ନୂଆଦିଲ୍ଲୀ ୨୮/୦୪: ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ଲାଗି ଆଦିଲ ହୁସେନ୍ ଥୋକରକୁ ଅନ୍ୟତମ ମାଷ୍ଟରମାଇଣ୍ଡ ବିବେଚନା କରାଯାଉଛି । ଆକ୍ରମଣ ପରେ ଅନନ୍ତନାଗର ଗୁରି ଗାଁରେ ଥିବା ତାର ଘରକୁ ମାଟିରେ ମିଶାଇ ଦେଇଛି ସେନା । ଆଦିଲ୍ ସଂପର୍କରେ କୌଣସି ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ଦେବାକୁ ଅଧିକାରୀମାନେ ଘୋଷଣା କରିଛନ୍ତି ।
ଏକଦା କିନ୍ତୁ ସେ ଜଣେ ପ୍ରତିଭାବାନ ଛାତ୍ର ଥିଲା । ଅନନ୍ତନାଗ ଖାନୱଲର ସରକାରୀ ଡିଗ୍ରୀ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ଇଗ୍ନୋରୁ ସ୍ନାତକୋତ୍ତୋର ଶିକ୍ଷା ଗ୍ରହଣ କରୁଥିଲା । ଏହି ସମୟରେ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିଲା । ପାର୍ଟ ଟାଇମ୍ ଶିକ୍ଷକ ଭାବେ ପିଲାଙ୍କୁ ପାଠ ମଧ୍ୟ ପଢ଼ାଉଥିଲା । ପଡ଼ୋଶୀ ହାଫିଜ୍ କହିଛନ୍ତି, ଆଦିଲ ବେଶୀ ଲୋକଙ୍କ ସହ ମିଳାମିଶା କରୁନଥିଲା । ପାଠପଢ଼ା ଉପରେ ତାର ଫୋକସ୍ ଥିଲା । ଅନ୍ୟଜଣେ ପଡ଼ୋଶୀ ଗାଜି ତାକୁ ଶାନ୍ତ, ଭଦ୍ର ଓ ଅଧ୍ୟୟନଶୀଳ ଯୁବକ ଭାବେ ଅଭିହିତ କରିଛନ୍ତି ।
୨୦୧୮ ମସିହା ଏପ୍ରିଲ ୨୯ରେ ଏକ ପରୀକ୍ଷା ଦେବାକୁ ବଡ଼ଗାମ୍ ଯାଇ ସେ ଆଉ ଫେରିନଥିଲା । ତାର ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ଥିଲା । ବାଧ୍ୟ ହୋଇ ପରିବାର ଲୋକେ ୩ ଦିନ ପରେ ପୁଲିସକୁ ସୂଚୀତ କରିଥିଲେ । କିନ୍ତୁ ତାର କୌଣସି ଖୋଜଖବର ମିଳିନଥିଲା । ଗୁଇନ୍ଦା ଏଜେନ୍ସିଗୁଡି଼କ ଅନୁସାରେ, ଆଦିଲ ଇତିମଧ୍ୟରେ ଷ୍ଟଡି ଭିସାରେ ପାକିସ୍ତାନ ପଳାଇଥିଲା । ସେଠାରେ ସେ କଟ୍ଟରପନ୍ଥୀ ନେତାଙ୍କୁ ଭେଟି ଦେଶବିରୋଧୀ ଗତିବିଧିରେ ସାମିଲ ହୋଇଥିଲା । ୨୦୨୪ ଅର୍ଥାତ୍ ଗତବର୍ଷ ସେ ନିୟନ୍ତ୍ରଣରେଖା ପାର କରି ଭାରତକୁ ପୁନଃ ପ୍ରବେଶ କରିଥିବା କୁହାଯାଉଛି । ଏଭଳିକ୍ଷେତ୍ରରେ ଆଦିଲର ପରିବାର ବିଶେଷ କରି ତାର ମା’ ଶାହଜାଦା ବାନୋ ସେମାନେ ୨୦୧୮ ପରଠାରୁ ତା’ ବିଷୟରେ କିଛି ଜାଣିନଥିବା କହିଛନ୍ତି । ବାନୋଙ୍କ ଅନୁସାରେ, ପୁଅ ଏଭଳି କାଣ୍ଡରେ ସାମିଲ ଥିବ ବୋଲି ବିଶ୍ୱାସ କରିହେଉନାହିଁ । ଯଦି ସେ ଏଥିରେ ଲିପ୍ତ ଥିବ ତେବେ ସୁରକ୍ଷାକର୍ମୀ ନିୟମ ଅନୁସାରେ ପଦକ୍ଷେପ ନେବେ । ସେହିଭଳି ଆଦିଲକୁ ଆତ୍ମସମର୍ପଣ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।