ନୂଆଦିଲ୍ଲୀ,୨୧/୦୨; ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡ୍‌ରେ ଭାରତ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ଜୋରଦାର ପ୍ରସ୍ତୁତି ଚଳାଇଛି । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍‌ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଦକ୍ଷିଣ ଆଫ୍ରିକା ଉକ୍ତ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଥିଲା । ତେଣୁ ଏଥର ପ୍ରତିଶୋଧ ନେବା ପାଇଁ ଦକ୍ଷିଣ ଆଫ୍ରିକା ଜୋରଦାର ପ୍ରୟାସ କରିବ ।

ଭାରତୀୟ ଦଳ ମଧ୍ୟ ସବୁ ଆଲୋଚନାଠୁ ଦୂରରେ ରହି ସମସ୍ତ ତ୍ରୁଟି ସୁଧାରିବାରେ ଲାଗି ପଡ଼ିଛି । ଟସ୍ ଦଳର ସାଥ୍ ଦେଉ ନଥିବାରୁ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର କରିବା ଓ କାକରରେ ବୋଲିଂ କରି ପ୍ରତିପକ୍ଷକୁ ଅଟକାଇବା ପାଇଁ ଅନେକ ରଣନୀତି ପ୍ରସ୍ତୁତ କରିବା ଜରୁରି । ତଥାପି ଏସବୁ ଅପେକ୍ଷା ଟିମ ମ୍ୟାନେଜମେଣ୍ଟ ଓପନିଂ ବ୍ୟାଟର ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ ଅଧିକ ଚିନ୍ତିତ ଥିବା ଦେଖିବାକୁ ମିଳିଛି । ଅଭିଷେକ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ରନ ଖାତା ଖୋଲି ନାହାନ୍ତି । ତଥାପି ତାଙ୍କୁ ଏକାଦଶରୁ ବାଦ ଦେବା ଭାରି ପଡ଼ିପାରେ । ଶୁକ୍ରବାର କୋଚିଂ ସଦସ୍ୟମାନେ ଅଭିଷେକଙ୍କ ଅଭ୍ୟାସ ଉପରେ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଅଭିଷେକ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଅଭିଷେକଙ୍କୁ ବିଶ୍ରାମ ଦେଇ ସଞ୍ଜୁ ସାମସନଙ୍କୁ ଏକାଦଶରେ ସାମିଲ କରିବାକୁ ଅନେକ ପୂର୍ବତନ କ୍ରିକେଟ୍ ଖେଳାଳି ମତ ଦେଉଥିଲେ ହେଁ ଟିମ୍ ମ୍ୟାନେଜମେଣ୍ଟ ଓପନିଂ ବିଭାଗରେ ପରିବର୍ତ୍ତନ କରିବାକୁ ଚାହୁଁ ନଥିବା ବୋଲିଂ କୋଚ ମର୍ଣ୍ଣ ମୋର୍କେଲ ସ୍ପଷ୍ଟ କରି ଦେଇଛନ୍ତି ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର -୮: ଆଜି ପାକିସ୍ତାନ - ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ, ପ୍ରେମଦାସାରେ ସ୍ପିନର ଭରସା

ସାମ୍ବାଦିକ ସମ୍ମିଳନୀରେ ମୋର୍କେଲ କହିଛନ୍ତି, ଅଭିଷେକ ଜଣେ ଦକ୍ଷ ବ୍ୟାଟର । ତାଙ୍କ ବ୍ୟାଟ୍ରୁ ରନ୍ ବାହାରିବାକୁ ଆଉ ବେଶୀ ସମୟ ବାକି ନାହିଁ । ତେଣୁ ତାଙ୍କୁ ବାଦ ଦେବାର ଆବଶ୍ୟକତା ନାହିଁ । ସେହିପରି ସହକାରୀ କୋଚ ର୍ୟାନ ଟେନ ଡୋସେଟ୍ କହିଥିଲେ, ଟପ ଅର୍ଡରରେ ୩ଜଣ ବାମ ହାତି ବ୍ୟାଟର (ଅଭିଷେକ, କିଷନ ଓ ତିଳକ) ରହିଥିବାରୁ ପ୍ରତିପକ୍ଷ ଦଳ ଅଫ ସ୍ପିନର ଜରିଆରେ ଚାପ ପକାଉଛନ୍ତି । ମାତ୍ର ସେମିତି ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ଦଳରେ ହିଁ ସବୁଠୁ ଦକ୍ଷ ଅଫ ସ୍ପିନର ରହିଛନ୍ତି । ଦକ୍ଷିଣ ଆଫ୍ରିକା ନିକଟରେ କେବଳ ଆଡେନ ମାର୍କରମ ଡାହାଣ ହାତି ଅଫ ସ୍ପିନର ଭାବେ ରହିଛନ୍ତି । କେବଳ ତାଙ୍କ ପାଇଁ ଏକାଦଶରେ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ।