ବିଦାୟୀ ବର୍ଷ ରାମଭକ୍ତଙ୍କ ପାଇଁ ଥିଲା ଐତିହାସିକ । କୋଟି କୋଟି ରାମଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଜନ୍ମଭୂମିକୁ ବାହୁଡ଼ିଥିଲେ ପ୍ରଭୁ ରାମଲଲ୍ଲା । ବେଦମନ୍ତ୍ର, ଶ୍ଳୋକ ଉଚ୍ଚାରଣ ଓ ଭକ୍ତଙ୍କ ଜୟ ଜୟକାର ଧ୍ୱନିରେ ଅଯୋଧ୍ୟାରେ ନିଜ ଭବ୍ୟ, ନବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜିଥିଲେ କୌଶଲ୍ୟା ନନ୍ଦନ ରାମଲଲ୍ଲା । ପ୍ରଭୁଙ୍କ ପଦାର୍ପଣରେ ପୂରିଉଠିଥିଲା ରାମ ନଗରୀ ଅଯୋଧ୍ୟା । ପୂରଣ ହୋଇଥିଲା ୫୦୦ ବର୍ଷର ତପସ୍ୟା । ପ୍ରଭୁ ରାମଙ୍କ ଆଗମନରେ ଦେଶବ୍ୟାପୀ ରାମମୟ ପାଲଟିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବ୍ୟ ମୁହୂର୍ତ୍ତରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେ ବିଧିପୂର୍ବକ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସମ୍ପନ୍ନ କରିଥିଲେ । ୮୪ ସେକେଣ୍ଡରେ ହିଁ ମୂର୍ତ୍ତିରେ ଜୀବନ ସ୍ଥାପନ କରାଯାଇଥିଲା । ଏହି ଭବ୍ୟ ଉପଲକ୍ଷେ ଦେଶବାସୀ ରାମପ୍ରେମରେ ବୁଡ଼ିଥିଲେ । ଘରେ ଘରେ ପ୍ରଭୁ ରାମଙ୍କ ପାଇଁ ଦୀପ ଜଳିଥିଲା । ଭଜନ କୀର୍ତ୍ତନରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ରାମଲଲ୍ଲାଙ୍କର ଆରତି କରିଥିଲେ । ପଦ୍ମଫୁଲରେ ପୂଜାର୍ଚ୍ଚନା କରିଥିଲେ । ହେଲିକପ୍ଟରରୁ ମନ୍ଦିର ଉପରେ ପୁଷ୍ପବୃଷ୍ଟି ହୋଇଥିଲା । ରାମଲଲ୍ଲାଙ୍କର ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ନୃତ୍ୟ ଗୋପାଳ ଦାସଜୀ ମହାରାଜ, ଗୋବିନ୍ଦ ଦେବଗିରି ଜୀ ମହାରାଜ, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ, କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ପ୍ରମୁଖ ପ୍ରାଣ ପ୍ରତିଷ୍ଠା ସମାରୋହ ସଞ୍ଚାଳନ କରିଥିଲେ । ବିଭିନ୍ନ କ୍ଷେତ୍ରର ୭ ହଜାର ଅତିଥି ଏହି ଉତ୍ସବର ସାକ୍ଷୀ ବନିଥିଲେ । ୫୦ ମିନିଟ୍ ଧରି ଅଯୋଧ୍ୟା ରାମ ମନ୍ଦିରରେ ପୂଜା ହୋଇଥିଲା ।
ଉପସ୍ଥାପନା: ରଞ୍ଜନ ସାହୁ, ହେମନ୍ତ ପରିଡ଼ା, ମାନସୀ ଶୁକ୍ଳା, ଭାଗ୍ୟଶ୍ରୀ ସାହୁ
ସଲମାନଙ୍କ ଘରକୁ ଗୁଳି
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ବିଦାୟୀ ବର୍ଷ ବିପଦପୂର୍ଣ୍ଣ ଥିଲା । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦେଇଥିଲା । ଏମିତି କି ଏପ୍ରିଲରେ ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ଉପରେ ଗୁଳିମାଡ଼ ହୋଇଥିଲା । ଏହାକୁ ନେଇ ବଲିଉଡ୍ ଜଗତ ସହିତ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଦୁଇଜଣ ଶୁଟର ବାଇକ୍ରେ ଆସି ଗାଲାକ୍ସି ଆପାର୍ଟମେଣ୍ଟ ଉପରେ ୫ ରାଉଣ୍ଡ ଗୁଳି ମାଡ଼ କରି ପଳାଇଥିଲେ । ଗୋଟିଏ ଗୁଳି ସଲମାନଙ୍କ ଘର କାନ୍ଥରେ ବାଜିଥିଲା ବେଳେ ଆଉ ଗୋଟିଏ ଗୁଳି ଘରେ ଲାଗିଥିବା ନେଟ୍କୁ ଚିରି ସିଧା ତାଙ୍କ ଘର ଭିତରେ ପଶି ଡ୍ରଇଙ୍ଗ୍ ରୁମ୍ କାନ୍ଥରେ ବାଜିଥିଲା । ଫାୟାରିଂ କରିଥିବା ହମଲାକାରୀ ତରବରିଆ ଭାବେ ନିଜ ବାଇକ୍ ଛାଡ଼ି ପଳାଇଥିଲେ । ଏହାପରେ ମୁମ୍ବାଇରେ ହଇଚଇ ସୃଷ୍ଟି ହୋଇଥିଲା । ପୁଲିସ ତନାଘନା ଚଳାଇଥିଲା । ଏହି ଘଟଣା ପାଇଁ ବିଷ୍ଣୋୟୀ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଥିଲା । ପୁଲିସ ଦୁଇଜଣ ଶୁଟର ଭିକି ଗୁପ୍ତା (୨୪) ଓ ସାଗର ପାଲ୍ (୨୧)କୁ ଗୁଜରାଟର ଭୁଜରୁ ଗିରଫ କରିଥିଲା । ସୋସିଆଲ ମିଡିଆରେ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋୟୀର ଭାଇ ଅନମୋଲ ବିଷ୍ଣୋୟୀ ଏହି ମାମଲାରେ ନିଜକୁ ଦାୟୀ କରି ଏକ ପୋଷ୍ଟ ସେୟାର କରିଥିଲା । ଘଟଣାରେ ଗିରଫ ଅଭିଯୁକ୍ତ ସଂଖ୍ୟା ବଢ଼ିବାକୁ ଲାଗିଥିଲା । ମୁମ୍ବାଇ ପୁଲିସ ହରିଆଣାରୁ ଷଷ୍ଠ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ତା’ର ନାମ ହରପାଲ ସିଂହ । ସଲମାନଙ୍କ ଘର ଉପରେ ଗୁଳିମାଡ଼ ପୂର୍ବରୁ ରେକି ପାଇଁ ହରପାଲ୍ ସିଂହ ମହମ୍ମଦ ରଫିକ ଚୌଧୁରୀକୁ ଟଙ୍କା ଦେଇଥିଲା । ଘଟଣା ପରେ ସଲମାନଙ୍କ ସୁରକ୍ଷା ବଢ଼ିଥିଲା । ତାଙ୍କ ସୁଟିଂ ସେଟ୍ରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯାଇ ନଥିଲା ।
ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ
ଚଳିତବର୍ଷ ଶେଷଭାଗରେ ସିନେପ୍ରେମୀଙ୍କୁ ମତୁଆଲା କରିଥିଲା ‘ପୁଷ୍ପା-୨: ଦ ରୁଲ୍’ ଚଳଚ୍ଚିତ୍ର । ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମଟି ଦର୍ଶକୀୟ ଆଦୃତି ପାଇଥିଲା । ୧୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । କିନ୍ତୁ ଅଲ୍ଲୁଙ୍କୁ ସଫଳତା ଦେବା ସହ ବିବାଦ ଘେରକୁ ବି ଟାଣିନେଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂବେଳେ ଦଳାଚକଟା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ୮ ବର୍ଷୀୟ ପୁଅ ଗୁରୁତର ହୋଇଥିଲେ । ଏହି ଘଟଣାକୁ ନେଇ ବିବାଦ ବଢ଼ିଥିଲା । ଅଲ୍ଲୁଙ୍କୁ ଜେଲ ବି ଯିବାକୁ ପଡ଼ିଥିଲା । ଦିନକ ପରେ ଜାମିନ ପାଇ ସେ ମୁକୁଳିଥିଲେ । ହେଲେ ଏତିକିରେ କଥା ସରି ନ ଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ପୁଷ୍ପା-୨ ଫିଲ୍ମ ନିର୍ମାଣକାରୀ କମ୍ପାନୀ ମିଥ୍ରି ମୁଭି ମେକର୍ସ ମୃତା ରେବତୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିଲା । ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରାଯାଇଥିଲା । ତେଲଙ୍ଗାନାରେ ବିରୋଧୀ ଦଳ ବିଜେପି ଓ ବିଆର୍ଏସ୍ ରାଜ୍ୟର କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ସେମାନେ ଅଭିଯୋଗ ଆଣିଥିଲେ । ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଥିବା କହିଥିଲେ । ତେବେ ସେ ପ୍ରଥମେ ମୃତା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେଇଥିଲେ ।
ଟ୍ରମ୍ପ୍ଙ୍କୁ ଗୁଳିମାଡ
୨୦୨୪ ଜୁଲାଇରେ ଆମେରିକାର ରିପବ୍ଲିକାନ୍ ନେତା ତଥା ନିର୍ବାଚିତ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । ଏକ ନିର୍ବାଚନୀ ରାଲିରେ ଟ୍ରମ୍ପ୍ଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଜଣେ ୨୦ ବର୍ଷୀୟ ଯୁବକ ଥୋମାସ୍ ମାଥ୍ୟୁ । ହେଲେ ଭାଷଣ ଦେବାବେଳେ ଟ୍ରମ୍ପ୍ ତାଙ୍କ ମୁଣ୍ଡ ଏପଟସେପଟ କରିଦେବାରୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କ କାନ ଛୁଇଁ ଚାଲିଯାଇଥିଲା ଗୁଳି । ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆକ୍ରମଣକାରୀ ଥୋମାସ୍ ବି ନିହତ ହୋଇଥିଲା । ଏହି ଆକ୍ରମଣ ରାଜନୈତିକ କାର୍ଯ୍ୟକ୍ରମରେ ରାଜନେତାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା । ଆକ୍ରମଣର କିଛି ଦିନ ପରେ ଟ୍ରମ୍ପ୍ ତାଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ଫେରିଥିଲେ ଏବଂ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଧିକ ମଜଭୁତ ଦାବି ରଖିଥିଲେ । କାନରୁ ରକ୍ତ ବୋହୁଥିବା ଅବସ୍ଥାରେ ସେ ତାଙ୍କ ହାତମୁଠା ଟାଣ କରୁଥିବାର ଦୃଶ୍ୟ ବେଶ୍ ଚର୍ଚ୍ଚାକୁ ଆସିଥିଲା ।
ବିମାନକୁ ବୋମା ଧମକ
ଭାରତୀୟ ବିମାନ ସେବା କ୍ଷେତ୍ରକୁ ଏ ବର୍ଷ ଗ୍ରାସିଥିଲା ବୋମା ଧମକ । ବାରମ୍ବାର ବୋମା ଧମକରେ ଅତିଷ୍ଠ ହୋଇପଡ଼ିଥିଲେ ଯାତ୍ରୀ । ବିମାନ ସେବା ପ୍ରଦାନକାରୀଙ୍କ ଚିନ୍ତା ବି ବଢ଼ିଯାଇଥିଲା । ବିଶେଷକରି ବିଦାୟୀ ବର୍ଷ ଅକ୍ଟୋବରରେ ବାରମ୍ବାର ବୋମା ଧମକ ମିଳିଥିଲା । ଦିନକରେ ୩୦ରୁ ଅଧିକ ବିମାନକୁ ବୋମା ଧମକ ମିଳିବା ପରେ ଏଗୁଡ଼ିକର ଜରୁରି ଅବତରଣ କରାଯାଇଥିଲା । ଇଣ୍ଡିଗୋ, ଏୟାର ଇଣ୍ଡିଆ, ଅକାସା, ଭିସ୍ତାରା, ସ୍ପାଇସ୍ଜେଟ୍, ଷ୍ଟାର୍ ଏୟାର ଏବଂ ଆଲାଏନ୍ସ ଏୟାର ଭଳି କମ୍ପାନିର ବିମାନ ଏଥିରେ ଅନ୍ତର୍ଭୁକ୍ତ ଥିଲା । ତେବେ ଯାଞ୍ଚ ପରେ କୌଣସି ବିମାନରୁ ବୋମା ନ ମିଳିବାରୁ ଯାତ୍ରୀ ଆଶ୍ୱସ୍ତ ହୋଇଥିଲେ । ତେବେ ଏହି ଘଟଣା କିଛିଦିନ ଧରି ଯାତ୍ରୀଙ୍କୁ ନାକେଦମ୍ କରିଦେଇଥିଲା । କମ୍ପାନିଗୁଡ଼ିକ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ । ଏହାପରେ ସରକାର କଠୋର ନିୟମ ଆଣିଥିଲେ । ବୋମା ଧମକ ଦେଉଥିବା ଅଭିଯୁକ୍ତଙ୍କୁ ବିମାନ ଯାତ୍ରା କରିବାକୁ ଅନୁମତି ନ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ସେମାନଙ୍କ ନାମକୁ ନୋ-ଫ୍ଲାଏ ତାଲିକାରେ ସାମିଲ ଲାଗି କୁହାଯାଇଥିଲା ।
