ସୋଆରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ସଭା ଉଦ୍ଘାଟିତ: ଯୋଗଦେଲେ ୨ଶହ କୁଳପତି

ଭୁବନେଶ୍ୱର,୧୬ ।୨(ବ୍ୟୁରୋ): ମହାନ ଶିକ୍ଷାନୁଷ୍ଠାନଗୁଡିକ ସ୍ମରଣୀୟ ହୋଇ ରହିଥାଏ । ତେବେ ସେଗୁଡିକ ଭାବନାତ୍ମକ ଓ ବୌଦ୍ଧିକତା ଭିତ୍ତିଭୂମିରେ ଗଢି ଉଠିଥାଏ ବୋଲି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି ଯୋଗ ଦେଇ କହିଛନ୍ତି ।
ଶନିବାର ” ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ବାଗ୍ଚି କହିଛନ୍ତି, ଶିକ୍ଷାନୁଷ୍ଠାନ ଗୁଡିକ ସାଧାରଣ ଓ ଡିଜିଟାଲ୍ ଭିତ୍ତିଭୂମି ଦ୍ୱାରା ନିଜର ଉପସ୍ଥିତି ଜାହିର୍ କରିପାରିବେ । ମାତ୍ର ଭାବନାତ୍ମକ ଓ ବୌଦ୍ଧିକତା ଭିତ୍ତିଭୂମି ଶିକ୍ଷାନୁଷ୍ଠାନଗୁଡିକୁ ଭିନ୍ନ ଭାବେ ଗଢି ତୋଳିଥାଏ । କୋଲକତା ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ସେଥି ପାଇଁ ସ୍ମରଣୀୟ ହୋଇ ରହିଛନ୍ତି ।
ସେହିପରି ଶିକ୍ଷାନୁଷ୍ଠାନଗୁଡିକର ସଫଳତା ବାବଦରେ ଶ୍ରୀ ବାଗଚି କହିଛନ୍ତି, ଯେ କୌଣସି ଶିକ୍ଷାନୁଷ୍ଠାନର ସଫଳତା ତା’ର ଶିକ୍ଷକମାନଙ୍କ ଉପରେ ନିର୍ଭର କରେ । ସେମାନେ ପାଠ ପଢାଇବା ସହିତ ଗବେଷଣା କରିବା ଆବଶ୍ୟକ । ତେବେ ଯାଇ ଛାତ୍ରଛାତ୍ରୀମାନେ ନିଜକୁ ଗବେଷଣାରେ ନିୟୋଜିତ କରିବା ପାଇଁ ପ୍ରୋତ୍ସାହିିତ ହେବେ । ଅପରପକ୍ଷେ ବୌଦ୍ଧିକ ବିକାଶ ପାଇଁ ଦକ୍ଷ ନେତୃତ୍ୱ ସହିତ ପରମ୍ପରା ପାଳନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସ୍ୱାତନ୍ତ୍ର୍ୟତା ନୁହଁ ସ୍ୱାଧୀନତା ଆବଶ୍ୟକ ବୋଲି ଶ୍ରୀ ବାଗଚି କହିଛନ୍ତି ।

୩ଦିନ ଧରି ସୋଆରେ ଚାଲିବାକୁ ଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଏହି ସାଧାରଣ ସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୨ଶହ କୁଳପତି ଯୋଗ ଦେଇଛନ୍ତି । ସମ୍ମିଳନୀରେ “ଅଟୋନୋମି ଫର୍ ଏକ୍ସଲେନ୍ସ ଇନ୍ ହାୟାର୍ ଏଜୁକେସନ’ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଫେସର ସନ୍ଦିପ୍ ସଞ୍ଚେତି ସଭାପତି ଅଭିଭାଷଣ ରଖିଥିବାବେଳେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସଚିବ ପ୍ରଫେସର ରଜନୀଶ ଜୈନ୍ କହିଛନ୍ତି, ଭାରତର ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ଗ୍ଲୋବାଲ୍ ର୍ୟାଙ୍କିଂରେ ସ୍ଥାନ ଦେବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପାଠ୍ୟସୂଚୀରେ ପରିବର୍ତ୍ତନ କରିବା ସହିତ ଗବେଷଣାକୁ ଗୁରୁତ୍ୱ ଦିଆଯାଉଛି । ୟୁଜିସି ପକ୍ଷରୁ ଅଧିକ ପାଣ୍ଠି ଯୋଗାଇବା ସହିତ ଇନସେନଟିଭ୍ ଦେବାକୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ପ୍ରଫେସର ଜୈନ କହିଛନ୍ତି ।
ସେହିପରି ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍.