ପୁରୀ,୨୪/୯ : ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଦୁଇଟି ଅଶୁଭ ଲକ୍ଷଣ ଦେଖିବାକୁ ମିଳିଛି। ବୁଧବାର ଦିନ ପ୍ରାୟ ୩ଟାରେ ନୀଳଚକ୍ର ପତିତପାବନ ବାନା ଉପରେ ଏକ ମାଟିଆ ଚିଲ ବସିଥିଲା । ଦିନ ପ୍ରାୟ ୩ଟା ୧୦ରେ ଜଗମୋହନରେ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା । ରତ୍ନଅଳଙ୍କାର ସ୍ଥାନାନ୍ତର କାମରେ ନିୟୋଜିତ ଜଣେ କର୍ମଚାରୀଙ୍କ ଗୋଡ଼ ଉପରେ କୌଣସି ଏକ ଧାରୁଆ ଜିନିଷ ବାଜିବାରୁ ରକ୍ତ ବାହାରିଥିଲା । ଏହି ସମୟରେ ଦ୍ୱିତୀୟ ଭୋଗମଣ୍ଡପ ଉଠି ସାରିଥିଲା । ଶ୍ରୀମନ୍ଦିର ପକ୍ଷରୁ ପାରମ୍ପରିକ ନୀତି ମୁତାବକ ବଡ଼ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା । ଯାହା ସନ୍ଧ୍ୟା ୬ଟା ୨୦ରେ ଶେଷ ହୋଇଥିଲା । ଦ୍ୱିତୀୟ ଭୋଗମଣ୍ଡପ ପୂଜା ଶେଷ ବେଳକୁ ସନ୍ଧ୍ୟା ୬ଟା ୫୫ ହୋଇଥିଲା । ଦ୍ୱିତୀୟ ଭୋଗମଣ୍ଡପରେ ବରାଦି ଅବଢ଼ା ବିଳମ୍ବରେ ବାହାରିରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ ।
ସୂଚନା ମୁତାବକ ରତ୍ନଅଳଙ୍କାର ରହିବା ନିମନ୍ତେ ଷ୍ଟ୍ରଙ୍ଗରୁମ୍ ହୋଇଥିବା ଖଟଶେଜ ଘର ମରାମତିରେ ନିୟୋଜିତ ମିସ୍ତ୍ରିଙ୍କ ପାଦ ନଖରେ ହାତୁଡ଼ି ବେଣ୍ଟ ପଡ଼ି ଫାଟି ରକ୍ତ ପଡ଼ିବାରୁ ବଡ଼ ମହାସ୍ନାନ ହୋଇଥିଲା । ମୀନ ରାଶିକୁ ଶନି ଚଳନ କରିଥିବାରୁ ଶ୍ରୀମନ୍ଦିରରେ ଏପରି ଅଶୁଭ ଲକ୍ଷଣ ଦେଖାଯିବା ସହ ବିଶ୍ୱରେ ବିପର୍ଯ୍ୟୟ ଦେଖା ଯାଉଥିବା ଅନେକ ଭକ୍ତ ମତ ଦେଇଛନ୍ତି । ମନ୍ତ୍ରତନ୍ତ୍ର ଶକ୍ତି କାମ କରୁଥିବାରୁ ଶ୍ରୀମନ୍ଦିର ଭିତରକୁ କୁକୁର, ଗୁଧପକ୍ଷୀ, ମାଟିଆ ଚିଲ ପ୍ରଭୃତି ପଶିବା ଆଗରୁ ଦେଖାଯାଏନି । ହେଲେ କିଛି ଦିନ ହେବ ବିଭିନ୍ନ ପ୍ରକାର ବିଲକ୍ଷଣ ନଜର ଆସୁଥିବାରୁ ଶ୍ରଦ୍ଧାଳୁମାନେ ଚିନ୍ତା ପ୍ରକାଶ କରିଛନ୍ତି ।