ଭାରତ-କାନାଡା ତିକ୍ତତା
ବର୍ଷସାରା କୂଟନୈତିକ ବିବାଦରେ ମାତିଥିଲେ ଭାରତ-କାନାଡା । ୨୦୨୩ ଶେଷ ବେଳକୁ ଆରମ୍ଭ ହୋଇଥିବା ବିବାଦ ୨୦୨୪ରେ ଅଧିକ ବୃଦ୍ଧି ପାଇଥିଲା । କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବିବାଦ ବଢ଼ିବା ପରେ କାନାଡା ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମାଙ୍କ ସମେତ ଆଉ ୫ କୂଟନୀତିଜ୍ଞଙ୍କୁ ବରଖାସ୍ତ କରିଥିଲା । ଜବାବରେ ଭାରତ ବି କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଏପରିକି ଭାରତୀୟଙ୍କ କାନାଡା ଯାତ୍ରା ପାଇଁ ଭାରତ ସରକାର ମାର୍ଗଦର୍ଶିକା ଜାରି କରିଥିଲେ । ସେଠାରେ ଭାରତୀୟଙ୍କ ଉପରେ ବିପଦ ଥିବା ଏବଂ ସେମାନଙ୍କୁ ଟାର୍ଗେଟ କରାଯାଇପାରେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ସେପ୍ଟେମ୍ବରରେ ଭାରତ କାନାଡାରେ ଭିସା ସର୍ଭିସ୍ ବାତିଲ କରିଥିଲା । ଏହାପରେ ଆମେରିକା ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲା । ବିକାଶ ଯାଦବ ନାମକ ଜଣେ ପୂର୍ବତନ ର’ ଅଧିକାରୀ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ୱନ୍ତ ପନ୍ନୁକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ ବୋଲି ଆମେରିକା କହିଥିଲା ।
ଘରକୁ ଫେରିଲେ ଆସେଞ୍ଜ
ଇରାକ୍ ଏବଂ ଆଫଗାନିସ୍ତାନରେ ଯୁଦ୍ଧ ସମ୍ବନ୍ଧୀୟ ଆମେରିକାର ଗୋପନୀୟ ଦସ୍ତାବିଜ୍ ଲିକ୍ କରି ତାହାକୁ ପ୍ରସାର କରିଥିବା ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍ ଆସେଞ୍ଜ(୫୨)ଙ୍କ ପାଇଁ ୨୦୨୪ ଆଣିଥିଲା ଆଶ୍ୱସ୍ତି । ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆଇନଗତ ଲଢ଼େଇ ପରେ ସେ ନିଜ ଦେଶ ଅଷ୍ଟ୍ରେଲିଆ ଫେରିଥିଲେ । ଆମେରିକା ସହ ଡିଲ୍ ହେବା ପରେ ବ୍ରିଟେନ୍ ତାଙ୍କୁ ଜେଲରୁ ମୁକୁଳାଇଥିଲା । ଲଣ୍ଡନରେ ସେ ୫ ବର୍ଷ ଧରି ହାଇ-ସିକ୍ୟୁରିଟି ଜେଲ୍ରେ ରହିଥିଲେ । ୨୦୧୦- ୧୧ରେ ସେ ହଜାର ହଜାର ଆମେରିକୀୟ କ୍ଲାସିଫାଏଡ ଡକ୍ୟୁମେଣ୍ଟକୁ ୱିକିଲିକ୍ସ ଜରିଆରେ ସାର୍ବଜନିନ କରି ଦେଇଥିଲେ । ଏଥିରେ ସେ ଆମେରିକା, ଇଂଲଣ୍ଡ ଏବଂ ନାଟୋ ସେନା ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗ ଆଣିଥିଲେ । ଏହି ଖୁଲାସା ପରେ ଆମେରିକା କହିଥିଲା ଯେ ଆସେଞ୍ଜ ଆମେରିକାର ଗୁଇନ୍ଦାଗିରି କରିଥିଲେ । ତେବେ ଆସେଞ୍ଜ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ । ଆମେରିକା ୪ ବର୍ଷ ଧରି ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରି ନେବାକୁ ଆଇନଗତ ଲଢ଼େଇ ଲଢ଼ିଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆଧାର କରି ଲଣ୍ଡନ କୋର୍ଟ ବାରମ୍ବାର ଆମେରିକାର ଅପିଲକୁ ଖାରଜ କରିଥିଲେ ।
