ଟ୍ରେନ ଯାତ୍ରୀଙ୍କୁ ‘ମେଁ ଭି ଚୌକିଦାର’ ଲେଖା ଥିବା କପରେ ମିଳିଲା ଚା, ଫଟୋ ଭାଇରାଲ ହେବା ପରେ ରେଲଓ୍ବେ ନେଲା ଏଭଳି ପଦକ୍ଷେପ

ନୂଆଦିଲ୍ଲୀ,୨୯।୩: ଲୋକସଭା ନିର୍ବାଚନ ପ୍ରଚାର ଏବେ ଚା’ରୁ ନେଇ ଚୌକିଦାରରେ ପହଁଞ୍ଚିଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ’ଚୌକିଦାର ଚୋର ହେ’ ସ୍ଲୋଗାନ ଦେଇଥିଲେ, ଆଉ ଏହାର ପାଲଟା ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ମେଁ ଭି ଚୌକିଦାର’ ସ୍ଲୋଗାନ ଆରମ୍ଭ କରିଦେଇଛନ୍ତି। ଏବେ ଏହି ସ୍ଲୋଗାନ ପାଲଟି ଯାଇଛି ଅଭିଯାନ। କିନ୍ତୁ ଚା କପରେ ଯେତେବେଳେ ’ମେଁ ଭି ଚୌକିଦାର’ ଲେଖା ଥିବାର ଦେଖିବାକୁ ମିଳିଲା ଏବେ ତାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।

ପ୍ରକୃତ କଥାଟି ହେଲା କାଠଗୋଦାମ ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ତାଙ୍କୁ ଟ୍ରେନରେ ପରଷା ଯାଇଥିବା ଚା’ରେ ’ମେ ଭି ଚୌକିଦାର’ ଲେଖା ହୋଇଥିଲା। ଯାତ୍ରୀ ଜଣକ ଏହି ଚା’ କପର ଫଟୋ ଉଠାଇ ଟ୍ବିଟ୍ କରିଦେଇଛନ୍ତି। ଏହି ଫଟୋ ଏବେ ଟ୍ବିଟରରେ ଭାଇରାଲ ହେବାପରେ ରେଲଓ୍ବେ ପକ୍ଷରୁ କୁହାଯାଇଛି, ଏହି କପ୍ ଗୁଡିକୁ ହଟାଇ ଦିଆଯାଇଛି ଏବଂ ଏହାର ଠିକା ନେଇଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇଛି।
Ministry of Railways on viral pic of tea being served in Shatabdi train in ‘Main bhi Chowkidar’ cups’: It happened today but immediately glasses were withdrawn.Penal action is being taken against the contractor.Action is also being taken against the supervisor.
— ANI (@ANI) March 29, 2019
କୁହାଯାଉଛି ଯେ ଏହି କପରେ ଦୁଇଥର ଚା’ ଦିଆଯାଇଛି। କପ୍ରେ ଏହି ବିଜ୍ଞାପନରେ ଏନଜିଓ ’ସଂକଳ୍ପ ଫାଉଣ୍ଡେସନ’ ପକ୍ଷରୁ ଦିଆଯାଇଛି ବୋଲି ଦେଖିବାକୁ ମିଳିଛି। ଆଇଆରଟିସିର ମୁଖପାତ୍ର କହିଛନ୍ତି, ସେହି ଖବରର ଯାଞ୍ଚ କରାଯିବା ଯେଉଁଥିରେ ’ମେଁ ଭି ଚୌକିଦାର’ ଲେବଲ ଥିବା କପରେ ଚା ଦିଆଯାଇଛି। ଏହା ଆଇଆରଟିସିର ବିନା କିଭଳି ମଞ୍ଜୁରି ଦିଆଗଲା। ସୁପରଭାଇଜର/ପ୍ୟାନଟ୍ରି ପ୍ରଭାରୀଙ୍କୁ କର୍ତବ୍ୟରେ ଅବହେଳା ନେଇ ସ୍ପଷ୍ଟିକରଣ ମାଗିଛନ୍ତି। ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ରେଲଓ୍ବେ ଉପରେ ନିର୍ବାଚନ ଆଚରଣ ବିଧି ଉଲଂଘନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଟିକେଟ୍ ଜାରି କରିବାର ଅଭିଯୋଗ ହୋଇଥିଲା। ପରେ ରେଲଓ୍ବେ ସଫେଇ ଦେଇ କହିଥିଲା ‘ଅଜାଣତରେ ଏଭଳି ଭୁଲ ହୋଇ ଯାଇଛି।’