ମହାବିରୋଡ଼,୩୦/୩ : କଙ୍କଡ଼ାହାଡ଼ ବ୍ଲକ୍‌ର ବିଭିନ୍ନ ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛାଇବା କାର୍ଯ୍ୟ ଜାରି ରହିଛି । ମେଗା ପ୍ରକଳ୍ପରୁ ସମସ୍ତ ଗ୍ରାମକୁ ପାଣି ଯୋଗାଣ ନିମନ୍ତେ ଦୀର୍ଘଦିନ ହେଲା କାମ ଚାଲିଥିବା ବେଳେ ସରିବାର ନାଁ ନେଉନି । ଠିକାସଂସ୍ଥା ରାସ୍ତାକୁ ଖୋଳି ଦେଉଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ପୂର୍ତ୍ତ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ରାସ୍ତାକୁ ବିନା ଅନୁମତିରେ ଠିକାସଂସ୍ଥା ଖୋଳି ନଷ୍ଟ କରିଦେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମହାବିରୋଡ଼-ଚାନ୍ଦପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଏବେ ପାଇପ୍‌ ବିଛାଇବା କାର୍ଯ୍ୟ ଚାଲିଛି । ଠିକାସଂସ୍ଥା କର୍ତ୍ତୃପକ୍ଷ ଏସ୍କାଭେଟର୍‌ ମେସିନ୍‌ ଲଗାଇ ରାସ୍ତା ପାଶ୍ୱ ର୍କୁ ଖୋଳି ଚାଲିଛନ୍ତି । ରାସ୍ତାର ପ୍ରାୟ ଅଧା ଅଂଶରେ ମାଟି ଗଦା ହୋଇ ରହିଛି । ରାସ୍ତା ଉପରେ ମାଟି ଗଦା ହୋଇ ରହୁଥିବା ବେଳେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ରାସ୍ତାରେ ମାଟି ଓ ପାଇପ୍‌ ଗଦାଇ ରଖାଯାଉଥିବାରୁ ବିଶେଷ କରି ରାତିରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାରେ ଲାଗିଛି । ପାଇପ୍‌ ବିଛା ସରିବା ପରେ ମଧ୍ୟ ସଠିକ୍‌ ଭାବେ ରାସ୍ତାକୁ ମରାମତି କରାଯାଉନି । ମାଟିକୁ ପିଚୁ ଉପରୁ ସମ୍ପୂର୍ଣ୍ଣ ହଟାଯାଉନଥିବାରୁ ବର୍ଷା ସମୟରେ ତାହା କାଦୁଅ ସୃଷ୍ଟି କରୁଛି । ଲୋକେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । 

ସେହିପରି ପିଚୁ ରାସ୍ତା ମଧ୍ୟ ନଷ୍ଟ ହେଉଛି । ରାସ୍ତାଠାରୁ ଦୂରରେ ଖୋଳିବାକୁ ସ୍ଥାନ ରହିଥିବାବେଳେ ଠିକାସଂସ୍ଥା ନିଜ ସୁବିଧା ନିମନ୍ତେ ରାସ୍ତା ଉପରେ ଖୋଳି ପାଇପ୍‌ ବିଛାଉଛି । ପୂର୍ବରୁ ଝିଲ୍ଲୀଠାରୁ ଚାଉଳିଆଝରଣ ରାସ୍ତା, ବାମ, ପଥରଗଡ଼, ଭେଜିଆ, ଦଶୀପୁର-ଭାଲୁମୁଣ୍ଡା ରାସ୍ତା,  ଗଡ଼ପଳାଶୁଣି-କଙ୍କଡାହାଡ଼ ରାସ୍ତା, ମହାବିରାଡ଼-କୁଟୁରିଆ ରାସ୍ତା ଠିକାସଂସ୍ଥା ଖୋଳି ନଷ୍ଟ କରିଥିବା ନଜିର ମଧ୍ୟ ରହିଛି । ଗାଁର କଂକ୍ରିଟ୍‌ ରାସ୍ତାକୁ ମଧ୍ୟ ଖୋଳି ଦିଆଯାଉଛି । ପରବର୍ତ୍ତ ି ସମୟରେ ଆଉ କଂକ୍ରିଟ୍‌ ନକରି ମାଟି ଘୋଡ଼ାଇ କାମ ତୁଲାଇ ଦିଆଯାଉଛି । ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗାଁ ଭିତରେ ଥିବା କଙ୍କ୍ରିଟ ରାସ୍ତା ବିନା ଅନୁମତିରେ ଖୋଳାଯାଇଥିବାରୁ ସରପଞ୍ଚ ଦୀପା ମଞ୍ଜରୀ ସାହୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ କୌଣସି ଅନୁମତି ନନେଇ ଠିକାସଂସ୍ଥା ରାସ୍ତା ଖୋଳୁଥିବା ଅଧିକାରୀମାନେ ଚୁପ୍‌ ବସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତା ଖୋଳିବା ପରେ ସଠିକ୍‌ ଭାବେ ମରାମତି କରାଯାଉଛି କି ନାହିଁ ତାହା ଦେଖିବାକୁ ମଧ୍ୟ କେହି ନାହିଁ । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି । ଏ ସମ୍ପର୍କରେ କାମାକ୍ଷାନଗର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ନାୟକଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନାହିଁ ।