ଶ୍ରୀନଗର ୨୮/୦୫: ଶ୍ରୀନଗର ସ୍ଥିତ ଶେର୍‌-ଇ-କାଶ୍ମୀର ବିଶ୍ୱବିଦ୍ୟାଳୟର ଏଗ୍ରିକଲ୍‌ଚରାଲ ସାଇନ୍ସେସ୍‌ର ଗବେଷକ ଟିମ୍‌ ଭାରତର ପ୍ରଥମ ଜିନ୍‌ସଂଶୋଧିତ ମେଣ୍ଢା ଉତ୍ପନ୍ନ କରିଛନ୍ତି । ଦୀର୍ଘ ୪ ବର୍ଷର ଅନୁସନ୍ଧାନ ପରେ ମେଣ୍ଢାର ଜିନ୍‌ସଂଶୋଧନ ସମ୍ଭବ ହୋଇଛି । ଗବେଷକଙ୍କ ଅନୁସାରେ, ଏହା ମେଣ୍ଢାର ମାଂସପେଶୀକୁ ୩୦ ପ୍ରତିଶତ ବୃଦ୍ଧି କରିବ । ନିକଟରେ ଭାରତର ପ୍ରଥମ ଜିନ୍‌-ସଂଶୋଧିତ ଚାଉଳ ଉତ୍ପାଦନ ପରେ ଏହା ବଡ଼ ସଫଳତା ।

ଅଧ୍ୟୟନରେ ସାମିଲ ୫ ଜଣ ଅଧ୍ୟୟନକର୍ତ୍ତାଙ୍କ ନେତୃତ୍ୱ ନେଇଥିବା ପ୍ରଫେସର ରିଆଜ ଅହମଦ ଶାହ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହା ଅଧ୍ୟୟନ ସ୍ତରରେ ହୋଇଥିଲା । ଏହି କୌଶଳର ଅନେକ ପ୍ରୟୋଗ ରହିଛି । ରୋଗ-ପ୍ରତିରୋଧୀ ଜୀବ ଉତ୍ପନ୍ନ ଲାଗି ରୋଗ ପାଇଁ ଦାୟୀ ଜିନ୍‌ଗୁଡ଼ିକୁ ଆମେ ସଂଶୋଧନ କରିପାରିବୁ । ଯମଜ ସନ୍ତାନ ଜନ୍ମରେ ମଧ୍ୟ ଏହା ସହାୟକ ହୋଇପାରିବ । ଅଧ୍ୟୟନକର୍ତ୍ତା ମେଣ୍ଢାଛୁଆର ମାୟୋଷ୍ଟାଟିନ୍‌ ଜିନ୍‌ର ସଂଶୋଧନ କରିଥିଲେ । ଏହି ଜିନ୍‌ ମେଣ୍ଢାର ମାଂସପେଶୀ ବୃଦ୍ଧି ପରିଚାଳନା ପାଇଁ ଦାୟୀ । ମେଣ୍ଢାକୁ ବାଧା ଦେବା ଦ୍ୱାରା ତା’ର ମାଂସପେଶୀ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ହୋଇଥାଏ । ଏହି ଗୁଣ ଭାରତୀୟ ମେଣ୍ଡା ପ୍ରଜାତିରେ ପ୍ରାକୃତିକ ଭାବେ ନାହିଁ । କିନ୍ତୁ ଟେକ୍ସେଲ ଭଳି କିଛି ୟୁରୋପୀୟ ମେଣ୍ଢା ପ୍ରଜାତିରେ ଏହା ରହିଛି । ପାରମ୍ପରିକ କ୍ରସ୍‌ବ୍ରିଡିଂ ଜରିଆରେ ନୁହେଁ, ଜିନ୍‌ ସଂଶୋଧନ ଜରିଆରେ ଏହି ମ୍ୟୁଟେସନ୍‌ ଟେକ୍ନୋଲୋଜିରେ ବଡ଼ ଲମ୍ଫକୁ ଦର୍ଶାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନ୍ୟାସ୍‌ନାଲ ଡାଏରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ ଏକ ମଇଁଷିର ଜିନ୍‌-ସଂଶୋଧିତ ଭ୍ରୂଣ ବିକଶିତ କରିଥିଲେ । ତେବେ ସଦ୍ୟ ସଫଳତା କେବଳ ଏକ ମେଣ୍ଢା ଛୁଆର ଜନ୍ମକୁ ଦର୍ଶାଇ ନାହିଁ, ଭାରତରେ ପଶୁପାଳନ ଜେନେଟିକ୍ସରେ ଏକ ନୂଆ ଯୁଗର ଆରମ୍ଭ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ଡ. ନାଜିର ଅହମଦ ଗନାଇ କହିଛନ୍ତି । ବିଦେଶୀ ଡିଏନ୍‌ଏକୁ ସାମିଲ କରିବା ପରିବର୍ତ୍ତେ ସଠିକ୍‌ ଓ ଲାଭକର ପରିବର୍ତ୍ତନ ଆଣିବାରେ ଆମେ ସକ୍ଷମ ବୋଲି ସେ କହିଛନ୍ତି । ଏହି ପ୍ରୋଜେକ୍ଟକୁ ପାଣ୍ଠି ଯୋଗାଇଥିଲା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ । ଶାହ କହିଛନ୍ତି, ସିଆର୍‌ଆଇଏସ୍‌ପିଆର୍‌ସିଏଏସ୍‌୯ ଟେକ୍ନୋଲୋଜି ମାଧ୍ୟମରେ ଏହି ଜିନ୍‌-ସଂଶୋଧନ ହୋଇଥିଲା ଏବଂ ଅନ୍ତର୍ଜାତୀୟ ଜୈବସୁରକ୍ଷା ନିୟମ ମଧ୍ୟ ପାଳନ କରାଯାଇଥିଲା । ଜିନ୍‌-ସଂଶୋଧନ କୌଶଳ ‘ସିଆର୍‌ଆଇଏସ୍‌ପିଆର୍‌’ (କ୍ଲଷ୍ଟର୍ଡ ରେଗୁଲାର୍‌ଲି ଇଣ୍ଟର୍‌ସ୍ପେସ୍‌ଡ ଶର୍ଟ ପାଲିନଡ୍ରୋମିକ୍‌ ରିପିଟ୍ସ) ୨୦୨୦ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲା ।