ନୂଆଦିଲ୍ଲୀ,୨୨/୦୪: ମଙ୍ଗଳବାର ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୂତ୍ର ଅନୁସାରେ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଏହି ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ଟିଆର୍ଏଫ୍ ନିଜକୁ ଦାୟୀ କରିଛି। ତେବେ ଜମ୍ମୁ ଏବଂ କାଶ୍ମୀରରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବା ଘଟଣା ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଘଟଣା ଘଟିଛି...
୧୮ ମଇ ୨୦୨୪: ରାଜସ୍ଥାନର ଜୟପୁରର ଏକ ଦମ୍ପତିଙ୍କୁ ଟାର୍ଗେଟ କରି ଶ୍ରୀନଗରରେ ଆତଙ୍କବାଦୀମାନେ ଗୁଳି କରିଥିଲେ
୯ ଜୁନ୍ ୨୦୨୪: ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ଭର୍ତ୍ତି ବସ୍ ଉପରେ ରାତି ଅନ୍ଧାରରେ ଆଖିବୁଜା ଗୁଳିମାଡ଼ କରିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ୩୩ ଜଣ ଆହତ ହୋଇଥିଲେ।
୧୪ ନଭେମ୍ବର ୨୦୦୫: ଶ୍ରୀନଗରର ଲାଲ ଚୌକ ଅଞ୍ଚଳର ଏକ ସିନେମା ହଲ୍ ନିକଟରେ ଆତ୍ମଘାତୀ ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଜଣେ ଜାପାନୀ ପର୍ଯ୍ୟଟକଙ୍କ ସମେତ ୧୭ ଜଣ ଆହତ ହୋଇଥିଲେ।
୪ ଜୁଲାଇ, ୧୯୯୫: ପହଲଗାମର ଲିବ୍ଦରୱାଟରେ ହରକତ-ଉଲ-ଅନସାର ନାମକ ଏକ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ଛଅ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ଦୁଇଜଣ ଗାଇଡଙ୍କୁ ଅପହରଣ କରିଥିଲେ। ଅପହୃତ ପର୍ଯ୍ୟଟକମାନେ ଆମେରିକା, ବ୍ରିଟେନ, ନରୱେ ଏବଂ ଜର୍ମାନୀର ନାଗରିକ ଥିଲେ। ଆତଙ୍କବାଦୀଙ୍କ ଦ୍ୱାରା ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।
୨୦ ଜୁଲାଇ ୨୦୦୧: ଅମରନାଥ ଗୁମ୍ଫା ମନ୍ଦିର ନିକଟରେ ଥିବା ତୀର୍ଥଯାତ୍ରୀଙ୍କ ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆଠ ଜଣ ତୀର୍ଥଯାତ୍ରୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ସାଧାରଣ ନାଗରିକ ଏବଂ ଦୁଇ ଜଣ ସୁରକ୍ଷା ବାହିନୀ କର୍ମଚାରୀ ରହିଥିଲେ।
ଅଗଷ୍ଟ ୧ ଏବଂ ୨ ତାରିଖ, ୨୦୦୦: କାଶ୍ମୀରର ଅନନ୍ତନାଗ ଜିଲ୍ଲା ଏବଂ ଜମ୍ମୁ ଅଞ୍ଚଳର ଡୋଡା ଜିଲ୍ଲାରେ ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ଅଗଷ୍ଟ ୧ ତାରିଖରେ ହୋଇଥିବା ପାଞ୍ଚଟି ଆକ୍ରମଣରେ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଥିଲେ। ଅଗଷ୍ଟ ୨ ତାରିଖରେ ପହଲଗାମର ନନୱାନ ବେସ୍ କ୍ୟାମ୍ପକୁ ଟାର୍ଗେଟ କରାଯାଇଥିଲା। ଏଥିରେ ୨୧ ଜଣ ତୀର୍ଥଯାତ୍ରୀ, ୭ ଜଣ ସ୍ଥାନୀୟ ଦୋକାନୀ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା।