ବିଶାଳ ମଇଁଷି ଷଣ୍ଢ, ଉଭୟଙ୍କ ଓଜନ ୩୨ କୁଇଣ୍ଟାଲ

ଦିନକୁ ଖାଆନ୍ତି ୧୦ ହଜାର ଟଙ୍କାର ଖାଦ୍ୟ, ପିଅନ୍ତି ୧୬ ଲିଟର ଦୁଗ୍ଧ

୫ ଲକ୍ଷ ଛୁଆର ବାପା ଅଟନ୍ତି, ସାରା ଦେଶରେ ପ୍ରସିଦ୍ଧ

ଭୁବନେଶ୍ୱର ୨୨/୦୧: ଏକ୍ ଶେର୍ ହୈ, ତୋ ଅର୍ ଏକ୍ ସୱା ଶେର୍ । ଜଣେ ‘ସୁରବୀର’ ଆଉ ଜଣେ ‘ଇନ୍ଦର’ । ରାଜକୀୟ ଠାଣି, ରାଜା ଭଳି ଚଳଣି । ଅତିକାୟ ଶରୀର । ଚିକ୍କଣ ଶିଙ୍ଗକୁ ଆଖି ବଡ଼ବଡ଼ । ଚାହିଁଦେଲେ, ଦେହ ଶିତେଇ ଯାଉଛି । କାଳେ ମାଡି ଆସିବେ କି? ଦେଖିବାକୁ ଯେମିତି, କାମ ବି ସେମିତି । କେହି କାହାଠୁ କମ୍ ନୁହନ୍ତି । ବଡ଼କଥା, ଗୋଟିଏ କି ଦୁଇଟି ନୁହେଁ ସାରା ଭାରତରେ ଉଭୟଙ୍କ ୫ଲକ୍ଷ ପିଲା ଅଛନ୍ତି ।

ଜନତା ମଇଦାନରେ ଆୟୋଜିତ ମତ୍ସ୍ୟ- ପ୍ରାଣୀ ସମାବେଶ ଅବସରରେ ଭୁବନେଶ୍ୱରକୁ ଆସିଛନ୍ତି ହରିଆଣା ରାଜ୍ୟ କୁରୁକ୍ଷେତ୍ରର ଏହି ପ୍ରସିଦ୍ଧ ମଇଁଷି ଷଣ୍ଢ । ଉଭୟଙ୍କ ମାଲିକ ଜଣେ । ସ୍ଥାନୀୟ ଲୋକେ ଏହି ମଇଁଷି ଦ୍ୱୟକୁ ଭାଇ ଭଳି ଦେଖନ୍ତି । ଇନ୍ଦର ଓ ସୁରବୀର କର୍ମବୀର ପ୍ରଜନନ ଫାର୍ମର ମୁର୍ହା ପ୍ରଜାତିର ମଇଁଷି ଅଟନ୍ତି ।

ଇନ୍ଦର ହେଉଛି ଅଣ୍ଡିରା ମଇଁଷି ଖଲିର ସନ୍ତାନ । ଖଲି ବି ଏକ ବିଶାଳକାୟ ମଇଁଷି ଅଟେ । ଇନ୍ଦରର ବୟସ ଏବେ ସାଢେ ୪ବର୍ଷ । ଓଜନ ୧୭ କୁଇଣ୍ଟାଲ । ଏହାର ଆନୁମାନିକ ବଜାର ମୂଲ୍ୟ ୪ କୋଟି, ଉଚ୍ଚତା ୫ଫୁଟ ୯ଇଞ୍ଚ । ଇନ୍ଦରର ଖାଇବାରେ ଦିନକୁ ୬ହଜାର ଟଙ୍କା ଖର୍ଚ୍ଚ ହୁଏ । ଘାସ, ଦାନା, ଚୋକଡ, ତୋରାଣି, ଅଟା, ଚାଉଳଗୁଣ୍ଡ ସହ ଦୁଇଓଳି ୪ ଲିଟର ଲେଖାଏଁ ମୋଟ ୮ ଲିଟର କ୍ଷୀର ପିଏ । ମାସକୁ ତାଠୁ ୩ଶହ ୟୁନିଟ ଶୁକ୍ରାଣୁ ଉତ୍ପାଦନ ହୁଏ । ଯାହାର ଚାହିଦା ବି କାହିଁରେ କେତେ । ଗୋଟିଏ ୟୁନିଟ୍ ଶୁକ୍ରାଣୁର ମୂଲ୍ୟ ୩ଶହ ଟଙ୍କା ରହିଛି । ସାରା ଦେଶରେ ଏହାର ୩ଲକ୍ଷ ଛୁଆ ରହିଛନ୍ତି ।