ପୂଜାଙ୍କ ଆଇଏଏସ୍ ଜାଲିଆତି
ଚଞ୍ଚକତା କରି ଆଇଏଏସ୍ ପରୀକ୍ଷାରେ ପାସ୍ ହୋଇଥିବା ଟ୍ରେନି ଆଇଏଏସ୍ ପୂଜା ଖେଡ୍କରଙ୍କ ଘଟଣା ବିଦାୟୀ ବର୍ଷରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ତାଙ୍କର କାର୍ଯ୍ୟ ହିଁ ତାଙ୍କ କାରସାଦିକୁ ଲୋକଲୋଚନକୁ ଆଣିଥିଲା । ଶେଷରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ । ୟୁପିଏସ୍ସି ତାଙ୍କର ଆଇଏଏସ୍ ସିଲେକ୍ସନ୍କୁ ରଦ୍ଦ କରିଦେବା ସହ ଭବିଷ୍ୟତରେ ୟୁପିଏସ୍ସିର କୌଣସି ପରୀକ୍ଷାରେ ବି ସେ ଅବତୀର୍ଣ୍ଣ ହୋଇପାରିବେ ନାହିଁ ବୋଲି କହିଥିଲା । ନିଜ ନାମ, ବୟସ, ପିତାମାତାଙ୍କ ନାମ ଓ ଠିକଣା ଆଦି ବ୍ୟକ୍ତିଗତ ପରିଚୟରେ ଜାଲିଆତି କରି ସେ ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ୨୦୨୨ରେ ପୂଜା ଖେଡ୍କରଙ୍କୁ ୟୁପିଏସ୍ସି ପରୀକ୍ଷାରେ ୮୪୧ ର୍ୟାଙ୍କ୍ ମିଳିଥିଲା । ସେ ୨୦୨୩ ବ୍ୟାଚ୍ ଟ୍ରେନି ଆଇଏଏସ୍ ଭାବେ ମହାରାଷ୍ଟ୍ରର ପୁନେରେ ପ୍ରଥମେ ନିଯୁକ୍ତ ହୋଇଥିଲେ । ସେହିଠାରେ ତାଙ୍କର ତାଲିମ ଆରମ୍ଭ ହୋଇଥିଲା । ତାଲିମ ଚାଲିଥିବା ସତ୍ତେ୍ୱ ସେ ନିଜ ବ୍ୟକ୍ତିଗତ କାର୍ରେ ନୀଳ ଓ ନାଲିବତି ଲଗାଇ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ୍ ମିଡିଆରେ ତାଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଥିଲା । ଏହାପରେ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଇ ତାଲିମରୁ ବିଚ୍ୟୁତ କରାଯାଇଥିଲା । ୟୁପିଏସ୍ସି ପୂଜାଙ୍କର ସମସ୍ତ ଦସ୍ତାବିଜକୁ ଭଲ ଭାବେ ଯାଞ୍ଚ କରିବା ପରେ ତାଙ୍କୁ ସିଏସ୍ଇ-୨୦୨୨ ନିୟମ ଉଲ୍ଲଂଘନ ନେଇ ଦୋଷୀ ବିବେଚନା କରିଥିଲା । ଗିରଫରୁ ବର୍ତ୍ତିବା ଲାଗି ଆଗୁଆ ଜାମିନ ପାଇବାକୁ ପୂଜା ପ୍ରଥମେ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ । ସେଠାରୁ ନିରାଶ ହେବା ପରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ ବି ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ପରିଚୟ ବଦଳାଇ ପୂଜା ଧାର୍ଯ୍ୟ ସୀମାଠାରୁ ଅଧିକ ଥର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ ।
ସିଦ୍ଦିକିଙ୍କ ହତ୍ୟା, ସ୍ତବ୍ଧ ମହାରାଷ୍ଟ୍ର