ଏନ୍. ଗୁପ୍ତା କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡିକ ଛାତ୍ରକୈନ୍ଦ୍ରିକ ହେବା ଆବଶ୍ୟକ । ୨୦୧୧ ଜନଗଣନା ଅନୁସାରେ ମାତ୍ର ୮ ପ୍ରତିଶତ ଭାରତୀୟ ସ୍ନାତକ ଡିଗ୍ରୀ ହାସଲ କରୁଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ଭେର ୨୦୧୭-୧୮ ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୨୩ଟି କଲେଜ ରହିଛି । ସେହିପରି ସର୍ବର୍ଭାରତୀୟସ୍ତରରେ ପ୍ରତି ୧ ଲକ୍ଷରେ ୨୮ଟି ରହିଛି । ଶିକ୍ଷା ଦ୍ୱାରା ହିଁ ମାନବ ସମାଜର ବିକାଶ ହୋଇପାରିବ ବୋଲି ଶ୍ରୀ ସେଠୀ କହିଛନ୍ତି । ସଂଘର ମହାସଚିବ ପ୍ରଫେସର ଫୁରକାନ୍ କର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡେପୁଟି ହେଡ୍ ଅଫ୍ ଡେଲିଗେସନ୍ ଅଫ ଦ ୟୁରୋପିଆନ୍ ୟୁନିୟନ୍ ଟୁ ଇଣ୍ଡିଆ ରାଇମୁଣ୍ଡ ମାଗିସ୍ ଶିକ୍ଷାନୁଷ୍ଠାନଗୁଡିକୁ ସ୍ୱୟଂଶାସିତ କରିବାକୁ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ୟୁଜିସିର ପୂର୍ବତନ ଅଧ୍ୟକ୍ଷ ଡ. ଅରୁଣ୍ ନିଗାଭେର୍କଙ୍କ ଦ୍ୱାରା ଲିଖିତ “ଡିସରପ୍ଟିଭ୍ ଇନୋଭେସନ୍ ଇନ୍ ହାୟାର୍ ଏଜୁକେସନ୍ : ଇଣ୍ଡିଆ କ୍ୟାନ୍ ନଟ୍ ଆଭଏଡ୍ ଦ ଚେଞ୍ଜ୍’ ପୁସ୍ତକ ଓ “ଅଟୋନୋମି ଫର ଏକ୍ସଲେନ୍ସ ଇନ୍ ହାୟାର ଏଜୁକେସନ୍’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମର ଆବାହକ ତଥା ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସର ଡିନ୍ ପ୍ରଫେସର ନିତା ମହାନ୍ତି ଧନ୍ୟବାଦ ଦେଇଥିଲେ ।
ୟୁଜିସି ଆରମ୍ଭ କରିବ ନ୍ୟାସନାଲ୍ ଏକାଡେମିକ୍ କ୍ରେଡିଟ୍ ବ୍ୟାଙ୍କ୍
ଉଚ୍ଚ ଶିକ୍ଷାର ମାନ ବୃଦ୍ଧି କରିବ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ଆରମ୍ଭ କରିବ ନ୍ୟାସନାଲ୍ ଏକାଡେମିକ୍ କ୍ରେଡିଟ୍ ବ୍ୟାଙ୍କ୍ । ବିଦେଶ ଢାଞ୍ଚା ଭାରତରେ ଆପଣାଇବ । ଯାହା ଫଳରେ ବ୍ୟାଙ୍କ୍ରେ ଟଙ୍କା ରହିବା ଭଳି ଛାତ୍ରଛାତ୍ରୀମାନଙ୍କ ପାଠପଢାର କ୍ରେଡିଟ୍ ଜମା ହୋଇ ରହିବ । ଗୋଟିଏ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଅନ୍ୟ ବିଶ୍ୱବିଦ୍ୟାଳୟରେ ପଢିବା ସହିତ କ୍ରେଡିଟ୍ ହାତେଇ ପାରିବ । ବିଜ୍ଞାନର ଛାତ୍ର କଳା ଓ କଳାର ଛାତ୍ର ବିଜ୍ଞାନ ମଧ୍ୟ ପଢିପାରିବ । ପାଠପଢା ଶେଷରେ ଆବଶ୍ୟକ ଯୋଗ୍ୟତା ପାଇଁ କ୍ରେଡିଟ୍ଗୁଡିକୁ ମିଶାଇବା ପରେ ଡିଗ୍ରୀ ହାସଲ କରିପାରିବ ବୋଲି ୟୁଜିସି ନ୍ୟାସନାଲ୍ ଏକାଡେମିକ୍ କ୍ରେଡିଟ୍ ବ୍ୟାଙ୍କ୍ ଯୋଜନା ପ୍ରସ୍ତୁତ କମିଟିର ସଦସ୍ୟ ତଥା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଦ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍)ର ସଭାପତି ପ୍ରଫେସର ସନ୍ଦିପ୍ ସଞ୍ଚେତି କହିଛନ୍ତି । ସୋଆରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ ପ୍ରଫେସର ସଞ୍ଚେତି କହିଛନ୍ତି, ଏବେ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ପାଠ ପଢିବାକୁ ବାଧ୍ୟ କରାଯାଉଛି । ମାତ୍ର ଆଗକୁ ସମୟ ବଦଳିବ । ଛାତ୍ରଛାତ୍ରୀମାନେ ନିଜ ଇଛା ଅନୁସାରେ ପାଠ ପଢିବେ । ସେମାନଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । ଅପରପକ୍ଷେ ପଢା ସରିବା ପରେ ସେମାନଙ୍କ ଏକାଡେମିକ୍ କ୍ରେଡିଟକୁ ହିସାବ କରି ଡିଗ୍ରୀ ଦିଆଯିବ ବୋଲି ପ୍ରଫେସର ସଞ୍ଚେତି କହିଛନ୍ତି । ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟ ତାଙ୍କର ର୍ୟାଙ୍କିଂ ଅନୁସାରେ ଫି’ ନିର୍ଦ୍ଧାରଣ ହେବ । ଏପରିକି ଆଗାମୀ ଦିନରେ ଏକ ‘ଷ୍ଟୁଡେଣ୍ଟ୍ ଟୁଲ୍’ ଆସିବ । ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ପାଠପଢାର ମାନ ନିଜେ ଜାଣିପାରିବେ ।