ଭୁବନେଶ୍ୱର,୧୬/୧୨: ରାଜଧାନୀର ତାରକା ହୋଟେଲ ସାମ୍ନାରେ ହୋଇଥିବା ଲାଞ୍ଚ କାରବାର ମାମଲା ମାତ୍ର ୧୦ ଲକ୍ଷ  ଟଙ୍କାରେ ସୀମିତ ନାହିଁ । ଟେଣ୍ଡର ହାତେଇବା ପାଇଁ ଏଭଳି ଡିଲ୍‌ ପୂର୍ବରୁ ଏକାଧିକ  ଥର ହୋଇଥିବା ଗନ୍ଧ ବାରି ଜାତୀୟ  ତଦନ୍ତକାରୀ ସଂସ୍ଥା (ସିବିଆଇ) ପ୍ରମାଣ ସଂଗ୍ରହରେ ଲାଗିଛି । ରବିବାର ସିବିଆଇ  ଉକ୍ତ ତାରକା ହୋଟେଲର ଜେନେରାଲ  ମ୍ୟାନେଜର ଶୁଭମୟ ବାନାର୍ଜୀଙ୍କୁ ପଚରାଉଚରା କରିଛି । ଉକ୍ତ ହୋଟେଲରେ ଥରେ ଲାଞ୍ଚ  କାରବାର ହୋଇଥିଲା ନା ହୋଟେଲଟି  ଡିଲ୍‌ ପଏଣ୍ଟ ପାଲଟିଥିଲା । ସେନେଇ  ପ୍ରମାଣ ସଂଗ୍ରହରେ ଲାଗିଛି ସିବିଆଇ । 

ଲାଞ୍ଚ କାରବାର ବେଳର ଅଧିକ ତଥ୍ୟ ପାଇଁ ସିବିଆଇ ପକ୍ଷରୁ ଶ୍ରୀ ବାନାର୍ଜୀଙ୍କୁ ସମନ ଜାରି ହୋଇଥିଲା । ରବିବାର ଅପରାହ୍ଣରେ ସେ ସିବିଆଇ ଅଫିସରେ ପହଞ୍ଚିଥିଲେ । ରିମାଣ୍ଡରେ  ଥିବା ବ୍ରିଜ ଆଣ୍ଡ ରୁଫ୍‌ ଗ୍ରୁପ୍‌ ଜେନେରାଲ  ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ମଧ୍ୟସ୍ଥ ତଥା ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ  ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର  ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌  କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ  ମହାରଣାଙ୍କ ସାମ୍ନାରେ ଶ୍ରୀ ବାନାର୍ଜୀଙ୍କୁ ଦୀର୍ଘ  ସମୟ ପାଇଁ ପଚରାଉଚରା କରାଯାଇଛି ।  

ଗତ ୭ ତାରିଖ ସନ୍ଧ୍ୟାରେ ତାରକା ହୋଟେଲରେ ଚାଲିଥିଲା କ’ଣ ? ଡିଲ୍‌ ବେଳେ ୩ ଅଭିଯୁକ୍ତଙ୍କ ବାଦ୍‌ ଅନ୍ୟ କେଉଁମାନେ  ଉପସ୍ଥିତ ଥିଲେ? ଡିଲ୍‌ ଚାଲିଥିବା ଟେବୁଲଟି  କାହା ନାଁରେ ବୁକ୍‌ କରାଯାଇଥିଲା? ଟେବୁଲରେ  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି  ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ  ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ  ଉପସ୍ଥିତ ଥିଲେ କି? ଶ୍ରୀ ବାନାର୍ଜୀଙ୍କୁ  ପଚରାଉଚରା ବେଳେ ଏସବୁ ପ୍ରଶ୍ନର ଉତ୍ତର ଖୋଜିଥିଲା ସିବିଆଇ । ଏହି ଡିଲ୍‌ଟି ପ୍ରଥମ  ଥିଲା ନା, ପୂର୍ବରୁ ଏମିତି ଏକାଧିକ ଥର ଲାଞ୍ଚ  କାରବାର ହୋଇଛି । ସେ ସମ୍ପର୍କରେ ତଥ୍ୟ ଜାଣିବାକୁ ଚାହିଁଥିଲା । ରାତି ୭ଟା ବେଳକୁ ସେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ । 

