କଟକ, ୧୫।୬ : ଏସସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ନାଁ ବେବି ଜେନା (୨୧)। ତାଙ୍କ ଘର ମାହାଙ୍ଗା ଥାନା ଭଉରିଆଁ ଗ୍ରାମରେ।
ପ୍ରସୂତିଙ୍କୁ ମାହାଙ୍ଗା ଡାକ୍ତର ଗତ ୧୨ ତାରିଖରେ ଏସସିବି ସ୍ଥାନାନ୍ତର କରିଥିଲେ। ଚିକିତ୍ସା ହେବା ମଧ୍ୟରେ ପ୍ରସବ ଜନିତ ସମସ୍ୟାକୁ ଏଡାଇବା ପାଇଁ ଗାଇନିକ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କର ଅପରେସନ କରାଯାଇ ଦୁଇଟି ଯାଅଁଳା ନବଜାତକ ପ୍ରସବ କରାଯାଇଥିଲା। ପ୍ରସବ ପରେ ମା’ ୱାର୍ଡକୁ ସ୍ଥାନାନ୍ତର ହୋଇଥିବା ବେଳେ ଦୁଇ ଯମଜ ନବଜାତକ ଏସଏନସିୟୁରେ ଭର୍ତ୍ତି ହୋଇଥିଲେ। ସମ୍ପୃକ୍ତ ପ୍ରସୂତି ଚିକିତ୍ସା ହେବା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଲେବର ରୁମରେ ଥିବା ଏଚଡିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ହେଉଥିବା ବେଳେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କର ମୃତ୍ୟୁ ଘଟିଥିବାର ସ୍ବାମୀ ସଞ୍ଜିବ ପ୍ରଧାନ ଅଭିଯୋଗ କରିଛନ୍ତି। ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ଅବହେଳାରେ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ ଓ ପ୍ରତିବାଦ କରିଥିଲେ। ଫଳରେ ଏହାକୁ ନେଇ ହସ୍ପିଟାଲ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ନବଜାତକ ଯାଆଁଳା ନବଜାତକଙ୍କ ମଧ୍ୟରେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଥିବାର ଜଣାଯାଇଛି।