ଫେବୃଆରୀ ୯ରୁ ଟେଷ୍ଟ ସିରିଜ୍: ଆର୍. ଅଶ୍ବିନଙ୍କୁ ଅଷ୍ଟ୍ରେଲିଆର ଏତେ ଭୟ କାହିଁକି? ରେକର୍ଡ ହିଁ ବୟାନ କରୁଛି ସବୁକିଛି…

ନୂଆଦିଲ୍ଲୀ ୦୪/ ୦୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି ୪ ଟିକିଆ ଟେଷ୍ଟ ସିରିଜ୍ । ଘରୋଇ ମାଟିରେ କଙ୍ଗାରୁ ଟିମ୍କୁ ମାତ୍ ଦେବା ପାଇଁ ପୂରାପୂରି ପ୍ରସ୍ତୁ ରୋହିତ ବାହିନୀ । ଅନ୍ୟପଟେ ଟିମ୍ ଇଣ୍ଡିଆ ଶାଣିତ ବୋଲିଂ ବାହିନୀକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଭ୍ରମଣକାରୀ ଦଳ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ମଧ୍ୟ ବେଶ୍ ଗୁରୁତ୍ବ ବହନ କରୁଛି । ଫାଇନାଲ ଖେଳିବା ପାଇଁ ଭାରତ ଏହି ସିରିଜ ଜିତିବା ନିତାନ୍ତ ଆବଶ୍ୟକ । ଉଭୟ ଟିମ୍ ମଧ୍ୟରେ ଜୋରଦାର ଟକ୍କର ହେବ ଏଥିରେ ସନ୍ଦେହ ନାହିଁ । ତଥାପି କଙ୍ଗାରୁ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ରବିଚନ୍ଦ୍ରନ ଅଶ୍ବିନ ।
ଭାରତ ମାଟିରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସାମ୍ନା କରିବା ଯେକୌଣସି ଦଳ ପାଇଁ କଷ୍ଟକର । ଅଷ୍ଟ୍ରେଲିଆ ଟିମ୍ ବି ଅଶ୍ବିନଙ୍କୁ କିଭଳି ଭାବେ ସାମ୍ନା କରିହେବ ସେ ନେଇ ମନ୍ଥନ ଚଳାଇଛି । ଜୋରଦାର ଅଭ୍ୟାସ ବି କରୁଛନ୍ତି କଙ୍ଗାରୁ ପ୍ଲେୟାର । ଏପରିକି ଭାରତୀୟ ସ୍ପିନରଙ୍କୁ ନେଟ୍ସରେ ବୋଲିଂ ପାଇଁ ବ୍ୟବହାର କରୁଛି ଅଷ୍ଟ୍ରେଲିଆ । ଭାରତର ମହେଶ ପିଥିୟାଙ୍କୁ ନେଟ୍ସ ବୋଲର୍ ଭାବେ ଟିମରେ ରଖିଛି । କାରଣ ମହେଶ ଅବିକଳ ଅଶ୍ବିନଙ୍କ ଶୈଳୀରେ ବୋଲିଂ କରୁଛନ୍ତି । ତାଙ୍କର ଆକ୍ସନ୍, ବୋଲିଂ କରିବାର ଶୈଳୀ ପୂରାପୂରି ଭାବେ ଅଶ୍ବିନଙ୍କ ଭଳି ।
ପ୍ରଶ୍ନ ଉଠୁଛି ଅଷ୍ଟ୍ରେଲିଆ ଟିମ୍ ରବିଚନ୍ଦ୍ରନ ଅଶ୍ବିନଙ୍କ ଏତେ ଭୟ କରିବାର କାରଣ କ’ଣ? ଘରୋଇ ପିଚ୍ରେ ସେ ପ୍ରତିପକ୍ଷ ଟିମ ଉପରେ ଭାରି ପଡୁଛନ୍ତି କି? ଏହାର ଉତ୍ତର ରେକର୍ଡ ହିଁ କହୁଛି । ନଜର ପକାନ୍ତୁ ରେକର୍ଡ ଉପରେ ।
- ରବିଚନ୍ଦ୍ରନ ଅଶ୍ବିନ ହେଉଛନ୍ତି ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ବିତୀୟ ସବୁଠାରୁ ସଫଳ ବୋଲର । ୮୮ ଟେଷ୍ଟ ଖେଳି ବର୍ତ୍ତମାନ ସୁଦ୍ଧା ୪୪୯ଟି ଓ୍ବିକେଟ ନେଇଛନ୍ତି ସେ । ୩୦ ଥର ଗୋଟିଏ ଇନିଂସରେ ୫ଟି ଓ୍ବିକେଟ ମଧ୍ୟ ନେଇଛନ୍ତି । ସେହିଭଳି ୭ଟି ମ୍ୟାଚରେ ୧୦ କିମ୍ବା ତା’ ଠାରୁ ଅଧିକ ଓ୍ବିକେଟ ନେଇଛନ୍ତି ।
- ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ବିନ ବର୍ତ୍ତମାନ ସୁଦ୍ଧା ମୋଟ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳି ୮୯ଟି ଓ୍ବିକେଟ୍ ନେଇଛନ୍ତି । କ୍ୟାରିୟର ମଧ୍ୟରେ ଯଦି କେଉଁ ଟିମ୍ ବିରୁଦ୍ଧରେ ସର୍ବାଧିକ ଓ୍ବିକେଟ୍ ନେଇଛନ୍ତି ତେବେ ସେହି ଟିମ୍ ହେଉଛି ଅଷ୍ଟ୍ରେଲିଆ ।
- ସିରିଜ୍ ଭାରତରେ ଖେଳାଯାଉଛି । ଘରୋଇ ପିଚ୍ରେ ଅଶ୍ବିନଙ୍କ ରେକର୍ଡ ଦମଦାର ରହିଛି । ଦେଶ ମଧ୍ୟରେ ସେ ୫୧ଟି ଟେଷ୍ଟ ଖେଳିଥିବା ବେଳେ ୩୧୨ଟି ଓ୍ବିକେଟ ନେଇଛନ୍ତି । କେବଳ ବର୍ଡର ଗାଭାସ୍କର ଟ୍ରଫିରେ ୧୮ ମ୍ୟାଚରୁ ୮୯ଟି ଓ୍ବିକେଟ ନେଇଛନ୍ତି ।
- ଟେଷ୍ଟ କ୍ୟାରିୟରରେ ଅଶ୍ବିନ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ବାର୍ଣ୍ଣରଙ୍କୁ ୧୦ ଥର ଆଉଟ୍ କରିସାରିଛନ୍ତି । ସେହିଭଳି ଷ୍ଟିବ ସ୍ମିଥଙ୍କଚ ୬ଥର ଓ୍ବିକେଟ ନେଇଛନ୍ତି । ଏହି ୨ ଜଣ କଙ୍ଗାରୁ ଦଳର ବ୍ୟାଟିଂ ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନି । ତେଣୁ ଅଶ୍ବିନଙ୍କ ଉପରେ ଭାରତ ପୂରାପୂରି ଭାବେ ନିର୍ଭରଶୀଳ ।
ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ବିକେଟ୍ ନେଇଥିବା ବୋଲର ହେଉଛନ୍ତି ଶ୍ରୀଲଙ୍କାର ମୁଥୟା ମୁରଲୀଧରନ । ସେ ୧୩୩ଟି ଟେଷ୍ଟରୁ ୮୦୦ ଓ୍ବିକେଟ ନେଇଛନ୍ତି । ଯାହାକି ବିଶ୍ବ ରେକର୍ଡ । ଏହି କ୍ରମରେ
- ସେନ୍ ଓ୍ବର୍ଣ୍ଣ ୧୪୫ ମ୍ୟାଚ- ୭୦୮ ଓ୍ବିକେଟ୍
- ଜେମ୍ସ ଆଣ୍ଡରସନ୍ ୧୭୭ ମ୍ୟାଚ-୬୭୫ ଓ୍ବିକେଟ
- ଅନିଲ କୁମ୍ବଲେ ୧୩୨ ମ୍ୟାଚ-୬୧୯ ଓ୍ବିକେଟ
- ଷ୍ଟୁଆର୍ଟ ବ୍ରଡ୍ ୧୫୯ ମ୍ୟାଚ-୫୬୬ ଓ୍ବିକେଟ
- ଗ୍ଲେନ୍ ମ୍ୟାକଗ୍ରାଥ୍ ୧୨୪ ମ୍ୟାଚ-୫୬୩ ଓ୍ବିକେଟ
- କର୍ଟନୀ ବୋଲ୍ସ ୧୩୨ ମ୍ୟାଚ୍-୫୧୯ ଓ୍ବିକେଟ୍
- ନାଥାନ୍ ଲାୟନ ୧୧୫ ମ୍ୟାଚ-୪୬୦ ଓ୍ବିକେଟ୍
- ରବିଚନ୍ଦ୍ରନ ଅଶ୍ବିନ ୮୮ ମ୍ୟାଚ୍- ୪୪୯ ଓ୍ବିକେଟ
- ଡେଲ୍ ଷ୍ଟେନ୍ ୯୩ ମ୍ୟାଚ-୪୩୯ ଓ୍ବିକେଟ
ଭାରତ ପକ୍ଷରୁ ଟେଷ୍ଟ ଫର୍ମାଟରେ ସବୁଠାରୁ ଅଧିକ ଓ୍ବିକେଟ୍
- ଅନିଲ କୁମ୍ବଲେ ୧୩୨ ମ୍ୟାଚ୍-୬୧୯ ଓ୍ବିକେଟ
- ରବିଚନ୍ଦ୍ରନ ଅଶ୍ବିନ ୮୮ ଟେଷ୍ଟ-୪୪୯ ଓ୍ବିକେଟ
- କପିଲ ଦେବ ୧୩୧ ଟେଷ୍ଟ-୪୩୪ ଓ୍ବିକେଟ
- ହରଭଜନ ସିଂହ ୧୦୩ ଟେଷ୍ଟ-୪୧୭ ଓ୍ବିକେଟ
- ଇଶାନ୍ତ ଶର୍ମା ୧୦୫ ଟେଷ୍ଟ-୩୧୧ ଓ୍ବିକେଟ
ପଢନ୍ତୁ: ୭୬ ବର୍ଷରେ ୧୭ ଜଣ ଅଧିନାୟକ, କେବଳ ଧୋନୀଙ୍କ ନାଁ’ରେ ହିଁ ରହିଛି ଏହି ରେକର୍ଡ: ଦୋହରାଇ ପାରିବେ ରୋହିତ?