ଗୋଆ ୨୦/୧୧ (ମନୋରଞ୍ଜନ ମହାନ୍ତି) : ସଜେଇ ହେଇଛି ଗୋଆ । ବିମାନ ବନ୍ଦରରୁ ରେଳ ଷ୍ଟେସନ । ବସ ଷ୍ଟାଣ୍ଡରୁ ମଲ୍ଟିପ୍ଲେକ୍ସ ସବୁଠି ଏବେ ସିନେମାର ଗୁଞ୍ଜରଣ ପ୍ରତଧ୍ୱନିତ । ଦେଶୀ, ବିଦେଶୀ ପର୍ଯ୍ୟଟକ, ସିନେପ୍ରେମୀଙ୍କ ସହ ସିନେ ନିର୍ମାତା, କଳାକାରଙ୍କ ସୁଅ ଛୁଟିଛି ବେଳାଭୂମି ପର୍ଯ୍ୟଟନର ସହର ଗୋଆକୁ । ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଆରମ୍ଭ ହେଉଛି ସିନେମା ସମର ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) - ୨୦୨୫ । ​​​​​​​

ଚଳିତ ବର୍ଷ ଏହାକୁ ଅବିସ୍ମରଣୀୟ, ଅଧିକ ଆକର୍ଷଣୀୟ ସହ ଐତିହାସିକ କରିବା ପାଇଁ ଏକ କାର୍ଣ୍ଣିଭାଲ ଅନୁଷ୍ଠିତ ହେବ । ଏହା ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ ଗୋଆ କାର୍ଯ୍ୟାଳୟରୁ କଳା ଏକାଡେମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନ୍ଏଫଡିସିର ୫୦ ବର୍ଷ ପୁରୁଣା ସ୍ମୃତିକୁ ପ୍ରଦର୍ଶିତ କରାଯିବ । ୧୦୦ ଜଣ ଲୋକ କଳାକାରଙ୍କୁ ନେଇ ପ୍ରସ୍ତୁତ "ଭାରତ ଏକ ସୁର’, ସାରା ଦେଶର ନୃତ୍ୟକୁ ଏକ ଉଚ୍ଚ ତାଳରେ ପରିବେଷିତ କରାଯିବ । ଏହାସହ ଛୋଟା ଭୀମ, ଚୁଟକି, ମୋଟୁ ପତଲୁ ଏବଂ ବିଟ୍ଟୁ ବହାନେବାଜ ଜନତାଙ୍କୁ ଆକର୍ଷିତ କରିବେ । ଏହି ଅବସରରେ ୧୬ଟି ପ୍ରତିଯୋଗିତାମୂଳକ ସହ ସିନେମା ସମ୍ପର୍କିତ କିଛି ବର୍ଗରେ ଶ୍ରେଷ୍ଠ ସମ୍ମାନ ପ୍ରଦାନ ସାଙ୍ଗକୁ ମନୋନୀତ ସିନେମାଗୁଡିକ ପ୍ରଦର୍ଶିତ ହେବ । ଏଥିସହ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରା, ୱେଭ୍ସ ଫିଲ୍ମ ବଜାର, ଦି ନଲେଜ୍ ସିରିଜ୍, ସିନେମା ଏଆଇ ହାକାଥନ୍ , ଆଇଏଫଏଫଆଇଷ୍ଟା - ସାଂସ୍କୃତିକ ପ୍ରଦର୍ଶନ ଏବଂ ମାଷ୍ଟରକ୍ଲାସ୍, ଆଲୋଚନାଚକ୍ର ରହିଛି ।

​​​​​​​

ଭାରତୀୟ ସିନେମା ଜଗତର ଥଲାଇବା ରଜନୀକାନ୍ତଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ । ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ(ଏନ୍ଏଫ୍ଡିସି), ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଏଣ୍ଟରଟେନମେଣ୍ଟ୍ ସୋସାଇଟି ଅଫ୍ ଗୋଆ(ଇଏସଜି) ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି ମହୋତ୍ସବ ସିନେମା ଶକ୍ତି କେନ୍ଦ୍ରରେ ପରିଣତ ହୋଇଛି ।ସିନେମା ନିର୍ମାଣଠୁ ନେଇ ସିନେ ପାଠ୍ୟକ୍ରମ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ, ଫିଲ୍ମ ବଜାରରେ ଫିଲ୍ମ କିଣାବିକା, ପ୍ରଚାର ଓ ପ୍ରସାର, ପ୍ରଦର୍ଶନୀ, ଡିଜିଟାଲ ଉପଯୋଗ, ପୁରସ୍କାର, ସାଂସ୍କୃତିକ ଉତ୍ସବ, ସିନେମାର ଉନ୍ନତି ପାଇଁ ଯୋଜନା ହେଉଛି, ଯାହା ଏସିଆର ସବୁଠୁ ବଡ଼ ଏବଂ ବିଶ୍ୱର ଅନ୍ୟତମ ସିନେମା ଉତ୍ସବ । ଏହାର ସମସ୍ତ କାର୍ଯ୍ୟକୁ ଶୃଙ୍ଖଳାର ସହ ସମ୍ପାଦନ ପାଇଁ ଆଜି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଯାଜୁ ଏବଂ ଅନ୍ୟ ଅଧିକାରୀମାନେ ଗୋଆର ପାଣାଜୀରେ ଆଇଏଫଏଫଆଇ ସ୍ଥଳ ପରିଦର୍ଶନ କରି ସମୀକ୍ଷା କରିଥିଲେ ।