ମୁଖ୍ୟମନ୍ତ୍ରୀଙ୍କୁ ଶିକ୍ଷକଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୦ ।୩(ବ୍ୟୁରୋ): ବିଭିନ୍ନ ଶିକ୍ଷକ ସଙ୍ଗଠନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ମିଳିତ ଶିକ୍ଷକ ଅଧ୍ୟାପକ ମଞ୍ଚର ସଭାପତି ଗୋଲକ ନାୟକ, ସାଧାରଣ ସମ୍ପାଦକ ପବିତ୍ର ମହଲା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ୍ ରାଜ୍ୟ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ନୂତନ ପେନ୍ସନ୍ ଯୋଜନାଭୁକ୍ତ ସଂଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇବା ସହ ଭଲ ପାଠ ପଢ଼ାଇ ଶିକ୍ଷାର ମାନ ଉନ୍ନତ କରିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ୪୪ ହଜାରରୁ ଅଧିକ ଶିକ୍ଷକଙ୍କୁ ନିୟମିତ କରିବା, ଅଣ୍ଡରଟେକିଂ ଦେବାକୁ ଥିବା ସର୍ତ୍ତକୁ ପ୍ରତ୍ୟାହାର କରିବା, ୨୦୧୪ ମସିହାରୁ ପ୍ରଣୟନ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍କୁ ସଂଶୋଧନ କରିଥିବାରୁ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ଦେଇଥିଲେ । ୨୦୧୪ ମସିହା ଜୁଲାଇ ୧ ତାରିଖ ସଂଶୋଧିତ କ୍ୟାଡର ରୁଲ୍ ତ୍ରୁଟିପୂର୍ଣ୍ଣ ଥିବାରୁ ଶିକ୍ଷକ ସଂଗଠନ ପକ୍ଷରୁ ବାରମ୍ବାର ସଂଶୋଧନ କରିବାକୁ ଦାବି କରାଯାଇଥିଲା । ଏହା ସହ ନୂତନ ଯୋଜନାଭୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଦରମା ବୃଦ୍ଧି ପାଇଁ ମଧ୍ୟ ଦାବି କରିଆସୁଥିଲେ । ବର୍ତ୍ତମାନ ସରକାର ସମସ୍ତଙ୍କ ମତାମତକୁ ନେଇ ଯେଉଁ ସଂଶୋଧିତ କ୍ୟାଡର ରୁଲ୍ ପୁନର୍ଗଠନ କଲେ, ସେଥିରେ ଲକ୍ଷାଧିକ ଶିକ୍ଷକ ଉପକୃତ ହେବେ । ଏଥିସହ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପଦୋନ୍ନତି ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ବୋଲି ଶିକ୍ଷକମାନେ ସମାବେଶରେ କହିଥିଲେ । ଏହି ସମାବେଶରେ ମିଳିତ ଶିକ୍ଷକ ଅଧ୍ୟାପକ ମଞ୍ଚର ନେତା ତଥା ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି, ପ୍ରକାଶ ଜେନା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ମହାସଚିବ ଅମୀୟ କୁମାର ଦାସ, ରାଜେଶ ମହାନ୍ତି, ଖଗେନ୍ଦ୍ର ପାଲ୍, ଚାରୁଲତା ମହାପାତ୍ର, ବିକ୍ରମ ରଥ, ବିଜୟ କୁମାର ଜେନା, ରାଜଲକ୍ଷ୍ମୀ ମହାପାତ୍ର, ଶେଖ ଅବଦୁଲ ଖଲିକ୍, ସହସ୍ରାଂଶୁ ମହାନ୍ତି, ପବିତ୍ର ମୋହନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।