ଅପରପକ୍ଷେ, ଅଣ୍ଡିରା ମଇଁଷି ଯୋଗରାଜ ଓ ମାଈ ମଇଁଷି ଗଙ୍ଗାର ଛୁଆ ସୁରବୀରର ବୟସ ଏବେ ୫ବର୍ଷ । ଓଜନ ୧୫କୁଇଣ୍ଟାଲ । ଏହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ରହିଛି । ଏହାର ଉଚ୍ଚତା ୫ଫୁଟ ୮ ଇଞ୍ଚ ରହିଛି । ଏହାର ଦିନକୁ ଖାଇବା ପାଇଁ ୪ହଜାର ଟଙ୍କା ଖର୍ଚ୍ଚ ହୁଏ । ଇନ୍ଦର ଭଳି ସୁରବୀର ମଧ୍ୟ ଚୋକଡ, ଅଟା, ଦାନା, ଘାସ ସହ ୮ଲିଟର କ୍ଷୀର ପିଏ । ସୁରବୀରଠାରୁ ମାସକୁ ଅଢେଇଶହ ୟୁନିଟ ଶୁକ୍ରାଣୁ ଉତ୍ପାଦନ ହୁଏ । ସାରା ଦେଶରେ ସୁରବୀରର ୨ଲକ୍ଷ ଛୁଆ ରହିଥିବା ଜଣାପଡିଛି । କେବଳ ସେତିକି ନୁହେଁ, ବିଭିନ୍ନ ପ୍ରତିଯୋଗିତାରେ ସୁରବୀର ଭାଗ ନେଇ ୫ଥର ବିଜେତା ମୁକୁଟ ପିନ୍ଧିଛି ।

ଦୁଇ ମଇଁଷିଙ୍କ ତତ୍ତ୍ୱାବଧାରକ ନସିବ କୁଙ୍ଗର କହିଛନ୍ତି, କେବଳ ସୁରବୀର ଓ ଇନ୍ଦର ନୁହନ୍ତି, ଏମାନଙ୍କ ଭଳି ତାଙ୍କ ପାଖରେ ଆହୁରି ୮୫ଟି ବିଶାଳକାୟ ମଇଁଷି ରହିଛନ୍ତି । ମୋଟ ୨ ଏକର ଜମିରେ ଏକ ବିରାଟ ଗୋଶାଳାରେ ସମସ୍ତଙ୍କୁ ରଖାଯାଇଛି । ହେଲେ ସୁରବୀର ଓ ଇନ୍ଦର ସ୍ୱତନ୍ତ୍ର । ଦୁହେଁ ସ୍ୱଭାବରେ ଶାନ୍ତ । ସେଥିପାଇଁ କିଏ ଲାଗିଲେ କି ଡାକିଲେ ଏମାନେ ଚୁପଚାପ୍ ଶୁଣନ୍ତି । ଫଟୋ ଉଠାଇବାକୁ ମୁଣ୍ଡ ଟେକନ୍ତି ।

ଆହୁରି ପଢନ୍ତୁ:ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା: ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ
 

ହେଲେ ରାଗିଲେ ନିୟନ୍ତ୍ରଣ କରିବା ଭାରି କଷ୍ଟ । ସୁନ୍ଦର ଦିଶିବା ପାଇଁ ମଇଁଷିଦ୍ୱୟଙ୍କ ଗ୍ରୁମିଂ ହୁଏ । କେଶ କଟାଯାଏ । ଶିଙ୍ଗ ଓ ଶରୀରରେ ଘଣା ସୋରିଷ ତେଲ ମାଲିସ ହୁଏ । ସେଥିପାଇଁ ଏମାନେ ଚିକଚିକ୍ ଦିଶନ୍ତି । ନାକରେ ଲୁହା, ତମ୍ବା ଓ ପିତଳ ମିଶା ନାକଗୁଣା ଲଗାଯାଇଛି । ମଇଁଷିଙ୍କ ଗାଧୁଆ, ଖାଦ୍ୟ ଖୁଆଇବା, ସଫା କରିବା ଓ ଅନ୍ୟାନ୍ୟ କାମ ପାଇଁ ମୋଟ ୧୦ଜଣ ଲୋକଙ୍କୁ ନିୟୋଜିତ କରାଯାଇଛି । ଏହି ମଇଁଷିଙ୍କ ଠୁଁ ଜାତ ହେଉଥିବା ମାଈ ମଇଁଷି ଦିନକୁ ୧୬ରୁ ୧୯ ଲିଟର ଦୁଗ୍ଧ ଦେବା ପାଇଁ ସକ୍ଷମ ଅଟନ୍ତି ବୋଲି ନସିବ କହିଛନ୍ତି ।