ନୂଆଦିଲ୍ଲୀ,୨୬/୧୧: କଫିନ୍ରୁ ଜୀବିତ ବାହାରିଲେ ମୃତ ମହିଳା । ଥାଇଲାଣ୍ଡରୁ ଏଭଳି ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି । ୱାଟ୍ ରାଟ୍ ପ୍ରାକ୍ହଙ୍ଗ୍ ଥାମ୍ ନାମକ ବୌଦ୍ଧ ମନ୍ଦିରର ସମାଧିସ୍ଥଳରେ ସମାଧି ଦେବାର କିଛି ମୁହୂର୍ତ୍ତ ପୂର୍ବରୁ କଫିନ୍ ଭିତରେ ସେ ଜୀବିତ ଥିବା ଜଣାପଡ଼ିଲା । ମନ୍ଦିର ନିଜ ଔପଚାରିକ ଫେସ୍ବୁକ ପେଜ୍ରେ ଘଟଣାର ଭିଡିଓ ଶେୟାର କରିଛି । ଏଥିରେ ଏକ ପିକ୍ଅପ୍ ଟ୍ରକ୍ ପଛରେ ଧଳା ରଙ୍ଗର କଫିନ୍ରେ ମହିଳା ଜଣଙ୍କ ଶୋଇଥିବା ଦେଖିବାକୁ ମିଳିଛି । ତାଙ୍କ ବାହୁ ଓ ମୁଣ୍ଡ ହାଲୁକା ହଲୁଥିବା ଦେଖାଯାଉଛି ।
ମନ୍ଦିର ପ୍ରବନ୍ଧକ ପାଇରାଟ ସୁଠ୍ଥୁପ୍ କହିଛନ୍ତି, ୬୫ ବର୍ଷୀୟା ମୃତ ମହିଳାଙ୍କୁ ତାଙ୍କ ଭାଇ ଫିଟସାନୁଲୋକ ପ୍ରଦେଶରୁ ସମାଧିସ୍ଥଳକୁ ଆଣିଥିଲେ । ମନ୍ଦିର କର୍ମଚାରୀମାନେ ସମାଧି ପ୍ରକ୍ରିୟା ବିଷୟରେ ଆଲୋଚନା କରୁଥିଲେ । ଏତିକିବେଳେ କଫିନ୍ ଭିତରୁ ଠକ୍ ଠକ୍ ଶବ୍ଦ ସେମାନେ ଶୁଣିବାକୁ ପାଇଲେ । ଘଟଣା ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା । ତେଣୁ କଫିନ୍ ଖୋଲିବାକୁ ପାଇରାଟ ସେମାନଙ୍କୁ କହିଲେ । ତା’ପରର ଦୃଶ୍ୟ ସମସ୍ତଙ୍କୁ ଚକିତ କଲା । ମୃତ ମହିଳା ଆଖିକୁ ଧୀରେ ଧୀରେ ଖୋଲୁଥିଲେ ଏବଂ କଫିନ୍ ପାଶ୍ୱର୍କୁ ଠକ୍ ଠକ୍ କରୁଥିଲେ । ସେ ବୋଧହୁଏ କିଛି ସମୟ ଧରି କଫିନ୍କୁ ଠକ୍ ଠକ୍ କରୁଥିଲେ । ପାଇରାଟଙ୍କ ଅନୁସାରେ, ମହିଳା ପ୍ରାୟ ୨ ବର୍ଷ ହେଲା ବିଛଣାରେ ପଡ଼ି ରହିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା । ଦୁଇ ଦିନ ତଳେ ତାଙ୍କର ଶାରୀରିକ ଗତିବିଧି ବନ୍ଦ ହୋଇଯାଇଥିଲା । ଶ୍ୱାସକ୍ରିୟା ମଧ୍ୟ ବନ୍ଦ ହେବା ଭଳି ଲାଗିଲା । ତେଣୁ ତାଙ୍କୁ ମୃତ ମନେକରି ତାଙ୍କ ଭାଇ କଫିନ୍ରେ ଭର୍ତ୍ତିକଲେ ଏବଂ ସମାଧି ଦେବାକୁ ଗାଡ଼ି ଚଲାଇ ପ୍ରାୟ ୫୦୦ କିମି ଦୂର ବ୍ୟାଙ୍କକ୍କୁ ନେଲେ । ଅଙ୍ଗଦାନ ପାଇଁ ମହିଳାଙ୍କର ଇଚ୍ଛା ଥିଲା । କିନ୍ତୁ ଭାଇଙ୍କ ପାଖରେ ତାଙ୍କର ଔପଚାରିକ ମୃତ୍ୟୁ ପ୍ରମାଣପତ୍ର ନ ଥିବାରୁ ହସ୍ପିଟାଲ ତାଙ୍କ ଶରୀରକୁ ଗ୍ରହଣ କରିବାକୁ ମନାକଲା । ଫଳରେ ମହିଳାଙ୍କ ଭାଇ ମାଗଣା ସମାଧି ସେବା ନିମନ୍ତେ ମନ୍ଦିରକୁ ଅନୁରୋଧ କଲେ । ଅସହାୟ ଲୋକଙ୍କୁ ମନ୍ଦିର ଏହି ସେବା ପ୍ରଦାନ କରିଥାଏ । କିନ୍ତୁ ଆବଶ୍ୟକ ଦସ୍ତାବିଜ ବିନା ସମାଧି ପାଇଁ ସେମାନେ ମଧ୍ୟ ମନାକଲେ । ଏହି ସ୍ଥିତିରେ ମୃତ୍ୟୁ ପ୍ରମାଣପତ୍ର ହାସଲ କରିବାର ପ୍ରକ୍ରିୟା ବିଷୟରେ ମନ୍ଦିର କର୍ମଚାରୀ ତାଙ୍କୁ ବୁଝାଉଥିଲେ । ଏତିକିବେଳେ କଫିନ୍ ଭିତରୁ ଶବ୍ଦ ଶୁଣାଗଲା । କର୍ମଚାରୀମାନେ କଫିନ୍ ଖୋଲି ତୁରନ୍ତ ମହିଳାଙ୍କୁ ବାହାର କଲେ ଏବଂ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ପଠାଇଲେ ।