ଯବାନଙ୍କ ହତ୍ୟାର ତୁରନ୍ତ ପ୍ରତିଶୋଧ ନେବାକୁ ମୁମ୍ବାଇରେ ଉତ୍ୟକ୍ତ ଲୋକ ରୋକିଲେ ଟ୍ରେନ୍

ମୁମ୍ବାଇ,୧୬।୨(ଏଜେନ୍ସି): ଗତ ଗୁରୁବାର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି। ଯାହାକୁ ନେଇ ସାରା ଦେଶ ବୁଡି ରହିଛି ଦୁଃଖରେ। ମୁମ୍ବାଇରେ ଆଜି ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଆକ୍ରୋଶ। ଶନିବାର ମୁମ୍ବାଇର ନାଲାସୋପରରେ ଆକ୍ରମଣ ବିରୋଧରେ ପ୍ରଦର୍ଶନକାରୀମାନେ ରେଲଓ୍ବେ ଟ୍ରାକ୍ ଜାମ କରିଦେଇଥିଲେ। ପ୍ରାୟ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ଟ୍ରାକ୍ ଉପରକୁ ଚାଲିଆସିଥିଲେ। ପ୍ରଦର୍ଶନକାରୀମାନେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେବା ସହ ଆତଙ୍କବାଦୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ରେଲଓ୍ବେ ପୋଲିସ ଯାତ୍ରୀଙ୍କୁ ଟ୍ରାକ୍ରୁ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆଖପାଖ ଅଞ୍ଚଳରେ ଦୋକାନ ବନ୍ଦ ରହିଥିଲା। ଏହାପରେ ମୁମ୍ବାଇ ଲୋକାଲ ଟ୍ରେନ୍ ସେବାକୁ ନାଲାସୋପାର ଓ ଭିରାର ଷ୍ଟେସନ୍ ମଧ୍ୟରେ ରୋକି ଦିଆଯାଇଥିଲା।