର ମାତ୍ରାର ନାନୋ-କଣିକା ଓ ନାନୋଫିଲାମେଣ୍ଟୋସ୍ ଢାଞ୍ଚା ଉତ୍ପନ୍ନ ହୁଏ । ଏହା ମାଇକ୍ରୋ ଓ ନାନୋ-ପ୍ଲାଷ୍ଟିକ୍ ବିପଦର ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଅଧ୍ୟୟନରେ ପ୍ରୟୋଗ ହୋଇଥିବା ଟି ବ୍ୟାଗ୍ଗୁଡ଼ିକ ପଲିମର ନାଇଲନ୍-୬, ପଲିପ୍ରୋପାଇଲିନ ଓ ସେଲ୍ୟୁଲୋଜ୍ରେ ପ୍ରସ୍ତୁତ ହୋଇଥିଲା । ଟି ବ୍ୟାଗ୍ରୁ ଚା’ ପ୍ରସ୍ତୁତ କରିବା ସମୟରେ ପଲିପ୍ରୋପାଇଲିନ୍ ପ୍ରତି ମିଲିଲିଟର ପିଛା ହାରାହାରି ୧୨୦ କୋଟି କଣିକା ଉତ୍ପନ୍ନ କରେ, ଯାହାର ଆକାର ୧୩୬.୭ ନାନୋମିଟର । ସେଲ୍ୟୁଲୋଜ୍ ମିଲିଲିଟର ପିଛା ପ୍ରାୟ ୧୩.୫ କୋଟି କଣିକା ଉତ୍ପନ୍ନ କରେ । ଏହି କଣିକାମାନଙ୍କର ହାରାହାରି ଆକାର ୨୪୪ ନାନୋମିଟର । ଅନ୍ୟପକ୍ଷେ, ନାଇଲନ୍-୬ ମିଲିଲିଟର ପିଛା ୮୧.୮ ଲକ୍ଷ କଣିକା ଉତ୍ପନ୍ନ କରେ । ଏହି କଣିକାଗୁଡ଼ିକର ଆକାର ହାରାହାରି ୧୩୮.୪ ନାନୋମିଟର । ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ ବୈଜ୍ଞାନିକମାନେ ଏହି ପ୍ରଦୂଷକଗୁଡ଼ିକୁ ବର୍ଣ୍ଣନା କରିଥିଲେ । ମାନବ ସ୍ୱାସ୍ଥ୍ୟ ଉପରେ ଏମାନଙ୍କର ସମ୍ଭାବ୍ୟ ପ୍ରଭାବ ଉପରେ ଉନ୍ନତ ଅଧ୍ୟୟନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ବୋଲି ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜିଷ୍ଟ୍ ଆଲ୍ବା ଗାରସିଆ-ରୋଡ୍ରିଗୁଏଜ କହିଛନ୍ତି ।