ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ଗଠନ

କଟକ, ୨୯।୧ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅତିରିକ୍ତ ଡିଜି ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି। ଡିଏସପି ରମେଶ ଦୋରାଙ୍କ ନେତୃତ୍ୱରେ୫ ଜଣିଆ ଟିମ ଝାରସୁଗୁଡା ଜିଲ୍ଲା ଅଭିମୁଖେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ବାହାରିଛନ୍ତି। ତଦନ୍ତକାରୀ ଟିମ ଗୁଳିକାଣ୍ଡ ସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଗୁଳିମାଡ଼ ହେଲା ଏବଂ ଗୁଳିମାଡ଼ର କାରଣ ଖୋଜି ବାହାର କରିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟକ୍ରମ ସ୍ଥଳରେ ପୁଲିସ ପକ୍ଷରୁ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଓ ସୁରକ୍ଷା ବନ୍ଦୋବସ୍ତ ଠିକ ଥିଲା କି ସେ ସବୁର ତଦନ୍ତ କରିବ ବୋଲି ସୂଚନା ମିଳିଛି