ଦଶମନ୍ତପୁର, ୧/୯: ବାରମ୍ବାର ଗୁହାରି ସତ୍ତ୍ୱେ ଶୁଣିଲାନି ପ୍ରଶାସନ। ଶେଷରେ ଶ୍ରମଦାନ କରି ଗ୍ରାମ ଦେବୀ ପିଠ ନିର୍ମାଣ ଆରମ୍ଭ କଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତ ଅଧିନସ୍ଥ ପଞ୍ଚଡାପଦର ଗ୍ରାମବାସୀ। 

ସୂଚନା ମୁତାବକ ଏହି ଗାଁରେ ମାତ୍ର ୨୫ ପରିବାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେମାନଙ୍କ ଜୀବିକା କହିଲେ ପୋଡୁଚାଷ ଏବଂ ଦିନ ମଜୁରି। ଜନସଂଖ୍ୟା ପାଖାପାଖି ୯୦ ଜଣ ହେବେ। ବିଶେଷ କରି ଆଦିବାସୀ ଲୋକମାନେ ବାର ମାସରେ ତେର ପର୍ବ ପର୍ବାଣୀ ରହିଥାଏ। ଅନ୍ୟ ଦେବାଦେବୀ ଅପେକ୍ଷା ଗ୍ରାମ ଦେବୀଙ୍କୁ ଅଧିକ ଭୟ ଓ ଭକ୍ତି ସହକାରେ ପୂଜାର୍ଚ୍ଚନା କରିଥାନ୍ତି। ଚାଷ ସମୟରେ ବିହନ ପୋତିବା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଚାଷ ଅମଳ ପର୍ଯ୍ୟନ୍ତ। ଏବଂ ବିବାହ, ଦଶାହ କାର୍ଯ୍ୟ କ୍ରମ ଭଳି ଅନେକ ଶୁଭ କାର୍ଯ୍ୟରେ ଗ୍ରାମ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କଲା ପରେ ହିଁ କାର୍ଯ୍ୟ ଆରମ୍ଭ କରିଥାନ୍ତି। ସେଥିପାଇଁ ଗ୍ରାମଦେବୀ ପିଠ ଜରୁରୀ ଆବଶ୍ୟକ ରହିଛି। ଏଥିଯୋଗୁଁ ଗାଁ ଲୋକ ଗାଁ ନାଶାଣି ମୁଣ୍ଡା ତଥା ଗ୍ରାମଦେବୀ ପିଠ ନିର୍ମାଣ ପାଇଁ, ସରକାରୀ ନିୟମ ଅନୁସାରେ ପଲିସଭା ଠାରୁ ଆରମ୍ଭ କରି ଗ୍ରାମସଭା ପର୍ଯ୍ୟନ୍ତ ପ୍ରସ୍ତାବ ଆଗତ ହୋଇଛି।‌ ହେଲେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ତାଙ୍କ ଗାଁରେ ଆଜି ଯାଏଁ ଗାଁ ଦେବୀପିଠଟିଏ ନିର୍ମାଣ ହୋଇ ପାରିଲା ନାହିଁ। 

ତେଣୁ ଅଲଗା କିଛି ଉପାୟ ନପାଇ ଗ୍ରାମବାସୀ ପ୍ରଥମେ ଦେବୀ ପିଠ ନିର୍ମାଣ ପାଇଁ ଆଲୋଚନା କରିଥିଲେ। ଶ୍ରମ ଦାନ କରିବା ସହିତ ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି, ଘରକୁ ଘର ୨୦୦ ଶହ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦ ଆଦାୟ କରି ଥିଲେ। ଏବଂ ସିମେଣ୍ଟ ଆଣି ଦେବୀ ପିଠ ନିର୍ମାଣ ଆରମ୍ଭ କରୁଥିବା ଗାଁର ରାମ ସାଉନ୍ତା, ରାଜି ସାଉନ୍ତା, ଶେଖର ସାଉନ୍ତା, ବାବୁଲି ସାଉନ୍ତା, ପବିତ୍ର ସାଉନ୍ତା, ଚନ୍ଦନ ସାଉନ୍ତା ପ୍ରମୁଖ ପ୍ରକାଶ କରିଛନ୍ତି। 

ସେମାନେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ଗାଁରେ ନିଶାଣୀ ମୁଣ୍ଡା ଠାରୁ ଆରମ୍ଭ କରି ଗାଁ ରାସ୍ତା, ଜମି ମରାମତି ଭଳି ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ସରକାରୀ ଯୋଜନା ଆସୁଛି। କିନ୍ତୁ ଆମେ ଗୁହାରି କଲେ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଶ୍ରମଦାନ କରି, ଗ୍ରାମ ଦେବୀ ପିଠ ନିର୍ମାଣ କରୁଛୁ ବୋଲି ଗ୍ରାମବାସୀ କହିଛନ୍ତି। ଏଥିରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୋଞ୍ଚଡା ପଦର ଗାଁରେ ସରକାରୀ ଯୋଜନା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।