ଲାଞ୍ଚ କାରବାରରେ ଅନ୍ୟମାନଙ୍କ ସମ୍ପୃକ୍ତିର ସତ ଜାଣିବା ପାଇଁ ତାରକା ହୋଟେଲର ସିସି  କ୍ୟାମେରା ଫୁଟେଜ ମଗାଯାଇଥିଲା । କିନ୍ତୁ ଶ୍ରୀ ବାନାର୍ଜୀ ଏହି ଫୁଟେଜ ଦେବା ପାଇଁ ଲିଖିତ ଭାବେ ଆବେଦନ କରିବାକୁ ସିବିଆଇକୁ କହିଥିଲେ । ସିବିଆଇକୁ ସିସି କ୍ୟାମେରା  ଫୁଟେଜ ହସ୍ତାନ୍ତର କରାଯାଇଛି । ଫୁଟେଜ ଯାଞ୍ଚରୁ ଶ୍ରୀ ସେଠୀଙ୍କ ସମ୍ପୃକ୍ତିର ସତ ସାମ୍ନାକୁ ଆସିବ । ସେହି ଆଧାରରେ ଆଗକୁ ଅନ୍ୟ ବ୍ୟକ୍ତିବିଶେଷ  ଓ ସରକାରୀ ଅଧିକାରୀଙ୍କୁ ସମନ କରାଯିବ ।  

ବ୍ରିଜ୍‌ ଆଣ୍ଡ ରୁଫ୍‌ ଗ୍ରୁପ୍‌ ସଂସ୍ଥାର ରାମମନ୍ଦିର  ନିକଟସ୍ଥ ଅଫିସରେ ସିବିଆଇର ଏକ ଟିମ୍‌ ଯାଞ୍ଚ  କରିଛି । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛି । ସଂସ୍ଥା ପୂର୍ବରୁ କାମ ନେଇଥିବା କିଛି  ଟେଣ୍ଡରରେ ଅନିୟମିତତା ହୋଇଥିବା ଗନ୍ଧ  ବାରିଛି ସିବିଆଇ । ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ ଅଦାଲତରେ ହାଜର କରାଯିବ । ଏହାପୂର୍ବରୁ  ଶ୍ରୀ ସେଠୀ ହାଜର ହୋଇ ନିଜ ତଥ୍ୟ ଦେବେ  ବୋଲି ସୂଚନା ମିଳିଛି । ଚଞ୍ଚଲ ଓ ସନ୍ତୋଷଙ୍କ  ଓକିଲ ରାଜେଶ ମିଶ୍ର କହିଛନ୍ତି, ଚଞ୍ଚଲଙ୍କ ଦେହ ଖରାପ ହୋଇଛି । ତାଙ୍କୁ ହସ୍ପିଟାଲକୁ ପଠାଯାଇପାରେ । ସୋମବାର ଅଦାଲତରେ ଉଭୟଙ୍କ ଜାମିନ୍‌ ଆବେଦନ କରାଯିବ। 

ଗତ ୧୧ ତାରିଖ ସୁଦ୍ଧା ସିବିଆଇରେ  ହାଜର ହେବାକୁ ଶ୍ରୀ ସେଠୀଙ୍କୁ ସମନ ଜାରି  କରାଯାଇଥିଲା । ତାଙ୍କ ଦୁଇ ଡ୍ରାଇଭର ନୃସିଂହ ଶତପଥୀ ଏବଂ ତୁଷାର କୁମାରଙ୍କୁ ଗତକାଲି  ଦୀର୍ଘ ସମୟ ପାଇଁ ଜେରା କରାଯାଇଛି ।  ମଧ୍ୟସ୍ଥ ଦେବଦତ୍ତଙ୍କ କାର୍ଯ୍ୟାଳୟର ସବୁ ଅଧିକାରୀଙ୍କୁ ପଚରାଉଚରା ସରିଛି । ଏପରିକି  ଦେବଦତ୍ତଙ୍କ ସ୍ତ୍ରୀ ଓ ସନ୍ତୋଷଙ୍କ ବାପାଙ୍କୁ  ମଧ୍ୟ ସିବିଆଇ ପଚରାଉଚରା ଚଳିଛି ।