ଚଳିତବର୍ଷ ଅକ୍ଟୋବରରେ ଏନ୍ସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ସ୍ତବ୍ଧ ହୋଇଥିଲା ମହାରାଷ୍ଟ୍ର । ଥରହର ହୋଇଥିଲା ବଲିଉଡ୍ । ଦୁର୍ଗାପୂଜାକୁ ନେଇ ଦେଶବ୍ୟାପୀ ଉତ୍ସାହର ମାହୋଲ ଥିଲା ବେଳେ ଜନପ୍ରିୟ ନେତା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇର ଶୁଟରମାନେ ତାଙ୍କୁ ଗୁଳି ମାଡ଼ କରିଥିଲେ । ଏହାପରେ ସେ ଲୀଳାବତୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସିଦ୍ଦିକିଙ୍କ ବିୟୋଗରେ ନେତାଙ୍କଠାରୁ ଅଭିନେତା ପର୍ଯ୍ୟନ୍ତ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିଲେ । ଏହି ହାଇପ୍ରୋଫାଇଲ୍ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଥିଲା । ବଲିଉଡ୍ ଶିଳ୍ପ ସହ ସିଦ୍ଦିକିଙ୍କର ସୁସମ୍ପର୍କ ଥିଲା । ଅନେକ ଆଗ ଧାଡ଼ିର ଅଭିନେତା ତାଙ୍କର ବନ୍ଧୁ ଥିଲେ । ବିଶେଷକରି ସଲ୍ମାନ ଖାନ୍ଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା । ଅକ୍ଟୋବର ୧୨ ତାରିଖରେ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ବାନ୍ଦ୍ରାସ୍ଥିତ ଖେରୱାଡ଼ି ସିଗ୍ନାଲ ନିକଟରେ ଥିବା ତାଙ୍କ ପୁଅ ଜିଶାନ୍ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ସିଦ୍ଦିକିଙ୍କୁ ୩ଟି ଗୁଳି ମାଡ଼ ହୋଇଥିଲା । ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା ବେଳେ ଦୁଇଟି ପେଟରେ ଲାଗିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ହତ୍ୟାକାଣ୍ଡରେ ୧୦-୧୫ ଜଣ ଅଭିଯୁକ୍ତ ସାମିଲ ଥିଲେ । ଅନେକଙ୍କୁ ଗିରଫ କରାଯାଇଥିଲା ।
ଅନନ୍ତ-ରାଧିକା ଗ୍ରାଣ୍ଡ୍ ୱେଡିଂ
ବିଦାୟୀ ବର୍ଷରେ ବେଶ୍ ଚର୍ଚ୍ଚିତ ଥିଲା ଦୁନିଆର ଅନ୍ୟତମ ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର । ନିର୍ବନ୍ଧଠାରୁ ଆରମ୍ଭ କରି ବିବାହ ଉତ୍ସବ ପ୍ରାୟ ୭ ମାସ ଧରି ଚାଲିଥିଲା । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଥିବା ୱାର୍ଲ୍ଡ କନ୍ଭେନସନ ସେଣ୍ଟରରେ ଜୁଲାଇ ୧୨ରେ ଅନନ୍ତ-ରାଧିକାଙ୍କ ବିବାହ ହୋଇଥିଲା । କେବଳ ବିବାହ ଉତ୍ସବ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଜନ୍ ସେନା, କିମ୍ କର୍ଦ୍ଦାସିଆନ୍, ବୋରିସ୍ ଜନ୍ସନ, ଟୋନି ବ୍ଲେୟାରଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ଉପସ୍ଥିତି ଉତ୍ସବକୁ ବେଶ୍ ଚର୍ଚ୍ଚିତ ବନାଇଥିଲା । ଏହି ହାଇପ୍ରୋଫାଇଲ ବିବାହରେ ବହୁ ବଲିଉଡ୍ ଷ୍ଟାର ଯୋଗ ଦେଇଥିଲେ । ସେଲିବ୍ରିଟିମାନଙ୍କୁ ବେଶ୍ ଦାମୀ ଉପହାର ଦିଆଯାଇଥିଲା । ଅନନ୍ତ-ରାଧିକାଙ୍କ ବିବାହରେ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।