ଫୁଲବାଣୀ,୩/୩ : ସଦର ବ୍ଲକ ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଗୋଛାପଡା ଥାନା ଅନ୍ତର୍ଗତ ଥିବା ଏକ ବିଦ୍ୟାଳୟର ଶିକ୍ଷକ ଜଣକ ଛାତ୍ରୀଙ୍କୁ ଏକାଧିକ ବାର ଦୁଷ୍କର୍ମ କରିଛନ୍ତି । ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ନଭେମ୍ବର ୨୧ରେ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା । ଅଭିଯୁକ୍ତ ଶିକ୍ଷକ ପୀଡ଼ିତା ଛାତ୍ରୀଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଇଥିଲେ । ଫେରିବା ବାଟରେ ଅନ୍ଧାରର ସୁଯୋଗ ନେଇ ଛାତ୍ରୀଙ୍କୁ ଭୟଭୀତ କରି ଦୁଷ୍କର୍ମ କରିଥଲେ । ଏପରିକି ଘଟଣା ପରେ ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡ଼ିଥିଲେ । ଚେତା ଫେରିବା ପରେ ତାଙ୍କୁ ନେଇ ଘର ପାଖରେ ଛାଡ଼ି ଦେବା ସହ ଏ ବିଷୟରେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ ।

ସମ୍ପୃକ୍ତ ଶିକ୍ଷକ ହଷ୍ଟେଲ ଦାୟିତ୍ୱରେ ଥିବାରୁ ବିଦ୍ୟାଳୟରେ ରହୁଥିଲେ । ଏହାର ସୁଯୋଗରେ ସେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଝିଅର ସାଙ୍ଗସାଥି ଜାଣିବା ପରେ ପ୍ରଧାନଶିକ୍ଷଙ୍କୁ ଅବଗତ କରିଥିଲେ । ହେଲେ ସେ ଘଟଣାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିବା ସହପାଠୀମାନେ କହିଛନ୍ତି। ଇତି ମଧ୍ୟରେ ଝିଅର ସ୍ବାସ୍ଥ୍ୟ ବିଗିଡିବାରୁ ଅନ୍ୟ ଜଣେ ଶିକ୍ଷକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ଆସିବା ପରେ ନାବାଳିକା ଜଣଙ୍କ ସେମାନଙ୍କ ଆଗରେ ସବୁ କଥା କହିଥିଲେ। ଏହାପରେ ପୀଡ଼ିତାଙ୍କ ମା’ ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ, ସମ୍ପୃକ୍ତ ଶିକ୍ଷକ ଝିଅମାନଙ୍କ ସହ ଅସଦାଚରଣ କରୁଥିବା ନେଇ କିଛି ଛାତ୍ରୀ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଅପରପକ୍ଷେ, ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି ଘଟଣା ଅତି ସମ୍ବେଦନଶୀଳ। ତେଣୁ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଅଧିକ ତଦନ୍ତ ଜାରୀ ରଖିଥିବା ସେ ସୂଚନା ଦେଇଛନ୍ତି।