ଭଞ୍ଜନଗର, ୨୨/୧୨ : ଏକଦା ଗ୍ରାମ୍ୟ ଅର୍ଥନୀତିର ଏକ ପ୍ରମୁଖ ବାହାକ ଥିଲା ଶଗଡ଼ ଗାଡ଼ି । କୃଷି, ମାଲ୍‌ ଓ ଯାତ୍ରୀ ପରିବହନ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଏହାର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଥିଲା । ହେଲେ ସେଇ ଯାନଟି ଏବେ ଇତିହାସ ପାଲଟିବାକୁ ଯାଉଛି । ସମୟର କଷଟି ପଥରରେ ହଜିଯିବାକୁ ବସିଛି ଗ୍ରାମୀଣ ସଂସ୍କୃତିର ଅନ୍ୟତମ ବାର୍ତ୍ତାବହ ଶଗଡ଼ ଗାଡ଼ି । ଓଡ଼ିଆ ଜନଜୀବନ ସହ ଏକଦା ଯାହା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା, ତାହା ହୁଏତ ଆଉ କିଛି ଦିନ ପରେ କେବଳ ସ୍ମୃତି ହୋଇ ରହିଯାଇପାରେ ।

ଏକଦା ଗାଁ ଲୋକଙ୍କ ଯାତ୍ରୀ ପରିବହନର ଏକମାତ୍ର ମାଧ୍ୟମ ଥିଲା ଶଗଡ଼ ଗାଡ଼ି । ବୋହୂଟିଏ ଶାଶୂ ଘରକୁ ଯିବାବେଳେ ଖୋଜା ପଡୁଥିଲା ଶଗଡ଼ ଗାଡ଼ି । ଗାଁ ଯାନିଯାତ୍ରାରେ ଦେବୀଙ୍କ ଆଗମନ ଓ ବିଦାୟ ସମୟରେ ଲୋଡ଼ା ପଡୁଥିଲା । ଗାଁରୁ ଦୂରଦୂରାନ୍ତକୁ ଯିବାକୁ ହେଲେ ଏହି ପାରମ୍ପରିକ ଯାନଟି ଉପରେ ଲୋକେ ଭରସା କରୁଥିଲେ । ସେହିପରି ଚାଷ ଆରମ୍ଭରୁ ଧାନ ଅମଳ ହୋଇ ଘରକୁ ଆସିବା ଯାଏଁ ଚାଷୀଙ୍କୁ ବିନା ଇନ୍ଧନଚାଳିତ ତଥା ପରିବେଶ ଅନୁକୂଳ ଏହି ଯାନ ଦରକାର ହେଉଥିଲା । ଧୀରେ ଧୀରେ ଏହା ଗ୍ରାମ ଅର୍ଥନୀତିର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟି ଯାଇଥିଲା । ପକ୍କା ସଡ଼କରୁ ଆରମ୍ଭ କରି କଚ୍ଚା ରାସ୍ତା ସବୁଠି ଗଡ଼ି ଲୋକଙ୍କୁ ଆଗେଇ ନେଉଥିଲା ଶଗଡ଼ ଗାଡ଼ି ।

ପୂର୍ବରୁ ଗାଁ ଗହଳିର ଲୋକମାନେ ରାସ୍ତାଘାଟ ନଥିଲେ ମଧ୍ୟ ଶଗଡ଼ ଗାଡ଼ିରେ ଗନ୍ତବ୍ୟପଥକୁ ଅନାୟାସରେ ଯାଆସ କରି ପାରୁଥିଲେ । କାଦୁଅ ପଚପଚ ରାସ୍ତା ହେଉ କି ଅଣ୍ଟେ ପାଣିରେ ନଦୀ ପାର କରିବା ହେଉ, ଆରପଟକୁ ମାଲ୍‌ ଓ ଯାତ୍ରୀଙ୍କୁ ନେବା ଆଣିବା କରିପାରୁଥିଲା । ଚାଷ କ୍ଷେତରେ ଶଗଡ଼ର ଭରପୁର ଉପଯୋଗ କରୁଥିଲା ଚାଷୀ ପୁଅ । ଧାନ ତଳିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା ହେଉ କିମ୍ବା ଧାନ କଟା ପରେ ତାକୁ ବିଲରୁ ଖଳାକୁ ଆଣିବା ଅଥବା ଧାନ ଅମଳ ପରେ ତାକୁ ଅଖାରେ ପୁରାଇ ଘରକୁ ନେବା ଓ ଚାଉଳ କରିବା ପରେ ତାକୁ ବଜାରରେ ବିକ୍ରି କରିବା... ଏସବୁ କାମରେ ଚାଷୀକୁ ସାଥ୍‌ ଦେଉଥିଲା ଶଗଡ଼ ଗାଡ଼ି । ଏଥିପାଇଁ ଭଲ ଗୋରୁ କିମ୍ବା ପୋଢ଼ ଯୋଗାଡ଼ କରି ଚାଷୀ ପୁଅ ଶଗଡ଼କୁ ସଜାଡ଼ି ରଖୁଥିଲା ।

ଆହୁରି ମଧ୍ୟ ଶଗଡ଼ ଚକ ଓ ଅଖ ଆଦି ପ୍ରସ୍ତୁତି ହେଉ ବା ମରାମତି, ତାହା ଉପରେ ଭରସା କରି ବଢ଼େଇ, କମାର ମଧ୍ୟ କିଛି କିଛି ଆୟ କରିପାରୁଥିଲେ। ହେଲେ ଏବେ ଆଉ ସେଦିନ ନାହିଁ । ଏବେ ଗାଁ ଗହଳି ସବୁଠି ରାସ୍ତାଘାଟ ହୋଇସାରିଲାଣି । କେଉଁଠି ପିଚୁ ରାସ୍ତା ତ କେଉଁଠି କଂକ୍ରିଟ୍‌ ରୋଡ୍‌ । ଅପରପକ୍ଷରେ ମଧୁର ଗ୍ରାମ୍ୟ ଜୀବନ ଏବେ ଆଧୁନିକତାର ଚାକଚକ୍ୟରେ ହଜିଯିବାକୁ ବସିଛି । ଲୋକେ ଦୁଇ ଚକିଆ, ଚାରି ଚକିଆ, ମୋଟରଚାଳିତ ଯାନର ସଉକିନ୍‌ ହୋଇ ସାରିଲେଣି । ଏଣୁ ଇତିହାସ ପାଲଟିବାକୁ ବସିଛି ଶଗଡ଼ ଗାଡ଼ି ଓ ପ୍ରାଚୀନ ଗ୍ରାମୀଣ ସଂସ୍କୃତି । କାଁ ଭାଁ କେତୋଟି ଗାଁରେ ଏବେବି କିଛି ଶଗଡ଼ ଅତୀତର ସ୍ମୃତିକୁ ଉଦ୍‌ଜୀବିତ କରି ରଖିଛନ୍ତି । ସତେଯେମିତି ଏସବୁ ମଧ୍ୟ ଅପମୃତ୍ୟୁ ଅପେକ୍ଷାରେ ରହିଛନ୍ତି । କେବଳ ନାମକୁ ମାତ୍ର ଘର କୋଣରେ କେଉଁଠି କେମିତି ପଡ଼ି ରହିଛି ଏହାର ଚକ କିମ୍ବା ଭଙ୍ଗାଦଦରା ଅଂଶ।