ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳ ଏବଂ ପରିବାରରୁ ବହିଷ୍କାର କରିଛନ୍ତି । କିନ୍ତୁ ତେଜ ପ୍ରତାପ ଯାଦବ ତାଙ୍କ ପରିବାରକୁ ଭୁଲ ବୁଝିନାହାନ୍ତି ବରଂ ତାଙ୍କର ଭଲ ପାଇବା ଆହୁରି ବଢ଼ିଯାଇଛି । ସୋସିଆଲ ମିଡିଆରେ ନିଜର ପ୍ରେମ ସଂପର୍କରେ ପୋଷ୍ଟ କରିଥିଲେ ତେଜପ୍ରତାପ । ଏହା ପରେ ତାଙ୍କୁ ଦଳରୁ ଏବଂ ପରିବାରରୁ ବହିଷ୍କାର କରିଥିଲେ ଲାଲୁ ଯାଦବ । ସେବେ ଠାରୁ ତେଜପ୍ରତାପ କୌଣସି ପ୍ରତିକ୍ରିୟା ଦେଇନଥିଲେ । ବାପା ଲାଲୁ ପ୍ରସାଦ, ଭଉଣୀ ରୋହିଣୀ ଆଚାର୍ଯ୍ୟ ଏବଂ ସାନ ଭାଇ ତେଜସ୍ୱୀ ଯାଦବଙ୍କୁ ନେଇ ମଧ୍ୟ ସେ ନିଜର ଅସନ୍ତୋଷ ପ୍ରକାଶ କରିନଥିଲେ । ଦଳରୁ ବିଦା ହେବାର ୩ ଦିନ ପରେ ତେଜପ୍ରତାପଙ୍କ ପ୍ରଥମ ପ୍ରତିକ୍ରିୟା ମିଳିଛି ।
ମଙ୍କଳବାର ତେଜପ୍ରତାପ ନିଜ ପୁତୁରାଙ୍କ ଉଦ୍ଦେଶ୍ୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତରେ ତାଙ୍କ ସାନ ଭାଇ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ଆଉ ଏହା ସହ ତେଜପ୍ରତାପ ବଡ଼ ବାପା ହୋଇଛନ୍ତି । ଏଥିପାଇଁ ତେଜପ୍ରତାପ ନିଜ ସାନ ଭାଇ ତେଜସ୍ୱୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ଭାଇ ଏବଂ ପୁତୁରାଙ୍କ ଫଟୋ ସେୟାର କରି ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବ ଲେଖିଛନ୍ତି ଯେ, ଶ୍ରୀ ବାଙ୍କେ ବିହାରୀ ଜୀଙ୍କ ଅସୀମ କୃପା ଏବଂ ଆଶୀର୍ବାଦ ଯୋଗୁଁ, ନବଜାତ ଶିଶୁ (ପୁତ୍ରର ଜନ୍ମ)ର ଆଗମନରେ ମୁଁ ବଡ଼ ବାପା ହେବାର ସୌଭାଗ୍ୟ ପାଇଛି। ସାନ ଭାଇ ତେଜସ୍ୱୀ ପ୍ରସାଦ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମୋର ପୁତୁରାକୁ ମୋର ସ୍ନେହପୂର୍ଣ୍ଣ ଆଶୀର୍ବାଦ ଏବଂ ପ୍ରେମ ।’
श्री बांके बिहारी जी के असीम कृपा व आशीर्वाद से नवजात शिशु के आगमन ( पुत्ररत्न की प्राप्ति ) पर मुझे बड़े पापा बनने का सौभाग्य प्राप्त हुआ है..छोटे भाई तेजस्वी प्रसाद यादव एवं राज श्री यादव को हार्दिक बधाई एवं शुभकामनाएं...भतीजे को मेरा स्नेहिल आशीर्वाद एवं शुभ प्यार..… pic.twitter.com/BateZ0fN5d
— Tej Pratap Yadav (@TejYadav14) May 27, 2025
ମେ ୨୪ ତାରିଖରେ ତେଜପ୍ରତାପ ଯାଦବଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରାଯାଇଥିଲା। ଏଥିରେ ତେଜପ୍ରତାପଙ୍କୁ ଜଣେ ଝିଅ ସହିତ ଦେଖିବାକୁ ମିଳିଥିଲା। ଏଥିରେ ଲେଖାଯାଇଥିଲା ଯେ ମୁଁ ତେଜପ୍ରତାପ ଯାଦବ ଏବଂ ମୋ ସହିତ ଏହି ଫଟୋରେ ଦେଖାଯାଉଥିବା ଝିଅର ନାମ ଅନୁଷ୍କା ଯାଦବ । ଆମେ ଦୁହେଁ ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଜାଣୁ ଏବଂ ଭଲ ପାଉ। ଆମେ ଗତ ୧୨ ବର୍ଷ ଧରି ଏକ ସମ୍ପର୍କରେ ଅଛୁ। ମୁଁ ବହୁତ ଦିନ ଧରି ସମସ୍ତଙ୍କୁ ଏହା କହିବାକୁ ଚାହୁଁଥିଲି କିନ୍ତୁ ମୁଁ ବୁଝିପାରୁ ନଥିଲି କିପରି କହିବି....? ତେଣୁ ଆଜି ଏହି ପୋଷ୍ଟ ମାଧ୍ୟମରେ ମୁଁ ଆପଣମାନଙ୍କ ସହିତ ମୋ ହୃଦୟର ଭାବନା ବାଣ୍ଟି ପାରୁଛି ! ମୁଁ ଆଶା କରୁଛି ଆପଣମାନେ ମୁଁ କଣ କହୁଛି ତାହା ବୁଝିପାରିବେ ।
ପରେ ଏହି ପୋଷ୍ଟଟି ତେଜପ୍ରତାପ ଯାଦବଙ୍କ ଆକାଉଣ୍ଟରୁ ଡିଲିଟ କରିଦିଆଯାଇଥିଲା । ଏହା ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଥିଲା। ତେଜପ୍ରତାପଙ୍କ ଏହି ପୋଷ୍ଟ ଭାଇରାଲ ହେବାର କିଛି ଘଣ୍ଟା ପରେ, ସେ ଟ୍ୱିଟରରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ଦେଇଥିଲେ। ସେ କହିଥିଲେ, ‘ମୋର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ କରାଯାଇଛି । ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ହଇରାଣ ଏବଂ ବଦନାମ କରିବା ପାଇଁ ମୋର ଫଟୋଗୁଡ଼ିକୁ ଭୁଲ ଉପାୟରେ ଦେଖାଯାଉଛି । ମୁଁ ମୋର ଶୁଭେଚ୍ଛୁ ଏବଂ ଅନୁଗାମୀମାନଙ୍କୁ ସତର୍କ ରହିବାକୁ ଏବଂ କୌଣସି ଗୁଜବରେ ଧ୍ୟାନ ନ ଦେବାକୁ ନିବେଦନ କରୁଛି।’