ନୂଆଦିଲ୍ଳୀ,୯।୨: ଫରିଦାବାଦ ଜେଲରେ ବନ୍ଦୀ ଥିବା ଅଯୋଧ୍ୟା ରାମ ମନ୍ଦିର ଆକ୍ରମଣର ଷଡ଼ଯନ୍ତ୍ରକାରୀ ଅବଦୁଲ ରେହମାନକୁ ଗତକାଲି ରାତିରେ ହତ୍ୟା କରାଯାଇଛି। ଜେଲର କଏଦୀମାନେ ହତ୍ୟା କରିଥିବା ଜଣାପଡିଛି। ୧୯ ବର୍ଷୀୟ ଅବଦୁଲ ରେହମାନକୁ ୨୦୨୫ ମାର୍ଚ୍ଚରେ ହରିୟାଣା ଏସଟିଏଫ ଏବଂ ଗୁଜରାଟ ଏଟିଏସ ଗିରଫ କରିଥିଲା। ରବିବାର ରାତି ୮ଟାରେ ଫରିଦାବାଦ ଜିଲ୍ଲା ଜେଲରେ ସାଥୀ କଏଦୀ ଅରୁଣ ଚୌଧୁରୀ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫରିଦାବାଦ ଜେଲରେ ଘଟିଥିବା ଏହି ହତ୍ୟାକାଣ୍ଡ ଉପରେ ରୋହିତ ଗୋଦରା ଗ୍ୟାଙ୍ଗ ପକ୍ଷରୁ ଏକ ପୋଷ୍ଟ କରାଯାଇଛି। ରୋହିତ ଗୋଦରା ଗ୍ୟାଙ୍ଗର ସଦସ୍ୟ ମହେନ୍ଦ୍ର ଡେଲାନା ସୋସିଆଲ ମିଡିଆରେ ଅଭିଯୁକ୍ତ ହତ୍ୟାକାରୀ ଅରୁଣ ଚୌଧୁରୀକୁ କରିଛନ୍ତି। ଡେଲାନା ଲେଖିଛନ୍ତି ଦେଶ ବିରୋଧରେ ଯିଏ ଯିବ ,ତା’ର ଏଭଳି ପରିଣାମ ହେବ।
ଡେଲାନ୍ ଲେଖିଛନ୍ତି ଗତକାଲି ରାତିରେ ଫରିଦାବାଦ ଜେଲ୍ରେ ଅବଦୁଲ ରହମାନକୁ ମାରି ଦିଆଗଲା। ସେ ଜଣେ ଆତଙ୍କବାଦୀ ଥିଲା ଓ ରାମ ମନ୍ଦିର ଆକ୍ରମଣର ଯୋଜନାରେ ସାମିଲ ଥିଲା। ଯେତେବେଳେ ଫରିଦାବାଦରୁ ଧରା ଯାଇଥିଲା ତା ପାଖରେ ୨ଟି ହାଣ୍ଡ ଗ୍ରେନେଡ୍ ଥିଲା। ସେ ଦେଶ ବିରୋଧି ବହୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା। ଅରୁଣ ଚୌଧୁରୀ ତାକୁ ମାରିଥିବାରୁ ସେ ଭାଇକୁ ମୋର ହୃଦୟରୁ ଧନ୍ୟବାଦ ଓ ସଲାମ।’
ଗିରଫ ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଅବଦୁଲ ରହମାନଙ୍କଠାରୁ ଦୁଇଟି ହାଣ୍ଡ ଗ୍ରେନେଡ୍ ଜବତ କରିଥିଲା। ଅବଦୁଲ ରହମାନର ଆଇଏସଆଇ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ଅବଦୁଲ ରହମାନ ଅଯୋଧ୍ୟାର ଇନାୟତ ନଗର ଥାନା ଅଞ୍ଚଳର ବାସିନ୍ଦା ଥିଲା। ଦୁଇ ଦିନ ପୂର୍ବେ ତା ପରିବାର ଲୋକ ତାକୁ ଭେଟିବା ପରେ ଅଯୋଧ୍ୟା ଫେରି ଆସିଥିଲେ। ତଦନ୍ତକାରୀ ଏଜେନ୍ସି ଅବଦୁଲ ରହମାନ ଉପରେ ରାମ ମନ୍ଦିର ପରିସରରେ ଗ୍ରେନେଡ୍ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ।