ଭୁବନେଶ୍ୱର ୦୧/୦୮: ମଣିଷ ଶରୀରରେ ହଠାତ୍‌ କୌଣସି ରୋଗ ବା ଗମ୍ଭୀର ସମସ୍ୟା ଆସି ନଥାଏ । ବରଂ ଧୀରେ ଧୀରେ ସମସ୍ୟାର ଆରମ୍ଭ ହୋଇଥାଏ । ସେଥିପାଇଁ ଆମ ଶରୀର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ, ଯାହାକୁ ଆମେ ବୁଝିବା ଆବଶ୍ୟକ । ଏହାକୁ ବୁଝିବା ଦ୍ୱାରା ହିଁ ଜୀବନଶୈଳୀ, ଡାଏଟ୍‌ ପରିବର୍ତ୍ତନ ସହ ଡାକ୍ତର ପରାମର୍ଶ କ୍ରମେ ମାରାତ୍ମାକ ରୋଗ ଆକ୍ରାନ୍ତର ନିଜକୁ ରକ୍ଷା କରିପାରିବେ । କୌଣସି ସମସ୍ୟାର ଆରମ୍ଭରୁ ଶରୀର ଆମକୁ ସଙ୍କେତ ଦେଇଥାଏ । ଶରୀର ଯନ୍ତ୍ରଣା, ମାଂସପେଶୀରେ ଯନ୍ତ୍ରଣା, ଝିମ୍‌ ଝିମ୍‌ ଲାଗିବା ଆଦି ଶରୀରରେ ପୋଷକ ତତ୍ତ୍ୱ ଅଭାବର ଲକ୍ଷଣ । ଡାଏଟ୍‌ରେ ପରିବର୍ତ୍ତନ ଆଣି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ଏହି ସମସ୍ୟାକୁ ସୁଧାରିପାରିବା । ଡାଏଟ୍‌ରେ ପ୍ରୋଟିନ୍‌, ଭିଟାମିନ୍ସ ଓ ଆବଶ୍ୟକୀୟ ମିନେରାଲ୍ସଯୁକ୍ତ ଖାଦ୍ୟକୁ ସାମିଲ୍‌ କରିବା ଦ୍ୱାରା ଏହାକୁ ନିୟନ୍ତ୍ରିତ କରାଯାଇପାରିବ । ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେବା ଦ୍ୱାରା କେତେକ ସଙ୍କେତ ମିଳିଥାଏ । ଯେପରିକି…

ସବୁବେଳେ ଶରୀର ଯନ୍ତ୍ରଣା :

ପୋଟାସିୟମ୍‌ର ଅଭାବ ଏହି ସଙ୍କେତର ପ୍ରମୁଖ କାରଣ । ପୋଟାସିୟମ୍‌ର ପ୍ରମୁଖ ସ୍ରୋତ ହେଲା କଦଳୀ, ଶାକରକନ୍ଦ, ପାଳଙ୍ଗ, ବିଟ୍‌, ଆଭୋକାଡୋ ଓ ନଡ଼ିଆ ପାଣି ।

ଶୁଷ୍କ ତ୍ୱଚା :

ଶରୀରର ଶୁଷ୍କତା ବଢିବାର ପ୍ରମୁଖ କାରଣ ହୋଇଥାଏ ଜିଙ୍କ୍‌ର ଅଭାବ । ଏହି ସମସ୍ୟାକୁ ଦୂର କରିବା ପାଇଁ ଜିଙ୍କ୍‌କୁ ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ । ଜିଙ୍କ୍‌ର ପ୍ରମୁଖ ସ୍ରୋତ ହେଉଛି ଓଟ୍‌ସ, ସାରୁ ମଞ୍ଜି, କାବୁଲି ଚଣା ଓ କାଜୁ ଆଦି ।

ହାତପାଦ ଝିମ୍‌ ଝିମ୍‌ ହେବା :

ଶରୀରରେ ଭିଟାମିନ୍‌-ବି୧୨ ଅଭାବରୁ ହାତପାଦ ଝିମ୍‌ଝିମ୍‌ ହୋଇଥାଏ । ଭିଟାମିନ୍‌-ବି୧୨ର ପ୍ରମୁଖ ସ୍ରୋତ ହେଉଛି ଅଣ୍ଡା, ପାଳଙ୍ଗ, କ୍ଷୀର ଓ ଲହୁଣି । 

ମାଂସପେଶୀ ଯନ୍ତ୍ରଣା :

ଶରୀରରେ ମ୍ୟାଗ୍‌ନେସିୟମ୍‌ ଅଭାବରୁ ଏପରି ଲକ୍ଷଣ ଦେଖା ଦେଇଥାଏ । ମ୍ୟାଗ୍‌ନେସିୟମ୍‌ର ପ୍ରମୁଖ ସ୍ରୋତ ହେଉଛି ପାଳଙ୍ଗ, କାଜୁ, ଆଭୋକାଡୋ ଓ ସାରୁ ମଞ୍ଜି ।

ସବୁବେଳେ ଥଣ୍ଡାଜାତୀୟ ଖାଦ୍ୟ ଖାଇବାର ଇଚ୍ଛା :

ଆଇରନ୍‌ ଅଭାବରୁ ଏହି ଲକ୍ଷଣ ଦେଖା ଦେଇଥାଏ । ଆଇରନ୍‌ର ପ୍ରମୁଖ ସ୍ରୋତ ହେଉଛି ସବୁଜ ପରିବା, କଳା କିଶ୍‌ମିଶ୍‌ ଓ ପ୍ଲମ୍‌ । 

ପେଟରେ ଚର୍ବି ଜମିବା :

ଅତିରିକ୍ତ ଏଷ୍ଟ୍ରୋଜେନ୍‌ କାରଣରୁ ପେଟରେ ଚର୍ବି ଜମିଥାଏ । ଏହାକୁ କମ୍‌ କରିବା ପାଇଁ ଡାଏଟ୍‌ରେ କ୍ରୁସିଫେରସ୍‌ ପରିବା ଯଥା, ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି, ସବୁଜ ପତ୍ରଯୁକ୍ତ ପରିବା ଓ ଗାଜରର ମାତ୍ରା ବଢାଇବା ଆବଶ୍ୟକ ।